ପ୍ରବାସୀ ଭାରତୀୟ ଦିବସ : ‘‘ସବୁଜ ସଂଯୋଗ: ଦୀର୍ଘସ୍ଥାୟୀ ବିକାଶରେ ପ୍ରବାସୀଙ୍କ ଯୋଗଦାନ’’ ଶୀର୍ଷକ ଅଧିବେଶନ

● ଭାରତର ଶକ୍ତି ଉତ୍ପାଦନରେ ଅକ୍ଷୟ ଶକ୍ତିର ଯୋଗଦାନ ୪୫ ପ୍ରତିଶତ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
● ଓଡ଼ିଶାରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ, ବର୍ତ୍ତମାନ ୭୩ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ କାମ ଚାଲିଛି : ଶ୍ରୀ ବୈଷ୍ଣବ
● ଭାରତରେ ବାର୍ଷିକ ପ୍ରାୟ ୬ହଜାର କିଲୋମିଟର ରେଳ ମାର୍ଗର ବିଦ୍ୟୁତିକରଣ ହେଉଛି : ରେଳ ମନ୍ତ୍ରୀ
● ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତି (ଆଇଟି)ର ଏକ ପ୍ରମୁଖ ପେଣ୍ଠସ୍ଥଳୀରେ ପରିଣତ କରାଯିବ; ମହାକୁମ୍ଭ ପାଇଁ ଓଡ଼ିଶାରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ : ଶ୍ରୀ ବୈଷ୍ଣବ

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସବୁଜ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ବର୍ତ୍ତମାନ ଦେଶରେ ଉତ୍ପାଦିତ ଶକ୍ତିରେ ଅକ୍ଷୟ ଶକ୍ତିର ଭାଗ ୪୫ ପ୍ରତିଶତ ରହିଛି ବୋଲି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଭୁବନେଶ୍ୱର ଠାରେ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ‘‘ସବୁଜ ସଂଯୋଗ : ଦୀର୍ଘସ୍ଥାୟୀ ବିକାଶରେ ପ୍ରବାସୀଙ୍କ ଯୋଗଦାନ’’ ବିଷୟବସ୍ତୁ ଉପରେ ମତ ରଖି ସେ କହିଛନ୍ତି, ସବୁଜ ଶକ୍ତି ଏବଂ ଦୀର୍ଘସ୍ଥାୟୀ ବିକାଶ ପାଇଁ ପ୍ରଯୁକ୍ତିର ବିକାଶ ଗୁରୁତ୍ୱପୂର୍ଣ୍ଣ । ଭାରତ ଏହି କ୍ଷେତ୍ରରେ ଅଧିକ ଆଗକୁ ବଢ଼ିବା ପାଇଁ ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ । ଭାରତ ଆଜି ନୂଆ ପ୍ରଯୁକ୍ତି ଉଦ୍ଭାବନ କ୍ଷେତ୍ରରେ ଏକାଗ୍ରଚିତ୍ତ ହୋଇ କାମ କରୁଛି । ଶ୍ରୀ ବୈଷ୍ଣବ କହିଛନ୍ତି, ବିଶ୍ୱରେ ମାତ୍ର ୪ଟି ଦେଶ ପାଖରେ ହାଇଡ୍ରୋଜେନ ଇନ୍ଧନ ପରିଚାଳିତ ଟ୍ରେନ ରହିଛି । ଅଧିକାଂଶ ଦେଶ ୫୦୦ରୁ ୬୦୦ ଅଶ୍ୱଶକ୍ତି ବିଶିଷ୍ଟ ଟ୍ରେନ୍ ବିକଶିତ କରିଛନ୍ତି । କିନ୍ତୁ ଭାରତ ନିଜସ୍ୱ ଇଞ୍ଜିନିୟର ଏବଂ ସରଞ୍ଜାମ ଉପଯୋଗ କରି ୧୨୦୦ ଅଶ୍ୱଶକ୍ତି ଉତ୍ପାଦନ କରୁଥିବା ହାଇଡ୍ରୋଜେନ୍ ଟ୍ରେନ ବିକଶିତ କରିଛି । ଅନ୍ୟପକ୍ଷରେ ଭାରତ ପରିବହନ କ୍ଷେତ୍ରରେ ବିକଳ୍ପ ସ୍ୱଚ୍ଛ ଇନ୍ଧନ ଉପଯୋଗ କରିବା ଉପରେ ମଧ୍ୟ ଜୋର ଦେଉଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ । ସେ କହିଥିଲେ, ଅନ୍ୟ ପରିବହନ ମାଧ୍ୟମ ତୁଳନାରେ ରେଳ ମାଧ୍ୟମରେ ମାଲ୍ ପରିବହନ ଦ୍ୱାରା ୯୦ ପ୍ରତିଶତ କମ୍ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ । ରେଳ ଟ୍ରାକ ଗୁଡ଼ିକର ଶତପ୍ରତିଶତ ବିଦ୍ୟୁତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଥିଲେ । ୨୦୧୪ରେ ବର୍ଷକୁ ମାତ୍ର ୫୦୦ କିଲୋମିଟର ରେଳ ମାର୍ଗର ବିଦ୍ୟୁତିକରଣ ହେଉଥିବା ବେଳେ ବର୍ତ୍ତମାନ ବାର୍ଷିକ ପ୍ରାୟ ୬ହଜାର କିଲୋମିଟର ରେଳ ମାର୍ଗର ବିଦ୍ୟୁତିକରଣ ହେଉଛି । ରାଜପଥରେ ଡିଜେଲ୍ ଇନ୍ଧନ ବ୍ୟୟ କରି ଟ୍ରକରେ ମାଲ ପରିବହନ ଦ୍ୱାରା ଯେତିକି ପ୍ରଦୂଷଣ ହୋଇଥାଏ, ଏହା ତୁଳନାରେ ବିଦ୍ୟୁତ ଚାଳିତ ଟ୍ରେନରେ ୯୮ ପ୍ରତିଶତ କମ୍ ପ୍ରଦୂଷଣ ହୋଇଥାଏ ବୋଲି ଶ୍ରୀ ବୈଷ୍ଣବ କହିଥିଲେ । ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଲାଗି ଆହ୍ୱାନ କରି ଶ୍ରୀ ବୈଷ୍ଣବ କହିଥିଲେ, ଆମେ ଦୀର୍ଘସ୍ଥାୟୀ ଶକ୍ତି ଉତ୍ପାଦନ ମୂଲ୍ୟ ଶୃଙ୍ଖଳାର ମୂଳ ସରଞ୍ଜାମ ପ୍ରସ୍ତୁତ କରିବା ଲାଗି ସକ୍ଷମ ହେବା ଉଚିତ୍ । ହାଇଡ୍ରୋଜେନ୍ ଶକ୍ତି ଉତ୍ପାଦନ ପାଇଁ ଆବଶ୍ୟକ ଉପକରଣ, ଆୟନ ଓ ଲିଥିୟମ ସେଲ୍ ନିର୍ମାଣ ଭଳି ପ୍ରଯୁକ୍ତି ହାସଲ କରିବା ଦିଗରେ ଭାରତ ପ୍ରୟାସ କରୁଥିବା ସେ କହିଥିଲେ । ଅଧିବେଶନ ଅବସରରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଆମ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରାଯିବା ବହୁତ ଖୁସିର ବିଷୟ । ସାରା ବିଶ୍ୱର ଭାରତୀୟ ବଂଶୋଦ୍ଭବମାନେ ଆସି ଓଡ଼ିଶାର ସଂସ୍କୃତିକୁ ଉପଭୋଗ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହଯୋଗକ୍ରମେ ଆମେ ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତି (ଆଇଟି)ର ଏକ ପ୍ରମୁଖ ପେଣ୍ଠସ୍ଥଳୀରେ ପରିଣତ କରିବୁ । ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ୍ ଲର୍ଣ୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି ୨.୦ରେ ରାଜ୍ୟର ଯୁବବର୍ଗଙ୍କୁ କୁଶଳୀ କରିବା ପାଇଁ ଲକ୍ଷ୍ୟ ରହିଛି । ଅଳ୍ପ କିଛି ମାସ ମଧ୍ୟରେ ଏ ଦିଗରେ ପ୍ରଥମ ପଦକ୍ଷେପ ନିଆଯିବା ଲାଗି ଆଜି ଆଲୋଚନା ହୋଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ ୧ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭୩ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ କାମ ଜାରି ରହିଛି । ସେ ବିଷୟରେ ଏବଂ ନୂଆ ରେଳ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା ହୋଇଛି । ମହାକୁମ୍ଭ ପାଇଁ ଓଡ଼ିଶାରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଥିଲେ ।

Leave A Reply

Your email address will not be published.