ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ପଡକାଷ୍ଟରେ ଉଦ୍ୟୋଗୀ ତଥା ନିବେଶକ ନିଖିଲ କାମାଥଙ୍କ ସହ ବିଭିନ୍ନ ବିଷୟ ଉପରେ ମତ ବିନିମୟ କରିଛନ୍ତି । ଏହି ସ୍ପଷ୍ଟ ବାର୍ତ୍ତାଳାପରେ ତାଙ୍କ ପିଲାଦିନ ବିଷୟରେ ପଚରାଯିବାରୁ ପ୍ରଧାନମନ୍ତ୍ରୀ ଉତ୍ତର ଗୁଜରାଟ ମେହସାନା ଜିଲ୍ଲାର ଛୋଟ ସହର ବଡ଼ନଗରରେ ପଡ଼ିଥିବା ତାଙ୍କ ମୂଳଦୁଆ ଉପରେ ଆଲୋକପାତ କରି ତାଙ୍କ ପ୍ରାରମ୍ଭିକ ଜୀବନର ଅଭିଜ୍ଞତା ବାଣ୍ଟିଥିଲେ । ସେ କହିଥିଲେ ଯେ ପୂର୍ବତନ ଗାଏକୱାଡ଼ ରାଜ୍ୟ ସହର ବଡ଼ନଗର ଶିକ୍ଷା ପ୍ରତି ପ୍ରତିବଦ୍ଧତା ପାଇଁ ଜଣାଶୁଣା, ଯେଉଁଠାରେ ପୋଖରୀ, ଡାକଘର ଏବଂ ପାଠାଗାର ଭଳି ଅତ୍ୟାବଶ୍ୟକ ସୁବିଧା ରହିଛି । ପ୍ରଧାନମନ୍ତ୍ରୀ ଗାଏକୱାଡ ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଏବଂ ଭଗବତାଚାର୍ଯ୍ୟ ନାରାୟଣଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟରେ ତାଙ୍କ ସ୍କୁଲ ଦିନର ସ୍ମୃତିଚାରଣ କରିଥିଲେ । ବଡ଼ନଗରରେ ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇଥିବା ଚୀନ୍ ଦାର୍ଶନିକ ଜୁଆନଜାଙ୍ଗଙ୍କ ଉପରେ ଏକ ଚଳଚ୍ଚିତ୍ର ବିଷୟରେ ସେ ଥରେ ଚୀନ୍ ଦୂତାବାସକୁ କିପରି ଲେଖିଥିଲେ ସେ ବିଷୟରେ ଏକ ଆକର୍ଷଣୀୟ କାହାଣୀ ଶ୍ରୀ ମୋଦୀ କହିଥିଲେ । ସେ ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ହେବା ସମୟର ଏକ ଅନୁଭୂତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେତେବେଳେ ଜୁଆନଜାଙ୍ଗ ଓ ନିଜ ସହର ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ଦର୍ଶାଇ ଗୁଜରାଟ ଏବଂ ବଡ଼ନଗର ଗସ୍ତ କରିବା ଲାଗି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କିପରି ଇଚ୍ଛା ବ୍ୟକ୍ତ କରିଥିଲେ ତାହା କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ସମ୍ପର୍କ ଦୁଇ ଦେଶ ମଧ୍ୟରେ ସହଭାଗୀ ଐତିହ୍ୟ ଏବଂ ଦୃଢ଼ ସମ୍ପର୍କକୁ ଦର୍ଶାଉଛି । ତାଙ୍କ ଛାତ୍ର ଜୀବନ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ନିଜକୁ ଜଣେ ସାଧାରଣ ଛାତ୍ର ଭାବେ ବର୍ଣ୍ଣନା କରିଥିଲେ, ଯାହାଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଉନଥିଲା । ସେ ବିନା କୌଣସି ପ୍ରୟାସରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପସନ୍ଦ କରୁଥିଲେ ଏବଂ ବିଭିନ୍ନ କାର୍ଯ୍ୟକଳାପ ପ୍ରତି ଅଧିକ ଆଗ୍ରହୀ ଥିଲେ । ସେ କହିଥିଲେ ଯେ ତାଙ୍କର ସ୍ୱଭାବ ହେଉଛି ଶୀଘ୍ର ନୂଆ ଜିନିଷ ସଂଗ୍ରହ କରିବା ଏବଂ ବିଭିନ୍ନ କାର୍ଯ୍ୟକଳାପରେ ନିୟୋଜିତ ହେବା । ପ୍ରଧାନମନ୍ତ୍ରୀ ତାଙ୍କର ଅନନ୍ୟ ଯାତ୍ରା ବିଷୟରେ କହିଥିଲେ, ଯେଉଁଥିରେ ସେ ବହୁତ କମ୍ ବୟସରେ ଘର ଛାଡ଼ିଥିଲେ ଏବଂ ତାଙ୍କ ପରିବାର ତଥା ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ହରାଇଥିଲେ । ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ, ତାଙ୍କର କିଛି ଇଚ୍ଛା ଥିଲା, ଯେଉଁଥିରେ ତାଙ୍କ ପୁରୁଣା ସହପାଠୀମାନଙ୍କ ସହ ପୁନର୍ମିଳନ କରିବା ଏବଂ ପ୍ରାୟ ୩୦-୩୫ ବନ୍ଧୁମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିମନ୍ତ୍ରଣ କରିବା ସାମିଲ ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଅନୁଭବ କରିଥିଲେ ଯେ ସାଙ୍ଗମାନେ ତାଙ୍କୁ ସେମାନଙ୍କର ପୁରୁଣା ବନ୍ଧୁ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଭାବରେ ଦେଖୁଥିଲେ । ରାଜନୀତିରେ ଜଣେ ରାଜନେତାଙ୍କ ପାଇଁ ଏକ ପ୍ରତିଭା ଭାବରେ କ’ଣ ବିଚାର କରାଯାଇପାରିବ ବୋଲି ପଚରାଯିବାରୁ ଶ୍ରୀ ମୋଦୀ ଉତ୍ତର ଦେଇଥିଲେ ଯେ ଜଣେ ରାଜନେତା ହେବା ଏବଂ ରାଜନୀତିରେ ସଫଳ ହେବା ଦୁଇଟି ଭିନ୍ନ ଜିନିଷ । ସେ କହିଥିଲେ ଯେ ରାଜନୀତିରେ ସଫଳତା ପାଇଁ ଲୋକମାନଙ୍କ ସୁଖ-ଦୁଃଖ ପ୍ରତି ସମର୍ପଣ, ପ୍ରତିବଦ୍ଧତା ଏବଂ ସହାନୁଭୂତି ଅପରିହାର୍ଯ୍ୟ । ଜଣେ ପ୍ରଭାବଶାଳୀ ନେତା ହେବା ପରିବର୍ତ୍ତେ ଜଣେ ଭଲ ଦଳର ଖେଳାଳି ହେବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ । ଦେଶର ଏକ ଲକ୍ଷ ଯୁବକ-ଯୁବତୀ ଉଚ୍ଚ ମହତ୍ୱାକାଂକ୍ଷା ପରିବର୍ତ୍ତେ ମିଶନ ପରିଚାଳିତ ଆଭିମୁଖ୍ୟ ନେଇ ରାଜନୀତିରେ ଯୋଗ ଦେବାର ଆବଶ୍ୟକତାକୁ ଶ୍ରୀ ମୋଦୀ ଦୋହରାଇଥିଲେ । ସେ କହିଥିଲେ ଯେ ଉଦ୍ୟୋଗୀମାନେ ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଥିବା ବେଳେ ରାଜନୀତିରେ ଆତ୍ମ-ତ୍ୟାଗ ଏବଂ ଦେଶକୁ ପ୍ରଥମେ ରଖିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ରାଜନୀତି କେବଳ ନିର୍ବାଚନ ଲଢ଼ିବା ପାଇଁ ନୁହେଁ, ବରଂ ସାଧାରଣ ଲୋକଙ୍କ ହୃଦୟ ଜିତିବା ପାଇଁ ଉଦ୍ଦିଷ୍ଟ, ଯେଉଁଥିପାଇଁ ସେମାନଙ୍କୁ ସେମାନଙ୍କ ମଧ୍ୟରେ ରହିବାକୁ ପଡ଼ିବ ଏବଂ ସେମାନଙ୍କ ଜୀବନ ସହିତ ଯୋଡ଼ି ହେବାକୁ ପଡ଼ିବ । ଆଦର୍ଶବାଦ ଏବଂ ବିଚାରଧାରାର ଗୁରୁତ୍ୱ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ମାର୍ଗଦର୍ଶକ ନୀତି ସର୍ବଦା ‘ରାଷ୍ଟ୍ର ପ୍ରଥମ’ ରହିଛି । ସେ କହିଥିଲେ ଯେ ଏହି ବିଚାରଧାରା ପାରମ୍ପରିକ ଓ ଆଦର୍ଶଗତ ସୀମାକୁ ଅତିକ୍ରମ କରିଥାଏ, ଯାହା ତାଙ୍କୁ ନୂତନ ବିଚାରକୁ ଗ୍ରହଣ କରିବା ଓ ପୁରୁଣା ବିଚାରଗୁଡ଼ିକୁ ପରିତ୍ୟାଗ କରିବା ପାଇଁ ସୁଯୋଗ ଦେଇଥାଏ, ଯଦି ସେଗୁଡ଼ିକ ରାଷ୍ଟ୍ରର ସ୍ୱାର୍ଥ ସାଧନ କରିଥାନ୍ତି । ସେ କହିଥିଲେ ଯେ ତାଙ୍କର ଅତୁଟ ମାନଦଣ୍ଡ ହେଉଛି ‘ରାଷ୍ଟ୍ର ପ୍ରଥମ’ ବା ନେସନ୍ ଫର୍ଷ୍ଟ । ସାର୍ବଜନୀନ ଜୀବନରେ ଯୁବ ରାଜନେତାମାନେ କିପରି ଟ୍ରୋଲ୍ ଏବଂ ଅବାଞ୍ଛିତ ସମାଲୋଚନାର ମୁକାବିଲା କରିବା ଉଚିତ ବୋଲି ପଚରାଯିବାରୁ ଶ୍ରୀ ମୋଦୀ ରାଜନୀତିରେ ସମ୍ବେଦନଶୀଳ ବ୍ୟକ୍ତିବିଶେଷଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଖୁସି ଅନୁଭବ କରନ୍ତି । ସେ କହିଥିଲେ ଯେ ଗଣତନ୍ତ୍ରରେ ଆରୋପ ଏବଂ ପ୍ରତ୍ୟାରୋପକୁ ସ୍ୱୀକାର କରିବା ଆବଶ୍ୟକ, କିନ୍ତୁ ଯଦି ଜଣେ ଠିକ୍ ଏବଂ କୌଣସି ଭୁଲ୍ କରିନାହିଁ, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ପ୍ରଧାନମନ୍ତ୍ରୀ ୨୦୦୨ ଗୁଜରାଟ ନିର୍ବାଚନ ଏବଂ ଗୋଧରା ଘଟଣା ସମେତ ବ୍ୟକ୍ତିଗତ ଜୀବନର ଘଟଣା ବିଷୟରେ ମନ ଖୋଲି କହିଥିଲେ । ସେ ଆହ୍ୱାନପୂର୍ଣ୍ଣ ସମୟରେ ନିଜର ମନୋଭାବ ଓ ଦାୟିତ୍ୱକୁ କିପରି ପରିଚାଳନା କରିଥିଲେ ତାହା ଉପରେ ଆଲୋକପାତ କରିଥିଲେ । ପ୍ରାକୃତିକ ମାନବୀୟ ପ୍ରବୃତ୍ତିରୁ ଉର୍ଦ୍ଧ୍ବରେ ରହି ନିଜର ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି କ୍ରମରେ ଭୟ ଦୂର କରିବା ଲାଗି ଅନାବଶ୍ୟକ ଚାପ ସୃଷ୍ଟି ନକରି ନିଜର ନିୟମିତ କାର୍ଯ୍ୟକଳାପର ଅଂଶବିଶେଷ ଭାବେ ପରୀକ୍ଷା ଦେବା ଲାଗି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାକୁ ନିଜ ଜୀବନର ନିୟମିତ ଅଂଶ ଭାବେ ଗ୍ରହଣ କରିବା ପାଇଁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ । ବିଫଳତାରୁ ଶିକ୍ଷା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୨ ଉତକ୍ଷେପଣର ବିଫଳତା ଉପରେ ଆଲୋକପାତ କରିଥିଲେ । ଏହି ବିଫଳତାର ଦାୟିତ୍ୱ ସେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ବୈଜ୍ଞାନିକମାନଙ୍କୁ ଆଶାବାଦୀ ରହିବାକୁ ପ୍ରେରଣା ଦେଇଥିଲେ । ରାଜନୀତିରେ ବିପଦ ମୁଣ୍ଡାଇବା, ଯୁବ ନେତାମାନଙ୍କୁ ସମର୍ଥନ କରିବା ଏବଂ ସେମାନଙ୍କୁ ଦେଶ ପାଇଁ କାମ କରିବାକୁ ଉତ୍ସାହିତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ରାଜନୀତିକୁ ପ୍ରତିଷ୍ଠା ଦେବା ଏବଂ ଭଲ ଲୋକଙ୍କୁ ଏଥିରେ ଯୋଗଦେବାକୁ ଉତ୍ସାହିତ କରିବା ଦ୍ୱାରା ଏହି କ୍ଷେତ୍ରର ଶୁଦ୍ଧିକରଣ ହୋଇପାରିବ । ପରିବର୍ତ୍ତିତ ପରିସ୍ଥିତିରେ ଉତ୍ତମ ନୀତି ଏବଂ ସେଗୁଡ଼ିକର କାର୍ଯ୍ୟକାରିତାର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତତ୍ତ୍ୱାବଧାନରେ ବିକଶିତ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ଏକ ଉଦାହରଣ ପ୍ରଦାନ କରିଥିଲେ, ଯାହା ସର୍ବାଧିକ ଅବହେଳିତ ଆଦିବାସୀ ସମ୍ପ୍ରଦାୟକୁ ସହାୟତା କରିବା ପାଇଁ ଉଦ୍ଦିଷ୍ଟ । ସେ ଉଲ୍ଲେଖ କରିଥିଲେ ଯେ ଯଦିଓ ଏହି ପଦକ୍ଷେପ ଦ୍ୱାରା ରାଜନୈତିକ ଲାଭ ମିଳିପାରିବ ନାହିଁ, ତଥାପି ୨୫୦ଟି ସ୍ଥାନରେ ୨୫ ଲକ୍ଷ ଲୋକଙ୍କ ଜୀବନ ଉପରେ ଏହାର ଗଭୀର ପ୍ରଭାବ ରହିଛି । ‘‘ସର୍ବନିମ୍ନ ସରକାର, ସର୍ବାଧିକ ଶାସନ’’ର ଧାରଣା ବିଷୟରେ ପଚରାଯିବାରୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ଏହାର ଅର୍ଥ ନୁହେଁ ମନ୍ତ୍ରୀ କିମ୍ବା କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା, ବରଂ ଏହା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ଅମଲାତାନ୍ତ୍ରିକ ବୋଝ ହ୍ରାସ କରିବା ଉପରେ ଧ୍ୟାନ ଦେଇଥାଏ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ନାଗରିକମାନଙ୍କ ଉପରେ ବୋଝ ହ୍ରାସ କରିବା ପାଇଁ ପ୍ରାୟ ୪୦,୦୦୦ ଅନୁପାଳନକୁ ସମାପ୍ତ କରାଯାଇଛି । ସେ ଉଲ୍ଲେଖ କରିଥିଲେ ଯେ ପାଖାପାଖି ୧୫୦୦ ପୁରୁଣା ଆଇନକୁ ଉଚ୍ଛେଦ କରାଯାଇଛି ଏବଂ ଅପରାଧିକ ଆଇନରେ ସଂସ୍କାର ଅଣାଯାଇଛି । ଆଲୋଚନା ଶେଷରେ ଶ୍ରୀ ମୋଦୀ ଦେଶର ଯୁବପିଢ଼ି ଓ ମହିଳାମାନଙ୍କୁ ସମ୍ବୋଧିତ କରି ରାଜନୀତିରେ ନେତୃତ୍ୱ ଏବଂ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁବତୀମାନଙ୍କୁ ସ୍ଥାନୀୟ ଶାସନରେ ୫୦ ପ୍ରତିଶତ ସଂରକ୍ଷଣର ଲାଭ ଉଠାଇବାକୁ ଏବଂ ବିଧାନସଭା ଓ ସଂସଦରେ ପ୍ରସ୍ତାବିତ ୩୩ ପ୍ରତିଶତ ସଂରକ୍ଷଣ ସହିତ ନେତୃତ୍ୱ ଭୂମିକା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ସେ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ରାଜନୀତିକୁ ନକାରାତ୍ମକ ଭାବରେ ନ ଦେଖିବା ଏବଂ ଏକ ମିଶନ ପରିଚାଳିତ ଆଭିମୁଖ୍ୟ ସହିତ ସାର୍ବଜନୀନ ଜୀବନରେ ଜଡିତ ହେବାକୁ ଅନୁରୋଧ କରିଥିଲେ । ସେ ଏପରି ନେତାମାନଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯେଉଁମାନେ ସୃଜନଶୀଳ, ସମାଧାନ-ଭିତ୍ତିକ ଏବଂ ରାଷ୍ଟ୍ରର ପ୍ରଗତି ପାଇଁ ଉତ୍ସର୍ଗୀକୃତ । ସେ ଉଲ୍ଲେଖ କରିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଆଜିର ଯୁବପିଢ଼ି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦେଶକୁ ବିକାଶ ଦିଗରେ ଆଗେଇ ନେବେ ।