
ପାରମ୍ପରିକ ଯୁଦ୍ଧ କ୍ଷେତ୍ରରେ ଭାରତର ଷ୍ଟ୍ରାଟେଜିକ କ୍ଷମତା ପାକିସ୍ତାନକୁ ପଛରେ ପକାଇଛି ପାକ ପରମାଣୁ ବ୍ଲାକମେଲିଂକୁ ବରଦାସ୍ତ କରାଯିବନି କହି ବିଶ୍ୱରେ ଭାରତ ନିଜ ନେତୃତ୍ୱ ପକ୍କା କରିଛି
ନୂଆଦିଲ୍ଲୀ, (ପିଆଇବି) : ଭାରତ-ପାକ ଭିତରେ ଚାରି ଦିନିଆ ଯୁଦ୍ଧ ପରେ ତଥାକଥିତ ଆଣବିକ ଶକ୍ତି ସମ୍ପନ୍ନ ପାକିସ୍ତାନ ଉପରେ ଭାରତ ବିଜୟ ହାସଲ କରିପାରିଛି । ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପାକିସ୍ତାନର କୌଣସି ଆଣବିକ ବ୍ଲାକମେଲକୁ ଭାରତ ସହ୍ୟ କରିିବ ନାହିଁ । ତେବେ ଏପ୍ରକାର ଆଣବିକ ବ୍ଲାକମେଲ ଛାୟାରେ ପାକିସ୍ତାନରେ କାମ କରୁଥିବା ବିଭିନ୍ନ ଆତଙ୍କୀ ଆଡ୍ଡାକୁ ଭାରତ ପ୍ରତିହତ କରିବ । ପାକିସ୍ତାନର ବିଭିନ୍ନ ଏୟାରବେସ ସମେତ ନିର୍ଦ୍ଦିଷ୍ଟ ଆତଙ୍କୀ ଆଡ୍ଡାରେ ଭାରତର ହମଲା ପ୍ରଧାନମନ୍ତ୍ରୀ ଏପ୍ରକାର ଦୃଢୋକ୍ତିକୁ ପ୍ରମାଣିତ କରୁଛି । ସୀମାପାର ଆତଙ୍କବାଦକୁ ପ୍ରତିହତ କରିବା ପାଇଁ ଅପରେସନ ସିନ୍ଦୂରର ଉଲ୍ଲେଖନୀୟ ଭୂମିକା ରହିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଆଧୁନିକ କାଳର ଯୁଦ୍ଧ ସମୟରେ ମରୁଭୂମି ଓ ପାର୍ବତ୍ୟାଂଚଳରେ ଭାରତ ପକ୍ଷରୁ ଉଚିତ ଜବାବ ଦିଆଯାଇ ଦେଶର ସାମରିକ ଶକ୍ତିକୁ ପ୍ରତିପାଦିତ କରାଯାଇଛି । ଏପ୍ରକାର ଯୁଦ୍ଧ ସମୟରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ରଗୁଡିକର ଶକ୍ତି ପ୍ରଦର୍ଶିତ ହୋଇଛି । ଏକବିଂଶ ଶତାବ୍ଦୀର ଯୁଦ୍ଧ ସମୟରେ ଭାରତରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ରର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ପାକିସ୍ତାନର ସୀମାପାର ଆତଙ୍କବାଦକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆକାଶତୀର ଓ ଏସ-୪୦୦ ମିସାଇଲ ପ୍ରତିହତ କରିପାରିଛି । ଆକାଶରେ ଯୁଦ୍ଧ କରିବା ଛଡା ମିଛ ଖବରକୁ ନେଇ ଭାରତ ଲଢିଥିଲା । ପାକିସ୍ତାନ ବିପକ୍ଷରେ ଲଢିବା ନେଇ ଯେତେବେଳେ ଭାରତ ପକ୍ଷରୁ ବିଶ୍ୱ ସମୁଦାୟକୁ ସୂଚିତ କରାଗଲା ସେବେ ଭାରତର ବିଜୟ ନେଇ ବୁଝିବାକୁ ବିଶ୍ୱ ସମୁଦାୟ ବାଧ୍ୟ ହେଲେ । ଶତ୍ରୁ ପକ୍ଷର ଡ୍ରୋନ ବା ମିସାଇଲ ଠାବ କରି ତାକୁ ଧ୍ୱଂସ କରିବାକୁ ଭାରତର ପରାକାଷ୍ଠା ସାରା ବିଶ୍ୱ ଦେଖିବାକୁ ପାଇଲା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭାରତୀୟ ନାଭିଗେସନ ସିଷ୍ଟମ ଦ୍ୱାରା ଶତ୍ରୁ ପକ୍ଷର ଡ୍ରୋନ ଠାବ କରାଯାଇ ବିଭିନ୍ନ ସ୍ଥାନରୁ ଇଂଟରସେପ୍ଟର ଦ୍ୱାରା ଶତ୍ରୁ ପକ୍ଷର ଯୋଜନାକୁ ପଣ୍ଡ କରାଗଲା । ଶତ୍ରୁ ପକ୍ଷର ଏୟାର ଡିଫେନ୍ସକୁ ଲକ୍ଷ୍ୟ କରି ନିର୍ଦ୍ଦିଷ୍ଟ ଭାବରେ ଲକ୍ଷ୍ୟ ଭେଦ କରି ସେଗୁଡିକୁ ଭାରତ ଧ୍ୱଂସ କରପାରିଛି । ମେ ୯ ଓ ମେ ୧୦ ଭିତରେ କରାଯାଇଥିବା ଏହି କାର୍ଯ୍ୟକୁ ପରବର୍ତୀ ସମୟରେ ସାରା ବିଶ୍ୱ ଜାଣିବାକୁ ପାଇଛି । ପାକିସ୍ତାନର କରାଚିଠାରୁ ମାତ୍ର ୧୦୦ ମାଇଲ ଦୂରରେ ଅବସ୍ଥିତ ଭୋଲାରି ଏୟାରବେସ ଉପରେ ଭାରତ ପକ୍ଷରୁ ମିସାଇଲ ମାଡ କରାଯାଇ ଏହାକୁ ଧ୍ୱଂସ କରାଯାଇଥିଲା । ପାକିସ୍ତାନୀ ସେନା ମୁଖ୍ୟାଳୟ ଓ ପାକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।।ଳୟଠାରୁ ଖୁବ କମ ଦୂରରେ ଅବସ୍ଥିତ ନୁର ଖାନ ଏୟାରବେସ ଉପରେ ବି ସେହି ରାତିରେ ଆକ୍ରମଣ କରାଯାଇଥିଲା । ପାକିସ୍ତାନର ଆଣବିକ ଶକ୍ତି କେନ୍ଦ୍ରକୁ ଜଗୁଥିବା ୟୁନିଟ ପାଖରେ ହିଁ ନୁର ଖାନ ଏୟାରବେସ ଅବସ୍ଥିତ । ଏପ୍ରକାର ବିଜୟ ପରେ ପାକିସ୍ତାନ ପକ୍ଷରୁ କୁହାଯାଉଥିବା ପରମାଣୁ ବ୍ଲାକମେଲିଂକୁ ନେଇ ଭାରତ ପକ୍ଷରୁ ଜବାବ ରଖାଗଲା । ପାକିସ୍ତାନର ପରମାଣୁ ବ୍ଲାକମେଲିଂକୁ ବରଦାସ୍ତ କରାଯିବ ନାହିଁ ଓ ଶତ୍ରୁ ପକ୍ଷର ସମସ୍ତ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ପାଖରେ ଯଥେଷ୍ଟ କ୍ଷମତା ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ରହିମ ୟାର ଖାନ ଏୟାରବେସର ରନବେ କାମ କରୁନଥିବା ପାକିସ୍ତାନ ପକ୍ଷରୁ କୁହାଯାଇଥିଲା । ପରେ ପାକିସ୍ତାନର କିଛି ପ୍ରମୁଖ ଏୟାରବେସ ଉପରେ ଭାରତ ପକ୍ଷରୁ ହମଲା କରାଯାଇଥିବା କୁହାଯାଇଥିଲା । ପାକିସ୍ତାନ ପଞ୍ଜାବ ପ୍ରୋଭିନ୍ସର ସରଗୋଧା ଏୟାରବେସର ଦୁଇ ସେକ୍ସନ ରନବେକୁ ନଷ୍ଟ କରାଯାଇଥିବା ଭାରତୀୟ ମିଲିଟାରୀ ପକ୍ଷରୁ ସୂଚନା ଦିଆଯାଇଥିଲା । ଅପରପକ୍ଷରେ ଭାରତର ଦୁଇ ଡଜନ ସାମରିକ ସ୍ଥାନ ଉପରେ ପାକିସ୍ତାନ ପକ୍ଷରୁ ହମଲା କରାଯାଇଥିବା କୁହାଯାଇଥିଲା ଯାହାର କିଛି ବି ଠୋସ ପ୍ରମାଣ ନାହିଁ । ଏପରିକି ନିଜେ ପ୍ରଧାନମନ୍ତ୍ରୀ ଆଦାମପୁର ବେସ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରି ଏପରି କିଛି ହୋଇନାହିଁ ବୋଲି ସୂଚନା ଦେଇଥିଲେ । ସାରା ବିଶ୍ୱର ଗ୍ଲୋବାଲ ଡିଫେନ୍ସ ଏକ୍ସପର୍ଟ ଓ ମିଡିଆକୁ ପାକିସ୍ତାନର ଏପରି ଅଭ୍ୟାସଗତ ମିଛ ସମ୍ବାଦ କଥା ପ୍ରଧାନମନ୍ତ୍ରୀ ପରେ କହିଥିଲେ । ଅର୍ଦ୍ଧ ଶତାବ୍ଦୀ ଭିତରେ ଦୁଇ ଆଣବିକ ଶକ୍ତି ସମ୍ପନ୍ନ ଦେଶ ଭିତରେ ଏହି ଚାରି ଦିନିଆ ବିବାଦ ସବୁଠାରୁ ଅଧିକ ଲମ୍ବା ଯୁଦ୍ଧ ଥିଲା । ଆଧୁନିକ କାଳରେ ଏହି ଯୁଦ୍ଧ ବେଳେ ଉଭୟ ଦେଶ ଶହ ଶହ ଡ୍ରୋନ ଓ ମିସାଇଲ ବ୍ୟବହାର କରିଥିଲେ । ପ୍ରଥମ ତିନି ଦିନରେ ଭାରତ ପକ୍ଷରୁ ପାକିସ୍ତାନର ବହୁତ କ୍ଷତି କରାଯାଇଥିଲା । ପାକିସ୍ତାନ ସହ କଥାବାର୍ତା ହେଲେ ଆତଙ୍କବାଦ ଓ ପିଓକେ ଉପରେ କରାଯିବ ବୋଲି ନିଜ ଅଭିଭାଷଣରେ ବିଶ୍ୱ ସମୁଦାୟକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତର ଆକ୍ରମଣ ପରେ ପାକିସ୍ତାନ ଖସି ଯିବାକୁ ବାଟ ଖୋଜିଲା । ଉତେଜନା ହ୍ରାସ ପାଇଁ ପାକିସ୍ତାନ ବିଶ୍ୱ ସମୁଦାୟକୁ କହିବା ଆରମ୍ଭ କଲା । ପ୍ରଭୂତ କ୍ଷତି ସହିବା ପରେ ପାକିସ୍ତାନ ସେନା ପକ୍ଷରୁ ଆମ ଡିଜିଏମଓଙ୍କ ସହ ମେ ୧୦ ଅପରାହ୍ଣରେ ହଟଲାଇନ ମାଧ୍ୟମରେ କଥାବାର୍ତା ହେଲା । ସେତେବେଳକୁ ପାକିସ୍ତାନର ବହୁ ଆତଙ୍କୀ ଭିତିଭୂମିକୁ ଭାରତ ପକ୍ଷରୁ ନଷ୍ଟ କରାଯାଇଥିଲା । ଆତଙ୍କବାଦୀମାନେ ସେତେବେଳକୁ ନିପାତ ହୋଇ ସାରିଥିଲେ । ପାକିସ୍ତାନ ଛାତିରେ ରହିଥିବା ବିଭିନ୍ନ କ୍ୟାମ୍ପକୁ ଭାରତ ପକ୍ଷରୁ ନଷ୍ଟ କରାଯାଇଥିଲା । ତେଣୁ ଯେତେବେଳେ କୌଣସି ଆତଙ୍କୀ କାର୍ଯ୍ୟକଳାପ କିମ୍ବା ସେନା କାର୍ଯ୍ୟାନୁଷ୍ଠାନ କରିବାକୁ ପାକିସ୍ତାନ ପକ୍ଷରୁ ମନା କରାଗଲା ସେବେ ଭାରତ ପକ୍ଷରୁ ଏହା ବିଚାର କରାଗଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶାନ୍ତିର ମାର୍ଗ ଶକ୍ତିର ବାଟ ଦେଇ ଗତି