ଶରଦିନ୍ଦୁ ଭୂଷଣ ହୋତା
ସାଂପ୍ରତିକ ସମୟରେ ଆମ ଦେଶର ସମଗ୍ର ଶିକ୍ଷା ବ୍ୟବସ୍ଥା ରାଜକୂଟର କବଳରେ ପଡ଼ିଯାଇଛି । ଦେଶ ପରାଧୀନ ଥିବା ଅବସ୍ଥାରେ ଇଂରେଜମାନେ ତାଙ୍କ ଔପନିବେଶିକ ସ୍ୱାର୍ଥର ପୂରଣ ପାଇଁ କୌଶଳ କ୍ରମେ ଏଭଳି ଏକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ କରିଥିଲେ, ଯେଉଁଥିରେ କି ତାଙ୍କ ପ୍ରଶାସନ କଳକୁ ଚଳାଇ ରଖିବା ପାଇଁ ପ୍ରୟୋଜନ ପଡ଼ୁଥିବା କର୍ମଚାରୀ ବହୁଳ ଭାବରେ ସୃଷ୍ଟି ହୋଇପାରିବେ । ଏହି କାମରେ ସଫଳତା ହାସଲ ପାଇଁ ସେମାନେ ଯେଉଁ ଇଂରାଜୀ ପଢ଼ୁଆ ବାବୁ ଶ୍ରେଣୀର ସୃଷ୍ଟି କଲେ, ସର୍ବ ପ୍ରଥମେ ସେମାନଙ୍କୁ ସାଂସ୍କୃତିକ ଭାବେ ପରାଭୂତ କରିଦେବାର କୌଶଳ ଖଂଜିଲେ । ଇଂରାଜୀ ପାଠ ପଢ଼ି ବାବୁମାନେ ବହୁଳାଂଶରେ କୃଷ୍ଟିଗତ ପରାଭବତା ଭୋଗୀ ସାଂସ୍କୃତିକ ଭାବେ ଶକ୍ତିହୀନ ହୋଇପଡ଼ିଲେ । ସେଭଳି ଗୋଲାମ ମନୋବୃତ୍ତି ସଂପନ୍ନ ଦୁର୍ବଳ ବାବୁ ଶ୍ରେଣୀଙ୍କୁ ନେଇ ସେମାନେ ତାଙ୍କ ଶାସନ ପରିଚାଳନା କ୍ଷେତ୍ରରେ ଯାହା ଚାହିଁଲେ, ତାହା କରାଇନେଲେ । ଫଳରେ ସାମାଜିକ ସ୍ତରରେ ମଧ୍ୟ ଦେଶ ତା’ର ସାଂସ୍କୃତିକ ଅସ୍ମିତା ହରାଇ ବସିଲା ଏବଂ ପରାଧୀନତାକୁ ବାଧ୍ୟତଃ ପୋଷଣ ଯୋଗାଇବାର ଅସହାୟତା ଭିତରକୁ ଚାଲିଗଲା । ଯେଉଁମାନେ ବିଦେଶୀମାନଙ୍କ ଚକ୍ରାନ୍ତର ଶୀକାର ହୋଇ ଇଂରାଜୀ ଶିକ୍ଷାରେ ଦୋରସ୍ତ ହୋଇପାରିଲେ, ଦେଶରେ ତାଙ୍କର ସ୍ୱୀକୃତି ଏବଂ ସମାଦର କ୍ରମଶଃ ବଢ଼ି ଚାଲିଲା । ଫଳରେ ବୈଶିଷ୍ଟ୍ୟ ସମ୍ମତ ସ୍ୱଦେଶୀ ଶିକ୍ଷାକୁ ଗୌଣ ଦୃଷ୍ଟିରେ ଦେଖି ଅଧିକରୁ ଅଧିକ ପ୍ରବଳ ଭାବରେ ଇଂରାଜୀ ଶିକ୍ଷା ପାଇଁ ମୋହ ବଢ଼ିଗଲା । ଏଭଳି ଭାବରେ ସାଂସ୍କୃତିକ ମେରୁଦଣ୍ଡ ହୀନ ଗୋଟିଏ ଜନସମଷ୍ଟିଙ୍କୁ ଶାସନ କରିବାରେ ଇଂରେଜମାନଙ୍କର ଆଉ ବିଶେଷ କିଛି ଅସୁବିଧା ହେଲାନାହିଁ ।
ସ୍ୱାଧୀନତା ଆନ୍ଦୋଳନର ପର୍ଯ୍ୟାୟରେ ଜନସାଧାରଣଙ୍କର ଏହି ଅସହାୟତା ସଂକ୍ରାନ୍ତରେ ଗାନ୍ଧିଜୀ ତାଙ୍କ ଦୃଷ୍ଟିରେ ଅନେକ କିଛି କଳନା କରି ପାରିଥିଲେ । ସ୍ୱଦେଶୀ ଶିକ୍ଷାର ପ୍ରଚଳନ ନ ହେଲେ ଜନସମଷ୍ଟି ତା’ର ସାଂସ୍କୃତିକ ମେରୁଦଣ୍ଡ ଫେରି ପାଇବା ଅସମ୍ଭବ ବୋଲି ବିଚାର କରି ସେ ବୈକଳ୍ପିକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ କରାଇଥିଲେ । ସ୍ୱଦେଶୀ ଶିକ୍ଷାରେ ଶିକ୍ଷିତ ସମାଜକର୍ମୀମାନେ ହିଁ ଯଥାର୍ଥରେ ସ୍ୱାଧୀନତା ସଂଗ୍ରାମରେ ନିଷ୍ଠାପର ଭାବରେ ଅଂଶଗ୍ରହଣ କରିପାରିବେ ବୋଲି ତାଙ୍କର ବିଶ୍ୱାସ ଥିଲା । ଅପରପକ୍ଷେ ବିଶ୍ୱକବି ରବିନ୍ଦ୍ରନାଥ ମଧ୍ୟ ଭାରତୀୟ ବୈଶିଷ୍ଟ୍ୟର ଭିତ୍ତିରେ ଏକ ଉଦାର ଏବଂ ଆନ୍ତର୍ଜାତିକ ଦୃଷ୍ଟି ସଂପନ୍ନ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରି ଶାନ୍ତିନିକେତନ ଗଠନ କରିଥିଲେ । ବିଶ୍ୱକବିଙ୍କର ଆନ୍ତର୍ଜାତିକତା ବିରୁଦ୍ଧରେ କୌଣସି ବିରୋଧୀ ମନୋଭାବ ନଥିଲେ ମଧ୍ୟ ଜାତୀୟ ବୈଶିଷ୍ଟ୍ୟ ଉପରେ ତାହା ଆଧାରିତ ହେବା ଉଚିତ ବୋଲି ଦୃଢ଼ ପ୍ରତ୍ୟୟ ଥିଲା । ଗାନ୍ଧିଜୀଙ୍କ ସ୍ୱଦେଶୀ ଶିକ୍ଷା ଏବଂ ବିଶ୍ୱକବିଙ୍କର ଶାନ୍ତିନିକେତନର ପରିକଳ୍ପନା ଯଦିଓ ଦେଶରେ ଶିକ୍ଷା ଚେତନାର ମୋଡ଼ ଫେରାଇବା ପାଇଁ ଯଥେଷ୍ଟ ସକ୍ଷମ ହୋଇଥିଲା, ତଥାପି ତାହା ବେଶୀ ଦୂର ଆଗେଇ ପାରିଲାନାହିଁ । ସେସବୁ ଯୁଗାନ୍ତକାରୀ ପଦକ୍ଷେପର ପ୍ରତିସ୍ପର୍ଦ୍ଧାରେ ଦେଶର ରାଜନୈତିକ ଶକ୍ତି ହିଁ ଉଭା ହେଲା । ସରକାର ସେଗୁଡ଼ିକର ପାଇଁ ଆଉ କୌଣସି ସହାୟକ ମନୋଭାବ ରଖିଲେ ନାହିଁ । ଦୁର୍ଭାଗ୍ୟ କ୍ରମେ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଏବଂ ପରେ ଯଥାକ୍ରମେ ବିଶ୍ୱକବି ଏବଂ ଗାନ୍ଧିଜୀଙ୍କ ଦେହାନ୍ତ ହେଲା ।
ସ୍ୱାଧୀନତା ପ୍ରାପ୍ତି ପରେ ଆମ ଦେଶର ଶାସନ ବ୍ୟବସ୍ଥା ଯେଉଁମାନଙ୍କ ହାତରେ ରହିଲା, ସେମାନେ ଜନ୍ମତଃ ଭାରତୀୟ ହେଲେ ମଧ୍ୟ ଶିକ୍ଷା ଦୀକ୍ଷା ଏବଂ ମାନସିକତାରେ ସେଇ ବିଦେଶୀଙ୍କ ମୁଣ୍ଡର ପିତ୍ତ ଧରି ହିଁ ଚଳିଲେ । ଏପରିକି ଆମ ଦେଶର ସମ୍ବିଧାନ ମଧ୍ୟ ବିଦେଶୀଙ୍କ ଛାଂଚରେ ତିଆରି ହେଲା । ଭାରତୀୟ ବୈଶିଷ୍ଟ୍ୟକୁ ଆଧାର କରି ତହିଁରେ କୌଣସି ବୈପ୍ଲବିକ ଉପାଦାନ ରହିପାରିଲା ନାହିଁ । ଇଂରେଜମାନେ ଚାଲିଗଲେ, ମାତ୍ର ସେମାନେ ଯାହା ଶିଖାଇଥିଲେ ସେଇ କଳାକୌଶଳ ଧରି ହିଁ ଦେଶୀ ଶାସକମାନେ ଶାସନ କଲେ । ଶିକ୍ଷାର ପରିପ୍ରେକ୍ଷୀରେ ବିଚାର କଲେ କୌଣସି ନୂତନ ଜୀବନାଭିମୁଖୀ ଆଭିମୁଖ୍ୟ ନୂତନ ଭାବରେ ଗ୍ରହଣ କରାଗଲା ନାହିଁ । ସେଇ ବିଦେଶୀ ପ୍ରଭୂମାନଙ୍କ ଭଳି ନୂଆ ଶାସକମାନେ ମଧ୍ୟ ରାଷ୍ଟ୍ର ଯନ୍ତ୍ରର ପରିଚାଳନା ପାଇଁ ଲେଖାପଢ଼ାରେ ଦୋରସ୍ତ କେବଳ କିଛି କର୍ମଚାରୀ ସୃଷ୍ଟିର ଆଭିମୁଖ୍ୟ ରଖିଲେ । ଜୀବନ ଗଠନ, ସମାଜ ସଂଗଠନ ଇତ୍ୟାଦିର ପରିପ୍ରେକ୍ଷୀରେ ସ୍ୱାଧୀନ ଦେଶରେ ମଧ୍ୟ କୌଣସି ନୂତନ କାର୍ଯ୍ୟକ୍ରମ ହାତକୁ ନିଆଗଲା ନାହିଁ ।
ଶିକ୍ଷାକୁ ଦେଶ ଗଠନର ପ୍ରାରମ୍ଭରୁ ଯେହେତୁ ରାଷ୍ଟ୍ରଯନ୍ତ୍ରର ସେବାରେ ଖଟାଇବା ପାଇଁ ଆଭିମୁଖ୍ୟ ରଖାଗଲା, ତାହାରି ପରିଣାମରେ ଶିକ୍ଷା ଜଗତର ସମସ୍ତ କର୍ମକାଣ୍ଡ ସ୍ୱାଭାବିକ ଭାବେ ରାଜନୀତିର ବୋଲ ମାନି ଚଳିବାକୁ ବାଧ୍ୟ ହେଲା । ଏକ ସ୍ୱୟଂ ସଂପୂର୍ଣ୍ଣ ମୂଲ୍ୟବୋଧ ରୂପେ ମନୁଷ୍ୟ ଜୀବନର ସ୍ୱାଧୀନ ଓ ସମ୍ମାନିତ ବିକାଶ ପାଇଁ ତାକୁ ନିୟୋଜିତ କରାଯାଇ ପାରିଲା ନାହିଁ । ଫଳରେ କେବଳ ରାଷ୍ଟ୍ରଯନ୍ତ୍ରର ବୋଲ ମାନି ଚଳିବାର କର୍ମଚାରୀ ଗୋଷ୍ଠୀ ସୃଷ୍ଟି କରିବାରେ ରାଜନୀତି ତା’ର ନ୍ୟସ୍ତସ୍ୱାର୍ଥକୁ ଲଗାଇ ଶିକ୍ଷାକୁ ମଧ୍ୟ ନିୟନ୍ତ୍ରଣ କଲା । ଏହାରି ପରିଣାମରେ ସଦ୍ୟ ସ୍ୱାଧୀନତା ପ୍ରାପ୍ତ ଗୋଟିଏ ଗଣତନ୍ତ୍ରରେ ନାଗରିକ ହୋଇ ପାରିବା ପାଇଁ ଯେଉଁ ଜନ ସଚେତନତାର ଆବଶ୍ୟକତା ମୌଳିକ ଭାବରେ ଥିଲା, ଶିକ୍ଷାର ପ୍ରୟୋଗରେ ତାକୁ ହାସଲ କରାଯାଇ ପାରିଲା ନାହିଁ । ବିପୁଳ ଜନସମଷ୍ଟିର ଅଚେତନତା ହେତୁ ସମ୍ବିଧାନ ଘୋଷିତ ମୂଲ୍ୟବୋଧଗୁଡ଼ିକ ଅବିକୃତ ଭାବରେ କାର୍ଯ୍ୟକାରୀ କରିବାର ସମ୍ଭବ ହେଲାନାହିଁ । ଗଣତନ୍ତ୍ର, ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଇତ୍ୟାଦି କ୍ଷେତ୍ରରେ ଜନ ଅସ୍ତିତ୍ୱର ଅବସ୍ଥା ଯେଉଁ ତିମିରେକୁ ସେଇ ତିମିରେ ରହିଗଲା । ଆଜି ଯେତେବେଳେ ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ ମଧ୍ୟ ଏହି ମୂଲ୍ୟବୋଧଗୁଡ଼ିକର କାର୍ଯ୍ୟକାରିତା ସଂପର୍କରେ ଆକଳନ କରାଯାଉଛି, ତାର ବିଫଳତା ପାଇଁ ବୁଝିବା ସୁଝିବା ଲୋକେ ସର୍ବାଗ୍ରେ ଜନମାନସର ଅଚେତନତାକୁ ହିଁ ଦାୟୀ କରୁଛନ୍ତି । ଜନଚେତନାର ଅଭାବରୁ ହିଁ ଏତେ ଏତେ ପ୍ରଚେଷ୍ଟା ସତ୍ତେ୍ୱ ସବୁକିଛି ବିଫଳ ହେଉଥିବାର ଅନୁଭବ ହେଉଛି । ଏହି ଜନଚେତନା ସୃଷ୍ଟି ପାଇଁ ମୌଳିକ ଭାବରେ ବୈଶିଷ୍ଟ୍ୟ ସମ୍ମତ ଶିକ୍ଷା ବ୍ୟବସ୍ଥାର ହିଁ ଆବଶ୍ୟକତା ଥିଲା । ସରକାର ତାଙ୍କ ତରଫରୁ ସମ୍ବିଧାନ ଘୋଷିତ ମୂଲ୍ୟବୋଧଗୁଡ଼ିକର ଉପଲବ୍ôଧ ପାଇଁ ଯେତେ ପ୍ରକାର ଯୋଜନା କରି ଉଦ୍ୟମ କଲେ ମଧ୍ୟ ଜନମାନସ ତହିଁରେ ସଂଯୁକ୍ତ ରହି ପାରିଲା ନାହିଁ । ସରକାରୀ ଯୋଜନା ରୂପାୟନ ଏକପାଖିଆ ଭାବରେ ବିଭିନ୍ନ କାର୍ଯ୍ୟକ୍ରମର ଭିତର ଦେଇ ଅଶିକ୍ଷିତ, ଅଚେତନ ଜନସାଧାରଣଙ୍କ ଉପରେ ଜୋର୍ କରି ଲଦି ଦିଆଗଲା । ରାଷ୍ଟ୍ରଯନ୍ତ୍ରର ବୋଲକରା ଅମଲାତନ୍ତ୍ରକୁ କାମରେ ଲଗାଇ ରାଜନୈତିକ ନେତୃତ୍ୱ ଏଇ ଅବାଞ୍ଛିତ କର୍ମଟି କରି ଚାଲିଲା । ଉପସ୍ଥିତ ଆହ୍ୱାନଗୁଡ଼ିକୁ ସଫଳତାର ସହିତ ଗ୍ରହଣ କରିବା ପାଇଁ ଜନମାନସକୁ ପ୍ରଶିକ୍ଷିତ କରିବା ପରିବର୍ତ୍ତେ ତାଙ୍କ ଉପରେ ଜୋର୍ କରି ଅମଲାତନ୍ତ୍ର ଏ ଯେଉଁ ଯୋଜନା ରୂପାୟନର ବୋଝ ଲଦି ଦେଲା ତହିଁରେ ଜନ ଅସ୍ତିତ୍ୱ ବାଧ୍ୟତଃ ଭାରସାମ୍ୟ ହରାଇଲା । ନିଦାନ ବେଳକୁ ଲୋକେ ଜୀବନ ପାଇଁ ଦରକାରୀ ଶିକ୍ଷା ଏବଂ ପ୍ରଶିକ୍ଷଣ ପାଇବା ପରିବର୍ତ୍ତେ ଅମଲାତନ୍ତ୍ର ପ୍ରଯୋଜିତ ସରାକାରୀ କାର୍ଯ୍ୟକ୍ରମଗୁଡ଼ିକୁ କିଛି ନ ବୁଝିଲେ ମଧ୍ୟ ବାଧ୍ୟତଃ ବୋହି ଚାଲିଲେ । ପରିଣାମରେ ଅଶିକ୍ଷିତ ଭାରସାମ୍ୟହୀନ, ସହାୟ ସମ୍ବଳହୀନ ଜନସମଷ୍ଟି