jayashree

ଭାରତ ପାଇଁ ନୂତନ ପୁନଃବ୍ୟବହାରକ୍ଷମ ସ୍ୱଳ୍ପ ଖର୍ଚ୍ଚ ବିଶିଷ୍ଟ ପ୍ରକ୍ଷେପଣ ଯାନ

  • ଅଧିକ ପେଲୋଡ୍‌, ଖର୍ଚ୍ଚ ସାପେକ୍ଷ, ପୁନଃବ୍ୟବହାରକ୍ଷମ ଏବଂ ବାଣିଜ୍ୟିକ ଅନୁକୂଳ ପ୍ରକ୍ଷେପଣ ଯାନର ବିକାଶ କରିବ ଇସ୍ରୋ
  • ପରବର୍ତ୍ତୀ ପିଢ଼ିର ସାଟେଲାଇଟ୍‌ ପ୍ରକ୍ଷେପଣ ଯାନର ବିକାଶ ପାଇଁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପରବର୍ତ୍ତୀ ପିଢ଼ିର ପ୍ରକ୍ଷେପଣ ଯାନ ଏନ୍‌ଜିଏଲ୍‌ଭିର ବିକାଶ ପାଇଁ ଏକ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରି ମିଳିଛି । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରତିଷ୍ଠା ଓ ପରିଚାଳନା ଏବଂ ୨୦୪୦ରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ସକାଶେ ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଲ୍‌ଭିଏମ୍‌୩ ପେଲୋଡ କ୍ଷମତା ତୁଳନାରେ ଏନ୍‌ଜିଏଲ୍‌ଭି ପେଲୋଡ କ୍ଷମତା ତିନିଗୁଣା ଅଧିକ ଏବଂ ଖର୍ଚ୍ଚ ହିସାବରେ ମାତ୍ର ଦେଢ଼ଗୁଣା ଅଧିକ । ଏଥିସହ ଏହା ପରିବେଶ ଅନୁକୂଳ ପ୍ରକ୍ରିୟାରେ ପୁନଃବ୍ୟବହାରକ୍ଷମ ଭାବେ ମହାକାଶକୁ କମ୍ ଖର୍ଚ୍ଚରେ ଯାଇପାରିବ । ଅମୃତ କାଳରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ପାଇଁ ଏକ ନୂତନ ପିଢ଼ିର ପ୍ରକ୍ଷେପଣ ଯାନର ଆବଶ୍ୟକତା ଥିଲା, ଯାହାକି ଅଧିକ ପେଲୋଡ ସହ ପୁନଃବ୍ୟବହାରକ୍ଷମ ହୋଇଥିବା ଏବଂ ମାନବ ପରିବହନ ସକାଶେ ସକ୍ଷମ ହୋଇଥିବ । ତେଣୁ ଏଜିଏଲ୍‌ଭିର ବିକାଶ ନିଷ୍ପତ୍ତି ହୋଇଛି ଯାହାକି ସର୍ବାଧିକ ୩୦ ଟନର ପେଲୋଡ ସହ ପୃଥିବୀର ନିମ୍ନ କକ୍ଷକୁ ଯାଇପାରିବ ଏବଂ ପ୍ରଥମ ପର୍ଯ୍ୟାୟରେ ପୁନଃବ୍ୟବହାରକ୍ଷମ ହୋଇଥିବ । ଏବେ ଭାରତ ୧୦ ଟନର ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷକୁ ଏବଂ ଭୂସ୍ଥିର ସ୍ଥାନାନ୍ତରଣ କକ୍ଷ Geo-Synchronous Transfer Orbit (ଜିଟିଓ)କୁ ପଠାଇବା ସକାଶେ ପିଏସ୍‌ଏଲ୍‌ଭି, ଜିଏସ୍‌ଏଲ୍‌ଭି, ଏଲ୍‌ଭିଏମ୍‌୩ ଏବଂ ଏସ୍‌ଏସ୍‌ଏଲ୍‌ଭି ପ୍ରକ୍ଷେପଣ ଯାନ ପ୍ରସ୍ତୁତ ଦିଗରେ ଆତ୍ମନିର୍ଭର ହୋଇପାରିଛି । ଏନ୍‌ଜିଏଲ୍‌ଭି ବିକାଶ ପ୍ରକଳ୍ପରେ ଭାରତୀୟ ଉଦ୍ୟୋଗଗୁଡ଼ିକ ସର୍ବାଧିକ ସହାୟତା କରିବେ । ଏହି ପ୍ରକଳ୍ପରେ ସେମାନେ ନିର୍ମାଣ କ୍ଷମତାରେ ନିବେଶ କରିବେ ଯଦ୍ୱାରା ପରବର୍ତ୍ତୀ ବିକାଶ ଦିଗରେ ବିନା ବାଧାରେ ଅଗ୍ରଗତି କରିହେବ । ଏନ୍‌ଜିଏଲ୍‌ଭି ପ୍ରକଳ୍ପକୁ ୯୬ ମାସ (୮ ବର୍ଷ) ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି ଏବଂ ଏହା ତିନୋଟି ବିକାଶମୂଳକ ଉଡ଼ାଣ (ଡି ୧, ଡି ୨ ଏବଂ ଡି ୩)ରେ ପ୍ରଦର୍ଶନ ହେବ । ଏଥିପାଇଁ ମୋଟ ୮୨୪୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି ଏବଂ ଏହା ମଧ୍ୟରେ ବିକାଶ ଖର୍ଚ୍ଚ, ତିନୋଟି ବିକାଶମୂଳକ ଉଡ଼ାଣ, ଆବଶ୍ୟକ ସୁବିଧାର ପ୍ରସ୍ତୁତି, କାର୍ଯ୍ୟକ୍ରମ ପରିଚାଳନା ଏବଂ ପ୍ରକ୍ଷେପଣ ଅଭିଯାନ ଅନ୍ତର୍ଭୁକ୍ତ । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଆଡ଼କୁ ଅଗ୍ରସର ଏନ୍‌ଜିଏଲ୍‌ଭିର ବିକାଶ ଦ୍ୱାରା ଜାତୀୟ ଓ ବାଣିଜ୍ୟିକ ମିସନ ସଫଳ ହୋଇପାରିବ । ଏହା ମଧ୍ୟରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନକୁ ମାନବରହିତ ମହାକାଶଯାନ ପ୍ରେରଣ, ଚନ୍ଦ୍ର ଓ ଅନ୍ତରୀକ୍ଷ ଗବେଷଣା ଅଭିଯାନ, ପୃଥିବୀର ନିମ୍ନ କକ୍ଷରେ ସଞ୍ଚାର ଓ ପୃôଥିବୀ ଉପରେ ଦୃଷ୍ଟି ରଖୁଥିବା ଉପଗ୍ରହ ଅବସ୍ଥାପିତ କରିବା ଅନ୍ତର୍ଭୁକ୍ତ । ଏହାଦ୍ୱାରା ଦେଶର ମୋଟ୍‌ ଅନ୍ତରୀକ୍ଷ ଅଭିଯାନକୁ ଫାଇଦା ମିଳିପାରିବ । ଏହି ପ୍ରକଳ୍ପ ଦେଶର ମହାକାଶ ଅଭିଯାନ ଓ ଗବେଷଣା କ୍ଷମତାକୁ ସୁଦକ୍ଷ କରିବ ।

Leave A Reply

Your email address will not be published.