ବାଲିଗୁଡା ଉପଖଣ୍ଡରେ ନକଲି କନ୍ଧମାଳ ହଳଦୀ ଗୁଣ୍ଡ ସହ ବିଭିନ୍ନ ସାମଗ୍ରୀ ବିକ୍ରି : ବିଭାଗ ନୀରବ ଦ୍ରଷ୍ଟା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସମେତ ସମଗ୍ର ବାଲିଗୁଡା ଉପଖଣ୍ଡରେ ବିଭିନ୍ନ ପ୍ରକାର ନକଲି ଖାଦ୍ୟ ସାମଗ୍ରୀ ବିକ୍ରି ବୃଦ୍ଧି ଚାଲିଛି । ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିୟମିତ ଦୃଷ୍ଟି ଦେଉନଥିବାରୁ ଖାଉଟି ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ପାର୍ବଣ, ପର୍ଯ୍ୟଟନ ତଥା ବର୍ଷା ଓ ଶୀତ ଋତୁକୁ ଆଖି ଆଗରେ ରଖି ବାଲିଗୁଡା ସମେତ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଆଉ କିଛି ଦିନ ପରେ ଶାରଦୀୟ ଛୁଟିରେ ପ୍ରବଳ ଭିଡ଼ ଜମିବ । ହେଲେ ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକମାନେ କନ୍ଧମାଳରେ ଅମଳ ହେଉଥିବା ବିଶ୍ୱ ବିଖ୍ୟାତ ହଳଦୀ ସମେତ ମହୁ, ଝୁଣା, ଅଦା, ସୋରିଷ, ଗୋଲମରିଚ, କଫି, ଖୁଦ୍ରଦାନା ଶସ୍ୟ ମଧ୍ୟରେ କୁଏରୀ, କାଙ୍ଗୁ, ମାଣ୍ଡିଆ, ପାଳୁଅ ଆଦି କିଣିବାକୁ ବେଶ ଆଗ୍ରହ ପ୍ରକାଶ କରନ୍ତି । କିନ୍ତୁ ହଳଦୀ ଭଳି କିଛି କିସମର ସାମଗ୍ରୀ ଏଠାରେ ଉତ୍ପାଦନ କରାଯାଉଥିବା ବେଳେ କିନ୍ତୁ ତାକୁ ପ୍ରସ୍ତୁତି କରାଯିବା ପରେ ଗୁଣ୍ଡ ଆକାରରେ ବିକ୍ରି କରାଯାଉଛି । ଏକାଧିକ ରଙ୍ଗର ହଳଦୀ ଗୁଣ୍ଡ ବିକ୍ରି କରାଯାଉଥିବା ବେଳେ ଅନେକ ବ୍ୟବସାୟୀ ନକଲି ହଳଦୀ ଗୁଣ୍ଡ ଯାହାକି ବ୍ରହ୍ମପୁର ବଜାରରୁ ଅପମିଶ୍ରିତ ଗୁଣ୍ଡ ଆଣି କନ୍ଧମାଳର ପ୍ରତ୍ୟେକ ଅଞ୍ଚଳରେ ବିକ୍ରି କରାଯାଉଛି । ଏନେଇ ଖାଦ୍ୟ ନିରାପତ୍ତା ଓ ମାନଦଣ୍ଡ ଦାୟିତ୍ୱରେ ଥିବା ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ପ୍ରକୃତ କନ୍ଧମାଳ ହଳଦୀ ବିକ୍ରି କରୁଥିବା ବ୍ୟବସାୟୀ ଓ ଜିଲା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ସେହିପରି ଦାରିଙ୍ଗବାଡି କଫି ବଗିଚା ସମ୍ମୁଖରେ କଫି ଗୁଣ୍ଡ ପ୍ରସ୍ତୁତ କରି ବିକ୍ରି କରାଯାଉଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କଫି