ଦେଶରେ ବାର୍ଷିକ ୬୦ରୁ ୭୦ ହଜାର ନବଜାତଙ୍କ ଜୀବନ ବଞ୍ଚାଉଛି ସ୍ୱଚ୍ଛ ଭାରତ ଅଭିଯାନ

  • ଶିଶୁ ମୃତ୍ୟୁ ହାର କମାଇବା ସହିତ ସାମଗ୍ରିକ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟଗତ ସୁଧାର କ୍ଷେତ୍ରରେ ଅଭିଯାନର ଭୂମିକାକୁ ଅନ୍ତର୍ଜାତୀୟ ଗବେଷଣା ପତ୍ରରେ ଉଚ୍ଚପ୍ରଶଂସା
  • ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ଭାରତ ଅଗ୍ରଣୀ ହେବା ଖୁସିର ବିଷୟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ଦେଶରେ ବ୍ୟାପକ ଅଭ୍ୟାସଗତ ପରିବର୍ତ୍ତନ ଆଣିବା ସହ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ୱଚ୍ଛ ଭାରତ ଅଭିଯାନ ଏବେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଏହି ଅଭିଯାନ ଦେଶକୁ ଖୋଲା ଶୌଚମୁକ୍ତ କରିବା ଯୋଗୁ ଭାରତରେ ବାର୍ଷିକ ପ୍ରାୟ ୬୦,୦୦୦ରୁ ୭୦,୦୦୦ ନବଜାତ ଶିଶୁଙ୍କ ମୃତ୍ୟୁକୁ ଏଡ଼ାଇ ଦିଆଯାଇ ପାରିଛି । ନିକଟରେ ନେଚର୍ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ପତ୍ରରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଆନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଏବଂ ଓହିୟୋ ଷ୍ଟେଟ୍ ୟୁନିଭର୍ସିଟୀର ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ଏହି ଗବେଷଣା ପତ୍ରରେ ଶିଶୁ ମୃତ୍ୟୁ ହାର ରୋକିବାରେ ସ୍ୱଚ୍ଛ ଭାରତ ଅଭିଯାନର ଯୋଗଦାନକୁ ଉଚ୍ଚ ପ୍ରଶଂସା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗବେଷଣାପତ୍ରର ପରିଣାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏ ସଂକ୍ରାନ୍ତ ଏକ ପୋଷ୍ଟ୍ ଶେୟାର କରି ଶ୍ରୀ ମୋଦୀ ଲେଖିଛନ୍ତି, ‘‘ସ୍ୱଚ୍ଛ ଭାରତ ଭଳି ଅଭିଯାନର ପ୍ରଭାବ ଉଲ୍ଲେଖ କରୁଥିବା ଗବେଷଣାପତ୍ରର ଫଳାଫଳକୁ ଦେଖି ଆନନ୍ଦିତ। ଶୌଚାଳୟର ଉପଯୁକ୍ତ ଉପଲବ୍ଧତା ନବଜାତ ଓ ଶିଶୁ ମୃତ୍ୟୁ ହାର ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ସ୍ୱଚ୍ଛ, ସୁରକ୍ଷିତ ପରିମଳ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି । ଆଉ ଭାରତ ଏହି କ୍ଷେତ୍ରରେ ଅଗ୍ରଣୀ ହେବା ଖୁସିର ବିଷୟ ।’’ ଉପରୋକ୍ତ ଗବେଷଣା ପତ୍ରରେ ଦର୍ଶାଯାଇଛି ଯେ, ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ଶୌଚାଳୟ ପ୍ରସାରରେ ଉଲ୍ଲେଖନୀୟ ବୃଦ୍ଧି ହେବା ସହିତ ଖୋଲା ଶୌଚ ଭଳି କୁଅଭ୍ୟାସରେ ପରିବର୍ତ୍ତନ ଆସିଛି । କେବଳ ସେତିକି ନୁହେଁ, ପାଇପ୍ ଜଳ ଯୋଗାଣ ୧୬%ରୁ ବୃଦ୍ଧି ପାଇ ୭୮%ରେ ପହଞ୍ଚିଛି । ୧୧ କୋଟିରୁ ଅଧିକ ଘରକୁ ସ୍ୱଚ୍ଛ ରୋଷେଇ ଗ୍ୟାସ୍ ସଂଯୋଗ ଦିଆଯାଇଛି । ଏହାଦ୍ୱାର ସାମାଜିକ ଓ ସ୍ୱାସ୍ଥ୍ୟଗତ ପରିଣାମରେ ଉନ୍ନତି ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, ୟୁପିଏ-୧ ସରକାରଙ୍କ ଅମଳରେ ଦେଶର କେତେକ ଜିଲ୍ଲାରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟପ୍ରଦ ଶୌଚାଳୟ ଉପଲବ୍ଧତାରେ ହ୍ରାସ ଘଟିଥିଲା । ୟୁପିଏ-୧ ସମୟରେ ସାମାଜିକ ବ୍ୟୟ ବୃଦ୍ଧି ପାଇଥିବା ନେଇ କଂଗ୍ରେସ ପକ୍ଷରୁ ଯେଉଁ ଦାବି କରାଯାଇଛି ତାହାର ବିପରୀତ ଶୌଚାଳୟ ଉପଲବ୍ଧତା ଭଳି ମୌଳିକ ସୁବିଧା ହ୍ରାସ ପାଇଥିଲା ବୋଲି ଗବେଷଣାପତ୍ରରେ ଉଲ୍ଲେଖ କରାଯାଇଛି । ଏଥିରେ ଆହୁରି କୁହାଯାଇଛି ଯେ, ୨୦୦୦ରୁ ୨୦୧୫ ନବଜାତ ମୃତ୍ୟୁ ହାର ବାର୍ଷିକ ୩% ହ୍ରାସ ପାଇଥିବା ବେଳେ ୨୦୧୫ରୁ ୨୦୨୦ ମଧ୍ୟରେ ବାର୍ଷିକ ୮ରୁ୯% ହାରରେ ହ୍ରାସ ପାଇଥିଲା । ନବଜାତଙ୍କ ମୃତ୍ୟୁହାରରେ ତିନିଗୁଣା ହ୍ରାସ ଦେଖିବାକୁ ମିଳିବା ସ୍ୱଚ୍ଛ ଭାରତ ମିଶନର ଉଲ୍ଲେଖନୀୟ ପ୍ରଭାବକୁ ଦର୍ଶାଉଛି । କେବଳ ସେତିକି ନୁହେଁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ନବଜାତ ଶିଶୁ ମୃତ୍ୟୁ ହାର ମଧ୍ୟରେ ବ୍ୟବଧାନ ୨୦୧୪ରେ ୩୯ ଥିବା ବେଳେ ଏଥିରେ ୧୨ ପଏଣ୍ଟ ହ୍ରାସ ପାଇ ୨୦୨୦ରେ ୨୮ରେ ପହଞ୍ଚିଛି । ଏଥିରେ ଆହୁରି କୁହାଯାଇଛି ଯେ, ବିଭିନ୍ନ ଜିଲ୍ଲାରେ ଶୌଚାଳୟ ଉପଲବ୍ଧତା ଯୋଗୁ ଆନୁଷ୍ଠାନିକ ପ୍ରସବ, ମାତୃ ମୃତ୍ୟୁହାର ଏବଂ ପ୍ରସବପୂର୍ବ ଯତ୍ନରେ ସୁଧାର ଦେଖିବାକୁ ମିଳିଛି । ଅଧିକ ସଂଖ୍ୟାରେ ମହିଳା ଓ ଶିଶୁଙ୍କୁ ପୋଷଣ ଅଭିଯାନ ଓ ପିଏମ୍ ମାତୃ ବନ୍ଦନା ଯୋଜନା ଭଳି ପୋଷଣ ସେବା ଅଧିକ ମାତ୍ରାରେ ଉପଲବ୍ଧ ହୋଇଛି । ଯେଉଁଠି ପାଇପ୍ ଜଳଯୋଗାଣ ସୁବିଧା ଅଧିକ ରହିଛି ସେହି ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନର ଅଧିକ ଲାଭ ମିଳିଛି । ଜଳଜୀବନ ମିଶନ କାର୍ଯ୍ୟକାରୀ ହେବା ଫଳରେ ୧୨ କୋଟି ଗ୍ରାମୀଣ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଗ୍ରାମାଞ୍ଚଳରେ ପାଇପ୍ ଜଳ ଯୋଗାଣର ପ୍ରସାର ଗତ ପାଞ୍ଚ ବର୍ଷ ମଧ୍ୟରେ ୧୬%ରୁ ୭୮%କୁ ବୃଦ୍ଧି ପାଇଛି । ଏହାଦ୍ୱାରା ସ୍ୱଚ୍ଛ ଭାରତର ଅଧିକ ସକାରାତ୍ମକ ସ୍ୱାସ୍ଥ୍ୟ ଲାଭ ମିଳିଛି ।

Leave A Reply

Your email address will not be published.