କେବଳ ସରକାରୀ କାର୍ଯ୍ୟକ୍ରମର ରୂପାୟନ ପାଇଁ କୌଶଳ କ୍ରମେ ବ୍ୟବହୃତ ହୋଇ ଚାଲିଲେ । ସମ୍ବିଧାନର ମୌଳିକ ଆଦର୍ଶଗୁଡ଼ିକୁ ସେମାନେ ଉପଲବ୍ôଧ କରି ପାରିବା ତ’ ଦୂରର କଥା, ବରଂ ସେଗୁଡ଼ିକ ସେମାନଙ୍କ ବୋଧଭୂମିରୁ ନିର୍ବାସିତ ହୋଇ ରହିଲା । କେବଳ ଅମଲାତନ୍ତ୍ର ଆପଣାର ସ୍ୱାର୍ଥ ବାଗେଇ ନେବା ପାଇଁ ସମ୍ବିଧାନର ମୂଲ୍ୟବୋଧଗୁଡ଼ିକୁ ଯେଭଳି ଭାବରେ ବଙ୍କେଇ ବାଙ୍କେଇ ତର୍ଜମା କରି ଚାଲିଲା, ତାକୁ ଅଗତ୍ୟା ସ୍ୱୀକାର କରିନେବା ଛଡ଼ା ତମାମ୍ ଜନସମଷ୍ଟି ମଧ୍ୟରେ ଆଉ କୌଣସି ବିଦ୍ରୋହ ବା ପ୍ରତିବାଦ ପାଇଁ ଶକ୍ତି ରହିଲା ନାହିଁ । ଏହାର ପରିଣାମରେ ଦେଶରେ ଗଣତନ୍ତ୍ର ବିକୃତ ହେଲା । ଧର୍ମ ନିରପେକ୍ଷତା କେଉଁ ଅପହଂଚ ଡାଳର ଫଳ ହୋଇ ରହିଗଲା ଏବଂ ସାର୍ବୋପରି ସାମାଜିକ ନ୍ୟାୟ ବଞ୍ଚନାରେ ପୀଡ଼ିତ ହୋଇ ରହିଗଲା । ଏ ପରିସ୍ଥିତି ଜନ ଅସ୍ତିତ୍ୱ ପାଇଁ କାଳ ହେଲେ ବି ଆପ୍ତକାମୀ ରାଜନୈତିକ ବ୍ୟକ୍ତିମାନଙ୍କ ପାଇଁ ମନ ମତାଣିଆ ଖେଳ ରୂପେ ଜାରି ରହିଲା । ଏତେବେଳକୁ ବିକୃତ ଗଣତନ୍ତ୍ର, ଉଗ୍ର ସାଂପ୍ରଦାୟିକତା ଏବଂ ସାମାଜିକ ଅସମାନତା ଭାର୍ଯ୍ୟ ଜନଗଣଙ୍କ କପାଳ ଲିଖନ ହୋଇଗଲା ।
ଏଭଳି ଏକ ଅସାଡ ଜନସମଷ୍ଟିକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଜଗତୀକରଣର ଖେଳା ଆରମ୍ଭ ହୋଇଗଲା । ଜଗତୀକରଣ ପ୍ରବର୍ତ୍ତିତ ଉଗ୍ର ଉପଭୋକ୍ତାବାଦ, ସୁବିଧାବାଦ ଏବଂ ସନ୍ତ୍ରାସବାଦ ଜନସାଧାରଣଙ୍କୁ ଅଧିକ ନାରଖାର କରିଦେଲା । ସେତେବେଳେ ଶିକ୍ଷା ବୋଲିବା ଜିନିଷଟି ସେଇ ବିଦେଶୀ ପୁଞ୍ଜିନିବେଶକାରୀ କଂପାନୀମାନଙ୍କର ନିର୍ଦ୍ଦେଶରେ ଚାଲିବାକୁ ଆରମ୍ଭ କଲା । ସେତେବେଳେ ମଧ୍ୟ ସରକାର ଏବଂ ଅମଲାତନ୍ତ୍ର ସହାୟତା ଯୋଗାଇଲେ । ବିଦେଶୀ ପୁଞ୍ଜିନିବେଶ ହୋଇ ଲୋକଙ୍କୁ ନାନା ପ୍ରକାରର ସ୍ୱପ୍ନରେ ବିମୋହିତ କରି ରଖିବା ପାଇଁ ସ୍ଲୋଗାନ୍ ସବୁ ଲେଖା ହେଲା । ନାନା ପ୍ରକାର ଅବନତିମୂଳକ ଅପପ୍ରଚାରକୁ ଅନୁଶାସନ ବୋଲି