ନୂଆଦିଲ୍ଲୀ, (ପିଆଇବି) : ଜୁଲାଇ ୨୫ ଏବଂ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ୱୀପ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୨୦୨୩ରେ ଡକ୍ଟର ମହମ୍ମଦ ମୁଇଜୁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ମାଳଦ୍ୱୀପକୁ ପ୍ରଥମ ସରକାରୀ ଗସ୍ତ ହେବ । ରାଷ୍ଟ୍ରପତି ଡକ୍ଟର ମୁଇଜୁ ତାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ରାଷ୍ଟ୍ର/ସରକାର ମୁଖ୍ୟ ଭାବେ ମାଳଦ୍ୱୀପ ଗସ୍ତ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ସେ ୨୬ ଜୁଲାଇ ୨୦୨୫ରେ ମାଳଦ୍ୱୀପ ସ୍ୱାଧୀନତାର ୬୦ତମ ବାର୍ଷିକୀ ପାଳନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ‘ସମ୍ମାନିତ ଅତିଥି’ ଭାବରେ ନିମନ୍ତ୍ରଣ କରିଛନ୍ତି । ୨୦୨୫ରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୬୦ ବର୍ଷ ପୂରଣ ମଧ୍ୟ ହେଉଛି । ଉଭୟ ନେତା ବର୍ତ୍ତମାନସୁଦ୍ଧା ପରସ୍ପରକୁ ତିନିଥର ସାକ୍ଷାତ କରିଛନ୍ତି । ଡିସେମ୍ବର ୨୦୨୩ରେ ଦୁବାଇରେ କପ୍ ୨୮ ଅବସରରେ, ଜୁନ ୨୦୨୪ରେ କେନ୍ଦ୍ର ସରକାରଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ଏବଂ ଅକ୍ଟୋବର ୨୦୨୪ରେ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ଭାରତ ଗସ୍ତ ସମୟରେ । ଅକ୍ଟୋବର ୨୦୨୪ରେ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ଭାରତ ଗସ୍ତ ସମୟରେ, ଭାରତ ଏବଂ ମାଳଦ୍ୱୀପ ଏକ ବ୍ୟାପକ ଆର୍ଥିକ ଏବଂ ସାମୁଦ୍ରିକ ସୁରକ୍ଷା ସହଭାଗୀତା ପାଇଁ ଏକ ମିଳିତ ସଂକଳ୍ପକୁ ନେଇ ସହମତ ହୋଇଥିଲେ । ଏହି ଗସ୍ତ ସମୟରେ ପିଡିଏମ ପ୍ରତିରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଭାରତକୁ ମାଳଦ୍ୱୀପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ପୁନଃପ୍ରତିଷ୍ଠା କରିଥିଲା । ଏହି ମିଳିତ ସଂକଳ୍ପର କାର୍ଯ୍ୟକାରିତା ଦିଗରେ ଅଗ୍ରଗତି ତଦାରଖ କରିବା ପାଇଁ ଏକ ଉଚ୍ଚ-ସ୍ତରୀୟ କୋର ଗ୍ରୁପ୍ ଗଠନ କରାଯାଇଛି । ଏହି ଗ୍ରୁପ୍ ଜାନୁଆରୀ ଏବଂ ମେ ୨୦୨୫ରେ ଯଥାକ୍ରମେ ମାଲେ ଏବଂ ଦିଲ୍ଲୀରେ ଦୁଇଥର ବୈଠକ କରିଛି । ସେବେଠାରୁ, ମାଳଦ୍ୱୀପରୁ ଭାରତକୁ ନିୟମିତ ରାଜନୈତିକ ଗସ୍ତ ହୋଇଛି । ବିଶେଷକରି ୨୦୨୫ରେ ଅର୍ଥ, ବୈଦେଶିକ, ପ୍ରତିରକ୍ଷା, ପରିବେଶ, ସୂଚନା ଓ କଳା, ସ୍ୱାସ୍ଥ୍ୟ ଆଦି ବିଭାଗର ମନ୍ତ୍ରୀ ଏବଂ ମାଳଦ୍ୱୀପ ମଜଲିସର ବାଚସ୍ପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଭାରତ ଗସ୍ତ କରିଥିଲା । ଭାରତରୁ, ବିଦେଶ ମନ୍ତ୍ରୀ ଅଗଷ୍ଟ ୨୦୨୪ରେ ମାଳଦ୍ୱୀପ ଗସ୍ତ କରିଥିଲେ । ଲାଇନ୍ ଅଫ୍ କ୍ରେଡିଟ୍, ଅନୁଦାନ, କ୍ରେତାଙ୍କ ଋଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ମାଳଦ୍ୱୀପ ପାଇଁ ଭାରତ ସର୍ବବୃହତ ବିକାଶ ସହଯୋଗୀ ମଧ୍ୟରୁ ଅନ୍ୟତମ । ୨୦୨୪ରେ ୪୦୦ ନିୟୁତ ଆମେରିକୀୟ ଡଲାର+୩,୦୦୦ କୋଟି ଟଙ୍କାର ମୁଦ୍ରା ବିନିମୟ, ୧୦୦ ନିୟୁତ ଡଲାର ଟ୍ରେଜେରୀ ବିଲ ଉପରେ ସୁଧଛାଡ଼ ରୋଲ୍ ଓଭର୍ ଆଜି ମାଧ୍ୟମରେ ଜରୁରୀକାଳୀନ ଆର୍ଥିକ ସହାୟତା ପ୍ରଦାନ କରିଛି । ୨୦୨୫ରେ ଭାରତ ଏବଂ ମାଳଦ୍ୱୀପ ଏଚଆଇସିଡିପିର ତୃତୀୟ ପର୍ଯ୍ୟାୟ ଅଧୀନରେ ମାଳଦ୍ୱୀପରେ ନୌକା ସେବାର ସମ୍ପ୍ରସାରଣ ଉପରେ ୧୩ଟି ରାଜିନାମାରେ ସ୍ୱାକ୍ଷର କରିଥିଲା । ଏଥିରେ ୧୦୦ ନିୟୁତ ଏମଭିଆରର ଅନୁଦାନ ସହାୟତା ସାମିଲ ରହିଛି । ଭାରତ ମଧ୍ୟ ମାଳଦ୍ୱୀପର ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀମାନଙ୍କ ମଧ୍ୟରୁ ଅନ୍ୟତମ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ପରିମାଣ ୫୪୮ ନିୟୁତ ଆମେରିକୀୟ ଡଲାରରୁ ଅଧିକ । ଭାରତୀୟମାନେ ମାଳଦ୍ୱୀପକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଏବଂ ଅନୁକୂଳ ନିବେଶ ସ୍ଥଳୀ ଭାବେ ବିବେଚନା କରି ଆସିଛନ୍ତି । ଭାରତର ଅନେକ ପ୍ରମୁଖ ବ୍ୟବସାୟୀ ପର୍ଯ୍ୟଟନ କ୍ଷେତ୍ର ଏବଂ ଅନ୍ୟାନ୍ୟ ଆର୍ଥିକ କାର୍ଯ୍ୟକଳାପରେ ନିବେଶ କରିଛନ୍ତି । ଦୁଇ ଦେଶର ସେନାବାହିନୀ ମଧ୍ୟରେ ନିୟମିତ ଅଭ୍ୟାସ, ସାମରିକ ଶକ୍ତି ଦୃଢ଼ୀକରଣ, ଉପକରଣ, ବିମାନ ଚଳାଚଳ ସମ୍ପତ୍ତି ଏବଂ ଜାହାଜର ଯୋଗାଣ ଓ ରକ୍ଷଣାବେକ୍ଷଣ ସହିତ ସେମାନଙ୍କର ସାମରିକ ବାହିନୀର ତାଲିମ ଜରିଆରେ ଏକ ଦୃଢ଼ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ରହିଆସିଛି । କଲମ୍ବୋ ସୁରକ୍ଷା ସମ୍ମିଳନୀ ସମେତ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ମଞ୍ଚରେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସହଯୋଗ ରହିଛି । ଆଗାମୀ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ମାଳଦ୍ୱୀପର ନେତୃବର୍ଗଙ୍କୁ ଭେଟି ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଦୁଇ ନେତା ‘ବ୍ୟାପକ ଆର୍ଥିକ ଏବଂ ସୁରକ୍ଷା ସାମୁଦ୍ରିକ ସହଭାଗୀତା’ର ମିଳିତ ସଂକଳ୍ପରେ ହୋଇଥିବା ପ୍ରଗତି ବିଷୟରେ ମଧ୍ୟ ସମୀକ୍ଷା କରିବେ । ଏହି ଗସ୍ତରେ ଦ୍ୱିପାକ୍ଷିକ ସହଯୋଗ କ୍ଷେତ୍ରରେ ବୁଝାମଣାପତ୍ର/ଚୁକ୍ତି ସ୍ୱାକ୍ଷର ଏବଂ ଭାରତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶ ସହଯୋଗ ପ୍ରକଳ୍ପ ଓ ପଦକ୍ଷେପର ଉଦଘାଟନ/ହସ୍ତାନ୍ତର ମଧ୍ୟ ହେବ । ପ୍ରଧାନମନ୍ତ୍ରୀଙ୍କ ମାଳଦ୍ୱୀପ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଗତି ଦେବ ବୋଲି ଆଶା କରାଯାଉଛି । ମାଳଦ୍ୱୀପ ହେଉଛି ଭାରତର ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଏବଂ ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଏବଂ ଦୃଷ୍ଟିକୋଣ ମହାସାଗରରେ ଏକ ବିଶେଷ ସ୍ଥାନ ଅଧିକାର କରିଛି ।