କରିଥାଏ । ଶାନ୍ତି ଓ ସମୃଦ୍ଧି ଆଡକୁ ମନୁଷ୍ୟ ସମାଜ ଆଗେଇବା ଉଚିତ । ପ୍ରତି ଭାରତୀୟ ଶାନ୍ତିରେ ସହବସ୍ଥାନ କରି ବିକଶିତ ଭାରତର ସ୍ୱପ୍ନ ଦେଖିବା ଉଚିତ । ଏଥିପାଇଁ ସବୁଠାରୁ ଶକ୍ତିଶାଳୀ ହେବାକୁ ଭାରତ ଉଦ୍ୟମ କରିବା ଉଚିତ । ଯେବେ ଆବଶ୍ୟକ ସେବେ ଭାରତ ଏହାର ଶକ୍ତି ବି ପ୍ରଦର୍ଶନ କରିବା ଉଚିତ । ଆତଙ୍କବାଦ ଓ କଥାବାର୍ତା ଏକାସହ ଚାଲି ପାରିବ ନାହିଁ ବୋଲି ବିଶ୍ୱ ସମୁଦାୟକୁ ଭାରତ କହିସାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଚାରି ଦିନିଆ ଯୁଦ୍ଧ ପରେ ଏବେ ସୀମାରେ ସାଧାରଣ ଲୋକେ ଶାନ୍ତିରେ ଓ ସ୍ୱାଭାବିକ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ଏହି ବିବାଦ ପରେ ଭାରତୀୟ ସଶସ୍ତ୍ର ସେନା ଆତ୍ମରକ୍ଷା ସହ ପ୍ରତିରକ୍ଷା କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିପାରିଛି । ଆଗାମୀ ଦିନରେ କୌଣସି ଆଣବିକ ବ୍ଲାକମେଲିଂକୁ ଭାରତ ସହ୍ୟ କରିବ ନାହିଁ ବୋଲି ଏହାରି ଭିତରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହି ଚାରି ଦିନିଆ ଭାରତ-ପାକ ବିବାଦରୁ ସାରା ବିଶ୍ୱ ଅନେକ କିଛି ଶିଖିବାକୁ ପାଇଛି । ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଫଳରେ ଆକାଶ, ଇଲେକ୍ଟ୍ରୋନିକ୍ସ ଓ ଏଆଇ ବ୍ୟବହାର ନେଇ ଭାରତ ଖୁବ ଆଗେଇ ପାରିଥିବା ଜାଣିବାକୁ ମିଳିଛି । ସ୍ୱଦେଶୀ ନାଭିଗେସନ ସିଷ୍ଟମ, ଏୟାର ଡିଫେନ୍ସ ଦକ୍ଷତା, ଶତ୍ରୁ ଶିବିରରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦ ପରି ଅନେକ ବୈଶିଷ୍ଟ୍ୟରେ ଭାରତୀୟ ସେନା ଏବେ ଋଦ୍ଧିମନ୍ତ । ରାଡାର ମାଧ୍ୟମରେ ଆକାଶରେ ଶତ୍ରୁ ପକ୍ଷର ଡ୍ରୋନ ଠାବ, ଏଆଇ ଟେକ୍ନୋଲଜି ମାଧ୍ୟମରେ ଜଳ, ସ୍ଥଳ, ଆକାଶରୁ ଲକ୍ଷ୍ୟଭେଦ ପରି ବିଭିନ୍ନ କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକା ସାରା ବିଶ୍ୱରେ ପ୍ରଶଂସାଭାଜକ ହୋଇପାରିଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଧୀନରେ ସ୍ୱଦେଶୀ ଜ୍ଞାନ କୌଶଳ ଏବେ ସାରା ବିଶ୍ୱରେ ଚହଳ ପକାଇଛି ।