ଘୋଷଣା କରାଗଲା । ଏଭଳି ପରିସ୍ଥିତିରେ ଜନମାନସ ବିଭ୍ରାନ୍ତ ହେବାକୁ ବାଧ୍ୟ । ସେଇ ସୁଯୋଗରେ ବହୁରାଷ୍ଟ୍ରୀୟ କଂପାନୀମାନେ ଏବଂ ପୁଞ୍ଜିଲଗାଣ ସଂସ୍ଥାଗୁଡ଼ିକ ଆପଣାର ଲାଭ ଗୋଟାଇବା ପାଇଁ ତମାମ୍ ଭାରତବର୍ଷକୁ ନିଜର କ୍ଷେତ୍ର ଭୂମି ରୂପେ ପାଗ କରିବା ଆରମ୍ଭ କରିଦେଲେ । ଜନମଂଗଳ ରାଷ୍ଟ୍ରର ସ୍ଥାନ ଆବୋରି କଂପାନୀ ରାଜ୍ର ସ୍ୱାର୍ଥ ଜଗୁଥିବା ସରକାରଗୁଡ଼ିକ ପ୍ରତିଷ୍ଠିତ ହେଲେ । ଜନମଙ୍ଗଳ ରାଷ୍ଟ୍ରରେ ସାଂପ୍ରତିକ ସମୟର ନାଗରିକ ହେବା ପାଇଁ ଶିକ୍ଷା ବ୍ୟବସ୍ଥାର ମାଧ୍ୟମରେ ଉଦ୍ୟମ କରିବାର ସମ୍ଭାବନା ହୁଏତ ଥିଲା, ମାତ୍ର କଂପାନୀ ପ୍ରଯୋଜିତ ସରକାରଗୁଡ଼ିକ ହାତରେ ପଡ଼ି ସେଗୁଡ଼ିକ ଚୁଲିକୁ ଗଲା । କେବଳ ପଇସା ଯୋଗାଉଥିବା ସଂସ୍ଥାର ସେବା ଖଟିବା ଏବଂ ତାଙ୍କରି ନିର୍ଦ୍ଦେଶନାରେ ସବୁ ଯୋଜନାର ରୂପାୟନ କରିବା ସରକାରମାନଙ୍କର ଏକମାତ୍ର ଦାୟିତ୍ୱ ରୂପେ ବର୍ତ୍ତାଇଲା ।
ଏହି କିମ୍ଭୁତ କିମାକାର ପରିସ୍ଥିତିରେ ଜୀବନ ପାଇଁ ଦରକାରୀ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ମାଡ଼ ଖାଇଗଲା । କଂପାନୀମାନେ ଏବଂ ପୁଞ୍ଜିଲଗାଣକାରୀ ସଂସ୍ଥାମାନେ ଯେଉଁ ସର୍ତ୍ତ ଆରୋପ କଲେ, ସରକାରମାନେ ତାକୁ ବେଦର ଗାର କରି ମାନିବା ଆରମ୍ଭ କଲେ । ଫଳରେ ଶିକ୍ଷା ଆଉ ଏକ ଜୀବନ ଉତ୍ଥାନକାରୀ ମୂଲ୍ୟବୋଧ ରୂପେ ନ ରହି କଂପାନୀ ସ୍ୱାର୍ଥ ପାଇଁ କିଛି କର୍ମଚାରୀ ଏବଂ ଶ୍ରମିକ ଉତ୍ପାଦନର ମାଧ୍ୟମ ମାତ୍ର ହୋଇଗଲା ।
ବର୍ତ୍ତମାନ ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଏହି ଲୀଳା ଚାଲିଛି । ସମଗ୍ର ବ୍ୟବସ୍ଥାର ଅମଲାତନ୍ତ୍ରୀକରଣ ହୋଇ ସାରିଛି । ଅମଲାତନ୍ତ୍ର ପୁଞ୍ଜିନିବେଶକାରୀ ସଂସ୍ଥାମାନଙ୍କର ବୋଲକରା ହୋଇ ସଂପୂର୍ଣ୍ଣ ଭାବରେ ଉଗ୍ର ହୋଇ ଉଠିଛି । ଫଳରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଦେଖାଯାଉଛି ଯେ, ଶିକ୍ଷାର ମୂଳ ଆଭିମୁଖ୍ୟ ରୂପେ ଶିକ୍ଷାର୍ଥୀ ଭିତରେ ଯେଉଁ ପ୍ରାଣ ସଂପଦ, ସାହସ, ସଂବେଦନା ଏବଂ ବୁଦ୍ଧିମତା ସଂଚାରିତ କରାଯାଇ ପାରିଲେ, ସେ ବଂଚୁଥିବା ସମୟର ଆହ୍ୱାନଗୁଡ଼ିକୁ ମୁକାବିଲା କରିବାକୁ ସକ୍ଷମ ହୋଇ ପାରିଥାନ୍ତା; ତାହା ଆଉ କରାଯାଇ ପାରିଲା ନାହିଁ । କେବଳ କଂପାନୀ ରାଜ୍ର ବୋଲ ମାନି ଚଳିବା ପାଇଁ ତାହାରି ନିର୍ଦ୍ଦେଶରେ ତା’ର ପ୍ରୟୋଜନ ଅନୁଯାୟୀ ଯେତିକି ଲେଖାପଢ଼ା ପ୍ରୟୋଜନ ସେତିକି ହୋଇଗଲେ ତାକୁ ଗୁଣାତ୍ମକ ଶିକ୍ଷା ବୋଲି ଅପପ୍ରଚାର କରାଗଲା । ଶିକ୍ଷା, ଶିକ୍ଷକ ଏବଂ ଶିକ୍ଷାୟତନରେ ତୁମୁଳ ସନ୍ତ୍ରାସର ଏକ ଆତଙ୍କ ଖେଳାଯାଇ ସମସ୍ତଙ୍କୁ ଭୟଭୀତ କରି ରଖାଗଲା । ଏଭଳି ଏକ ଅଗଣତାନ୍ତ୍ରିକ ଏବଂ ଅସ୍ୱଚ୍ଛନ୍ଦ ପରିବେଶର ଶୀକାର ହୋଇ ଶିକ୍ଷାର ମୂଳ ବୁନିଆଦ ସବୁ ଆୟୋଜନ ଓ ଆଡ଼ମ୍ବର ସତ୍ତେ୍ୱ ଭୁଷୁଡ଼ି ଯିବା ପାଇଁ ବାଧ୍ୟ ହୋଇ ଚାଲିଛି । ବାହାରକୁ ଚହଟ ଚିକ୍କଣ ଅନେକ କଥା ଏବଂ ଆଡ଼ମ୍ବର କରାଯିବା ସତ୍ତେ୍ୱ ଜୀବନଟାକୁ ଜୀଇଁବା ପାଇଁ ଶିକ୍ଷାର୍ଥୀ ପ୍ରାଥମିକ ସ୍ତରରୁ ହିଁ ଅସମର୍ଥ ହୋଇ ଚାଲିଛି । ଗୁଣାତ୍ମକ ଶିକ୍ଷା ନାଁରେ ଯେଉଁ ଲେଖାପଢ଼ାର କୁହାଯାଉଛି, ସେତିକିରେ ସାଂପ୍ରତିକ ସମୟକୁ ସାମ୍ନା କରିପାରିବାର ଯୋଗ୍ୟତା ଶିକ୍ଷାର୍ଥୀ କେତେଦୂର ଅର୍ଜନ କରିପାରିବ, ସେ କଥା ପୁନଃବିଚାରର ବିଷୟ । ଏହିସବୁ ସୁଆଙ୍ଗ ଦେଖି ଜନମାନସ କାଳେ ଅସନ୍ତୁଷ୍ଟ ହୋଇ ପଡ଼ିବ, ସେଇ କାରଣରୁ ତା’ର ତୁଷ୍ଟିକରଣ ପାଇଁ ମଧ୍ୟ ଅନେକ ସମ୍ମୋହନକାରୀ ଡାହାଣୀ ଆକର୍ଷଣ ଖଂଜି ଦିଆଯାଇଛି । ଲୋକଙ୍କୁ ସଚେତନ କରିବା ପୂର୍ବରୁ ତାଙ୍କର ଅହଂକୁ ପ୍ରଶ୍ରୟ ଦେଇ ଲୋକାଭିମୁଖୀ ଶିକ୍ଷାର ନାଁରେ ଶିକ୍ଷକ, ଶିକ୍ଷାୟତନ ଏବଂ ଜନସମଷ୍ଟି ମଧ୍ୟରେ ନାନା ପ୍ରକାରର ଫାଙ୍କ ସୃଷ୍ଟି କରାଯାଉଛି । ମୋଟାମୋଟି କହିବାକୁ ଗଲେ ଶିକ୍ଷାର ମୂଳ ଆବଶ୍ୟକତା ପରିପୂରିତ ହେବା ପରିବର୍ତ୍ତେ କ୍ରମଶଃ ବଡ଼ କୌଶଳ କ୍ରମେ ତାକୁ ନଷ୍ଟ କରି ଦିଆଯାଉଛି । ଜନମଙ୍ଗଳ ରାଷ୍ଟ୍ର ଯେଉଁ ଶିକ୍ଷକ, ଶିକ୍ଷାୟତନର ଛାଂଚ ତିଆରି କରିଥିଲା ତାକୁ ଉଚ୍ଛେଦ କରିଦେବା ପାଇଁ ଏବଂ କଂପାନୀ ରାଜ୍ର ସାର୍ବଭୌମ କର୍ତ୍ତୃତ୍ୱକୁ ପ୍ରତିଷ୍ଠା କରିବା ପାଇଁ ନାନା ପ୍ରକାର କୁଟକୌଶଳ ବଳବତ୍ତର ରହିଛି ।