ସଂଗ୍ରହ କରିବାକୁ ପଦକ୍ଷେପ ନେଉ ନ ଥିବା ବେଳେ କଫି ପ୍ରସ୍ତୁତ ଓ ପ୍ୟାକିଂ କୌଣସି ସ୍ୱୀକୃତିପ୍ରାପ୍ତ କମ୍ପାନୀ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉ ନ ଥିବା ବେଳେ ଦାରିଙ୍ଗବାଡି କଫି ନାମରେ ଲେବୁଲ ମାରି ଅବାଧରେ ବିକ୍ରି କରାଯାଉଛି । ଯାହାକି ଖାଉଟିମାନଙ୍କ ଖାଦ୍ୟ ନିରାପତ୍ତା ଉପରେ ବିପଦ ରହିଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଉଛି । ଏହି କନ୍ଧମାଳ ଜିଲ୍ଲାରେ କେବଳ ହଳଦୀ ଛଡା ଅନ୍ୟ କୌଣସି ମସଲା ଜାତୀୟ ଯଥା ଡାଲଚିନି, ଗୁଜୁରାତି, ଜୁଆଣି, ଜୁଆଣିର ଫୁଲ, ଧଳା ସୋରିଷ, ଚେରୀ କୋଳି, ପୁସ୍ତା, ତେଜପତ୍ର, ଭଳି ସାମଗ୍ରୀ ଅମଳ ହେଉ ନ ଥିଲେ ସୁଦ୍ଧା କନ୍ଧମାଳ ଅଞ୍ଚଳର ନାମରେ ପ୍ୟାକିଂ କରି ବିକ୍ରି କରାଯାଉଛି । ଉକ୍ତ ଅଞ୍ଚଳରେ ଓଜନ ଓ ମାପ ବିଭାଗ ସହ ଖାଦ୍ୟ ନିରାପତ୍ତା ଓ ଏହାର ମାନଦଣ୍ଡକୁ ପରୀକ୍ଷା କରିବାକୁ ବିଭାଗ ବ୍ଲକସ୍ତରରେ ନ ଥିବାବେଳେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହାକୁ ଯାଞ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଖାଦ୍ୟ ନିରାପତ୍ତା ନେଇ ବିପଦ ରହୁଛି । ଭୁବନେଶ୍ୱରର ଜଣେ ପର୍ଯ୍ୟଟକ ସମରେନ୍ଦ୍ର ସାହୁ କୁହନ୍ତି, ସେ ଅନେକ ଥର ଦାରିଙ୍ଗବାଡି ବୁଲିବାକୁ ଆସିଛନ୍ତି ହଳଦୀ ଗୋଟିଏ ପ୍ରକାର ଆମେ ଜାଣିଛୁ କିନ୍ତୁ ଏହି ଅଞ୍ଚଳରେ କିଛି ବ୍ୟବସାୟୀମାନେ ଅପମିଶ୍ରିତ ହଳଦୀ ବିଭିନ୍ନ ଦରରେ ବିକ୍ରି କରୁଛନ୍ତି । ସେଠାକାର ଜନଜାତି କିମ୍ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସଠିକ ଅଞ୍ଚଳର ଅମଳ ସାମଗ୍ରୀ ବିକ୍ରି କରୁଛନ୍ତି ବୋଲି ସେ କହିଛନ୍ତି । ଏନେଇ କନ୍ଧମାଳ ଜିଲ୍ଲା ଖାଦ୍ୟ ନିରାପତ୍ତା ଓ ମାନଦଣ୍ଡ କର୍ତ୍ତୃପକ୍ଷ ସତ୍ୟବ୍ରତ ଷେଣ୍ଢଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କେବଳ ହଳଦୀ ନୁହେଁ ଏକାଧିକ ସାମଗ୍ରୀ ନକଲି ଆଶଙ୍କାରେ ଯାଞ୍ଚ ପାଇଁ ବିହିତ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.