କଳାହାଣ୍ଡି, (ହେମନ୍ତ ସାହୁ) : ସମାଜରେ ଏଇମିତି କିଛି ଚରିତ୍ର ଥା’ନ୍ତି, ଯାହାଙ୍କ ଜୀବନର ସଂଘର୍ଷର କାହାଣୀ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଏ । ମୁଣ୍ଡ ଉପରୁ ଛାତଟି ଉଡ଼ିଗଲା ପରେ ବି ମନ ଭିତରୁ କିିନ୍ତୁ ଦମ୍ଭ ଭାଙ୍ଗି ନଥାଏ । ସେହି ଦମ୍ଭକୁ ନେଇ ଆଗକୁ ବଢିବାକୁ ହୁଏ । ଏଇମିତି ଏକ ସଂଘର୍ଷର କାହାଣୀ ଦେଖିବାକୁ ମିଳେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମ.ରାମପୁର ସଦର ମହକୁମାଠାରେ । ସ୍ୱର୍ଗତ ଚୈତନ୍ୟ ବେହେରା ଗୋଟିଏ ଛୋଟ ସିଲେଇ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ଘରେ ତାଙ୍କରି ପାଂଚ ପୁଅ ଝିଅ । ଏତେ ବଡ଼ ପରିବାରକୁ ନେଇ ସିଲେଇ କାମରେ ଘର ଚଳିବା କଷ୍ଟ ହେଉଥିବା ଦେଖି ଆଜକୁ ପ୍ରାୟ ୧୨ ତଳେ ରୁଲି ବେହେରା ବାପାଙ୍କୁ ଏହି ସିଲେଇ କାମରେ ସହାୟତାର ହାତ ବଢେଇଲେ । ବାପାଙ୍କ ସହିତ ହାତ ମିଶାଇଲେ ଏବଂ ପରେ ପରେ ସେ ଏହି କାମକୁ ନିଜର ବୃତ୍ତି ଭାବରେ ଆଦରି ନେଲେ । ବାପ-ଝିଅ ମିଶି ରୋଜଗାର ସହିତ ପରିବାର ପ୍ରତିପୋଷଣ କଲେ ଏବଂ ଘରେ ଥିବା ଦୁଇ ବଡ଼ ଭଉଣୀଙ୍କୁ ବିବାହ ଦେଲେ । ଅନ୍ୟଭାଇ ଭଉଣୀଙ୍କୁ ପାଠ ପଢାଇବା ମଧ୍ୟ ଏହିଠାରୁ ହିଁ ଚାଲିଥାଏ । ଗତ ୨୦୧୫ ମସିହାରେ ହଠାତ ବାପାଙ୍କ ପରଲୋକ ପରେ ପୂର୍ଣ୍ଣ ଭାବରେ ଭାଙ୍ଗିପଡ଼ିଲେ ପରିବାର ଲୋକେ । କିନ୍ତୁ ଦମ୍ଭ ନେଇ ଠିଆହେଲେ ରୁଲି, ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଲେ ଯୁକ୍ତତିନି ପାଠଶେଷ କରିଥିବା ଝୁଲି । ଦୁଇ ଭଉଣୀ ମିଶି ଏବେ ପରିବାରର ମଙ୍ଗ ଧରିଛନ୍ତି । ଏମିତିକି ନିଜର ଏକ ଭାଇଙ୍କୁ ପାଠ ପଢାଇବା ସହିତ ତାଙ୍କୁ ରୋଜଗାର କ୍ଷମ କରେଇ ପାରିଛନ୍ତି । ଭାଇ ଏବେ ଜିନ୍ଦଲ କମ୍ପାନୀ, ବଡ଼ବିଲ, ମୟୂରଭଂଜରେ କାମଟିଏ କରିବାର ସୁଯୋଗ ନିଜ ଦୁଇ ଭଉଣୀଙ୍କ ସଂର୍ଘଷର ଫଳ । କେବଳ ଏତିକି ନୁହେଁ ନିଜ ପରିବାର ଆଗରୁ ଘର ଭଡ଼ାରେ ରହୁଥିବାବେଳେ ରୁଲି ଘର ପାଇଁ ଅର୍ଥ ସଂଚୟ କରି ଜାଗା ଖଣ୍ଡେ କିଣିଲେ ଏବଂ କିଛି ବର୍ଷ ତଳେ ସରକାରୀ ସହାୟତାରେ ଘରଟିଏ କରିପାରିଛନ୍ତି । ନିଜ ଜୀବନକୁ ବାଜି ଲଗେଇ ଆଜି ରୁଲି ଓ ଝୁଲି ଘର ପାଇଁ ସାହାରା ପାଲଟିଥିବାବେଳେ ମାଁ (ନଳିନୀ ବେହେରା)ଆଖିରେ ଏହି ଦୁଇ ଝିଅଙ୍କୁ ନେଇ ଅନେକ ଖୁସି । କୁହନ୍ତି, ରୁଲି ଝୁଲି ମୋର ଦୁଇ ଝିଅ ନୁହଁନ୍ତି, ଦୁଇ ପୁଅ । ଯୋଉଁମାନେ ଆଜି ଭଳି ଯୁଗରେ ପରିବାର ପାଇଁ ସଂଘର୍ଷ କରି ଘରେ ହସ ଫୁଟାଇ ପାରିଛନ୍ତି ।