ଏ ସମସ୍ତ କର୍ମକାଣ୍ଡର ପରିଣାମରେ ବର୍ତ୍ତମାନ ଶିକ୍ଷା ଜଗତ ସଂପୂର୍ଣ୍ଣ ଭ୍ରମାତ୍ମକ ଅବସ୍ଥାରେ ପଡ଼ି ରହିଛି । କାହାରି କିଛି କରିବାର ନାହିଁ । ଯେହେତୁ ସମସ୍ତ କାମ ପଇସା ଯୋଗାଉଥିବା କଂପାନୀ ଏବଂ ତାକୁ ସମର୍ଥନ କରୁଥିବା ସରକାରଗୁଡ଼ିକର ସଲାସୁତୁରାରେ ଚାଲିଛି, ତେଣୁ ସମସ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟକୁ ଜନସାଧାରଣଙ୍କ ପାଖରୁ ଗୋପନ କରି ରଖାଯାଉଛି ।
ଏସବୁ ଦେଖି ମନେ ହେଉଛି, ଶିକ୍ଷା କ୍ଷେତ୍ର ସଂକ୍ରାନ୍ତରେ ନା’ ସରକାର ନା’ ଜନସାଧାରଣ କାହାରି ଭିତରେ ବି କୌଣସି ଗଂଭୀର ସଂକଳ୍ପ ରହିନାହିଁ । କେବଳ ପୁଞ୍ଜିନିବେଶକାରୀ ସଂସ୍ଥାମାନଙ୍କ ନିର୍ଦ୍ଦେଶନାରେ ସମଗ୍ର ପ୍ରକ୍ରିୟା ନିତାନ୍ତ ଭାସମାନ ଭାବରେ ଚାଲିଛି । କୌଣସିଠି କିଛି ସ୍ଥିର ସଂକଳ୍ପ ବା ଦୃଢ଼ ପଦକ୍ଷେପ ଲକ୍ଷଣ ହିଁ ଦେଖାଯାଉ ନାହିଁ । ଆଟୋପ ଆଡ଼ମ୍ବରର ଭେଳିକି ଦେଖାଇ ଜନମନର ମୌଳିକ ଅଭିନିବେଶକୁ ଶିକ୍ଷା ପ୍ରୟାସଠାରୁ ଉଦ୍ଦେଶ୍ୟମୂଳକ ଭାବେ ବାଟ ମାରଣା କରି ରଖାଯାଉଛି ।
ଏଭଳି ପରିସ୍ଥିତିରେ ପ୍ରତି ପ୍ରତ୍ୟେକେ ଆଜି ନିଜ ବୋଧଭୂମିକୁ ସଂଚାଳିତ କରି ବୁଝି ନେଇ ପାରିବା ଦରକାର ଯେ, ଶିକ୍ଷା କୌଣସି ପିଲା ଖେଳ ନୁହେଁ । ତା’ ଉପରେ ଜନସାଧାରଣଙ୍କର ବର୍ତ୍ତମାନ ଏବଂ ଭବିଷ୍ୟତ ନିର୍ଭରଶୀଳ । ତେଣୁ ଭାସମାନ ସ୍ରୋତରେ ଭାସି ନ ଯାଇ ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ଭାରତୀୟ ନିରାକରଣୀ ପ୍ରଚେଷ୍ଟା ପାଇଁ ଉଦ୍ୟମଶୀଳ ହୋଇ ପାରିବା ଦରକାର । ଯେହେତୁ ଯେ’ ଶକ୍ତିମାନ, ତା’ର ନଜର୍ ଥାଏ ନିରାକରଣ ଦିଗରେ ।
ଭୁବନେଶ୍ୱର
ମୋ.ନଂ. ୯୯୩୭୭୪୦୬୭୬