ନୂତନ ଶିକ୍ଷାନୀତି ୨୦୨୦କୁ ନେଇ କ୍ରାଏ କଲିକତା ଓ ପଲ୍ଲି ଆଲୋକ ପାଠାଗାର ତରଫରୁ କର୍ମଶାଳା : ଭାରତକୁ ଜ୍ଞାନର ମହାଶକ୍ତିରେ ପରିଣତ କରିବ
ବଲାଙ୍ଗିର, (କେପିଏନ୍ଏସ୍) : ଜ୍ଞାନର ମହା ଶକ୍ତି ହେବ ଭାରତ । ୧୯୬୬ ମସିହାରେ ଭାରତର ଶିକ୍ଷା ନୀତିରେ ପରିବର୍ତ୍ତନ ଆରମ୍ଭ ହୋଇଥିଲା । ୧୯୮୬ରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ପୁଣି ଶିକ୍ଷାର ଢ଼ାଞ୍ଚା ପରିବର୍ତ୍ତନ ହୋଇଥିଲା । ଏବେ ବୈଶ୍ୱି କରଣ ଉଦ୍ଦେଶ୍ୟରେ ଭାରତ ବର୍ଷର ଶିକ୍ଷା ନିତିରେ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ବିଭିନ୍ନ ବର୍ଗ ସହିତ ଆଲୋଚନା କରି ୩ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ମୁକ୍ତ ଶିକ୍ଷା ଅଧିକାର ପାଇଁ ଶିକ୍ଷା ନୀତିରେ ପରିବର୍ତ୍ତନ ଆଣିଛନ୍ତି । ୨୦୨୦ରେ ଏହି ନୂତନ ଶିକ୍ଷା ନୀତି ଗ୍ରହଣ ହୋଇଛି । ମାତ୍ର ରାଜ୍ୟ ସ୍ତରରେ ଏହି ଶିକ୍ଷା ନୀତିକୁ ଲାଗୁ କରିବା ପାଇଁ ସ୍ଥାନୀୟତା ଭିତ୍ତିରେ ଅନେକ ମୁକ୍ତ ରାସ୍ତା ରହିଛି । ତେଣୁ ବିଶ୍ୱ ମହାମାରୀ କରୋନା ପରେ ଜୀବନ ଯେତେବେଳେ ସରଳ ହେବାକୁ ଆରମ୍ଭ କରିଛି ସେତେବେଳେ ଏହି ଶିକ୍ଷାନୀତି ସମ୍ପର୍କରେ ମୁକ୍ତ ଆଲୋଚନା ଓ ସ୍ଥାନୀୟ ସମସ୍ୟାକୁ ନେଇ ଶିକ୍ଷାନୀତିରେ ପରିବର୍ତ୍ତନ ପାଇଁ ସ୍ୱର ଉଠିଛି । ଶିକ୍ଷାନୀତି ୨୦୨୦ ସମ୍ପର୍କରେ ବିଭିନ୍ନ ବର୍ଗଙ୍କୁ ଅବଗତ କରି ଆଲୋଚନା ଆରମ୍ଭ କରିଛି ପଲ୍ଲି ଆଲୋକ ପାଠାଗାର, ନଅଗାଁ ବଲାଙ୍ଗିର । କ୍ରାଏ କଲିକତାର ସହଯୋଗରେ ଏକ ଦୁଇ ଦିନିଆ କର୍ମଶାଳା ଆଜି ଆରମ୍ଭ ହୋଇଛି ସାମ୍ବାଦିକ ଭବନଠାରେ । ଏହି ଅଧିବେଶନରେ ସାମ୍ବାଦିକ ସନ୍ଦିପ କୁମାର କୁଅଁରଙ୍କ ପରିଚାଳନା କ୍ରମେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିଳମଣୀ ମିଶ୍ର, ଏଫଏଚ୍ଡି ଇଣ୍ଡିଆର ବିଲହନ୍ ସାଗର, କ୍ରାଏର ସାଧନ କର୍ମୀ ନିରାକାର ବେହେରା ଓ ଅଜୟ ମଞ୍ଚାସୀନ ହୋଇଥିଲେ । ପଲ୍ଲି ଆଲୋକ ପାଠାଗାରର ସମ୍ପାଦକ ପ୍ରସାନ୍ତ ନାଏକ ଶିକ୍ଷାର ମାନଦଣ୍ଡକୁ ସୁନିଶ୍ଚିତ କରିବାକୁ ଶିକ୍ଷାନୀତି ସମ୍ପର୍କରେ ସମସ୍ତଙ୍କର ସହଭାଗିତା ଉପରେ ଗୁରୁତ୍ୱାରୋପ କରି କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଭାରତୀୟ ସମ୍ବିଧାନରେ ମୈଳିକ ଅଧିକାରରେ ଶିକ୍ଷା ଅଧିକାର ୬ରୁ ୧୪ ବର୍ଷ ପାଇଁ ଥିବାରୁ ଏହାକୁ ୩ରୁ ୧୮ ବର୍ଷ କରାଯିବା, ପୁସ୍ତକର ଭାଷାକୁ ବୁଝିବାକୁ ସ୍ଥାନୀୟ ଭାଷାର ବ୍ୟବହାର, ଆଂଚଳିକ ଭାଷାରେ ଶିକ୍ଷାଦାନକୁ ଗୁରୁତ୍ୱ ଓ ଶିକ୍ଷାରେ ଅଧିକ ପାଣ୍ଠିର ବ୍ୟବସ୍ଥା ଦ୍ୱାରା ହିଁ ନୂତନ ଶିକ୍ଷାନୀତି ୨୦୨୦ ସଫଳ ଭାବେ ଲାଗୁ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ଉପସ୍ଥିତ ସହଭାଗୀମାନଙ୍କୁ ନେଇ ମୁକ୍ତ ଆଲୋଚନା ଓ ଦଳଗତ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ସ୍କୁଲ ପରିଚାଳନା କମିଟି ସଦସ୍ୟ ସଦସ୍ୟା, କିଶୋରୀ ବାଳିକା, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତା, ଶିକ୍ଷକ ଓ ବୁଦ୍ଧିଜୀବୀ ସହଭାଗୀ ଭାବରେ ଅଂଶ ଗ୍ରହଣ କରିଥିଲେ । ମୁକ୍ତ ଆଲୋଚନା ଓ ଦଳଗତ ଆଲୋଚନାକୁ ପରିଚାଳନା କରିଥିଲେ ହିରାଲାଲ ମିଶ୍ର, ଅଜୟ କୁମାର ବାଦୀ, ନିରାକାର ବେହେରା । ଶେଷରେ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।