jayashree

ପୁଷ୍ଟିହୀନତା ଦୂର ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସାତକୋଶିଆ-ଟିକରପଡା ଅଂଚଳରେ ସ୍ନେହ ପ୍ରକଳ୍ପ ଆରମ୍ଭ

  • ପୁଷ୍ଟିହୀନତା ଦୂର ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସାତକୋଶିଆ-ଟିକରପଡା ଅଂଚଳରେ ସ୍ନେହ ପ୍ରକଳ୍ପ ଆରମ୍ଭ
  • ବନ ବିଭାଗର ସହଭାଗିତାରେ ଆରମ୍ଭ, ଉପକୃତ ହେବେ ୭୦୦ରୁ ଅଧିକ ପରିବାର
  • ଅସହାୟଙ୍କୁ ମିଳିବ ସହାୟତା, ମଣିଷ-ବନ୍ୟଜନ୍ତୁ ବିବାଦ କମିବ

ଅନୁଗୁଳ : ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଅଙ୍ଗ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲା ଟିକରପଡା ଅଞ୍ଚଳର ଧଉରାଗୋଠ ଗାଁରେ ସ୍ନେହ ପ୍ରକଳ୍ପ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ସାତକୋଶିଆ ବନ୍ୟଜନ୍ତୁ ଡିଏଫ୍ଓ ସରୋଜ ପଣ୍ଡା ଉଦ୍‌ଘାଟନ କରିଥିବା ବେଳେ ଅନୁଗୁଳ ସିଡିଏମ୍‌ଓ ଡାକ୍ତର ଶିବାନନ୍ଦ ମହାନ୍ତି, ଏସ୍‌ଡିଭିଓ ଡାକ୍ତର କେଶବ ଚନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ର, ସରପଞ୍ଚ ସୌଦାମିନୀ ପ୍ରଧାନ, ସାତକୋଶିଆ ଜୈବ ବିବିଧତା ସଂରକ୍ଷଣର ଅଧ୍ୟକ୍ଷ ଅନନ୍ତ ବାସୁଦେବ ମହାନ୍ତିଙ୍କ ସମେତ ସ୍ଥାନୀୟ ନେତା ଦିଲେଶ୍ୱର ପ୍ରଧାନ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଦୋଳ ବେହେରା ଏବଂ ନୀଳକଣ୍ଠ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସ୍ନେହ ପ୍ରକଳ୍ପ ଜରିଆରେ ଜିନ୍ଦଲ ଫାଉଣ୍ଡେସନ ସାରା ଭାରତରେ ଅଭାବି ଏବଂ ବଞ୍ଚିତ ଲୋକଙ୍କୁ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେଇଆସୁଛି । ଏହି କାର୍ଯ୍ୟକ୍ରମରେ ଆଦିବାସୀ ଜିଲ୍ଲାଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ବନ ବିଭାଗର ସହଯୋଗରେ ଜିନ୍ଦଲ ଫାଉଣ୍ଡେସନ ଏହି ପଦକ୍ଷେପକୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ପାରିପାର୍ଶ୍ୱିକ ଗ୍ରାମକୁ କେନ୍ଦ୍ରିତ କରିଛି, ଯାହା ମୂଳ ଅଭୟାରଣ୍ୟ ବାହାରେ ପୁନଃ ଅବସ୍ଥାପିତ ପରିବାରର ପୁଷ୍ଟିକର ଖାଦ୍ୟ ସମସ୍ୟାର ସମାଧାନ କରିପାରିବ । ଏହି ପଦକ୍ଷେପ ଅସହାୟ ସମ୍ପ୍ରଦାୟକୁ ସମର୍ଥନ କରୁଥିବାବେଳେ ମାନବ-ବନ୍ୟଜନ୍ତୁ ବିବାଦକୁ ଦୂର କରିବା ପାଇଁ ହୋଇଥିବା ରଣନୀତିକୁ ସହାୟକ ହେବ ବୋଲି ଆଶା କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୭୦୦ରୁ ଅଧିକ ଚିହ୍ନିତ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଲୋକଙ୍କ ଆବଶ୍ୟକତାର ପୁନଃ ମୂଲ୍ୟାଙ୍କନ କରି ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମର ପରିସରକୁ ବିସ୍ତାର କରାଯିବ । ଏହି ଉତ୍ତମ ପଦକ୍ଷେପ ପାଇଁ ବନ ବିଭାଗ ଏବଂ ଜିନ୍ଦଲ ଫାଉଣ୍ଡେସନର ଟିମ୍‌କୁ ଧନ୍ୟବାଦ ଦେବା ସହ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି, “ଜଙ୍ଗଲର ଭୌଗଳିକ ଅବସ୍ଥିତି ହେଉଛି ଆମ ମାତୃ ପୃଥିବୀର ଫୁସଫୁସ ଭଳି ଏବଂ ଜଙ୍ଗଲର ପରିବେଶ ସହିତ ଏକ ସମୃଦ୍ଧ ସମ୍ପର୍କ ଥିବା ଜଙ୍ଗଲ ବାସିନ୍ଦାମାନେ ଏହି ମୂଲ୍ୟବାନ ପ୍ରାକୃତିକ ସମ୍ପଦର ଚରମ ସଂରକ୍ଷଣକାରୀ । ମୁଁ ନିଶ୍ଚିତ ଯେ ଜିନ୍ଦଲ ଫାଉଣ୍ଡେସନର ଏହି ପଦକ୍ଷେପ ଏହି ଅଞ୍ଚଳର ଜଙ୍ଗଲବାସୀଙ୍କ ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବ । ଏହି ଅବସରରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସମ୍ପର୍କରେ ସଚେତନ କରିବା ପାଇଁ ଏକ ସଚେତନତା ରଥ ବାହାରିଥିଲା । ଏହି ରଥ ଗାଁ ଗାଁ ବୁଲି ଡେଙ୍ଗୁ ଏବଂ ମ୍ୟାଲେରିଆ ସମ୍ପର୍କରେ ସଚେତନତା ସୃଷ୍ଟି କରିବ । ସେହିପରି ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରିତା ପାଇଁ ସକ୍ରିୟ ସହଯୋଗ କରୁଛନ୍ତି, ସେହି ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀମାନଙ୍କୁ କ୍ରୀଡ଼ା ଉପକରଣର ବଣ୍ଟନ କରାଯାଇଥିଲା । ଏହି ଅବସରରେ ଜିନ୍ଦଲ ଷ୍ଟିଲ ଏବଂ ପାୱାରର ସିଏସ୍‌ଆର ଅଧ୍ୟକ୍ଷ ଏବଂ ଗୋଷ୍ଠୀ ମୁଖ୍ୟ ପ୍ରଶାନ୍ତ ହୋତା କହିଛନ୍ତି ଯେ, “ଆଗାମୀ ଦିନରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଝିଅମାନଙ୍କ ରକ୍ତହୀନତା ସମସ୍ୟାକୁ ଦୂର କରିବା ପାଇଁ “କିଶୋରୀ ଏକ୍ସପ୍ରେସ” ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାର ପ୍ରତିକାର ପାଇଁ “ସ୍ୱସ୍ତି ଏକ୍ସପ୍ରେସ”କୁ ଏହି ଗ୍ରାମଗୁଡିକରେ କାର୍ଯ୍ୟ କରିବ” । ସେହିପରି ଏଭଳି ପୁଷ୍ଟିକର କାର୍ଯ୍ୟକ୍ରମ ଚଳାଇବାରେ ସହଯୋଗ କରିବା ପାଇଁ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧକ୍ଷ ନବୀନ ଜିନ୍ଦଲଙ୍କ ଅଭିଯାନକୁ ସଫଳ କରିବା ପାଇଁ ସ୍ଥାନୀୟ ଲୋକମାନଙ୍କୁ ଶ୍ରୀ ହୋତା ସହାୟତା ଲୋଡିଥିଲେ । ଏହି କାର୍ଯ୍ୟକ୍ରମରେ ସିଡିଏମ୍‌ଓ ଡାକ୍ତର ଶିବାନନ୍ଦ ମହାନ୍ତି, ସତକୋଶିଆ ଅଭୟାରଣ୍ୟ ଅଂଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗାମୀ ଦିନରେ ନିଆଯିବାକୁଥିବା ସ୍ୱାସ୍ଥ୍ୟସେବା ଗୁଡିକ ଉପରେ ଆଲୋକପାତ କରିଥିବାବେଳେ ପଶୁପାଳନ ବିଭାଗର ଅଧିକାରୀମାନେ ଜଙ୍ଗଲବାସୀଙ୍କ ଜୀବିକାକୁ ସମୃଦ୍ଧ କରିବା ପାଇଁ କୃଷି କାର୍ଯ୍ୟକଳାପର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ଜିନ୍ଦଲ ଫାଉଣ୍ଡେସନର ଏହି ପଦକ୍ଷେପକୁ ସ୍ଥାନୀୟ ନେତା, ସରକାରୀ ଅଧିକାରୀ ସମସ୍ତେ ପ୍ରଶଂସା କରିଥିଲେ । ସେହିପରି ଆବଶ୍ୟକ କରୁଥିବା ଲୋକଙ୍କ ସହାୟତା ପାଇଁ ନିଆଯାଇଥିବା ପଦକ୍ଷେପକୁ ଡିଏଫ୍‌ଓ ପ୍ରଶଂସା କରିବା ସହ ନିରନ୍ତର ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଜେଏସ୍‌ପିର ଡିଜିଏମ୍ (ସିଏସ୍ଆର୍) ଅଶୁତୋଷ ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଜେଏସପି ଅନୁଗୁଳର ସିଏସ୍‌ଆର୍‌ ମୁଖ୍ୟ ଜୟନ୍ତ ମହାନ୍ତିଙ୍କ ମାର୍ଗଦର୍ଶନରେ ମ୍ୟାନେଜର ଝିଲି ଖାଟୁଆ ପରିଚାଳନା ଦାୟିତ୍ୱ ତୁଲାଇଥିଲେ । ସେହିପରି ଜିନ୍ଦଲ ଫାଉଣ୍ଡେସନର ସହକାରୀ ସାଧାରଣ ସଚିବ ମୈତ୍ରୀ ମିଶ୍ରଙ୍କ ନେତୃତ୍ୱରେ ସମ୍ପ୍ରଦାୟର ସ୍ୱେଚ୍ଛାସେବୀ ଶ୍ରୀମତୀ ସୁବାସିନୀ, ସୁଶ୍ରୀ ମମତା ଏବଂ ମ୍ୟାନେଜମେଣ୍ଟ ଟ୍ରେନିମାନେ ସମସ୍ତ ଚିହ୍ନିତ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।

Leave A Reply

Your email address will not be published.