jayashree

ପ୍ରେମ

ରବି କାନୁନ୍‌ଗୋ

ପ୍ରେମ କାଳରେ ପ୍ରେମିକ ପ୍ରେମିକା ଦୁହେଁ ଫୋନ୍‌ କି ମୋବାଇଲ୍‌ରେ ଗପ ହୁଅନ୍ତି । ଏଠି ସଙ୍କଟ ହେଲା – କଥା ହେବାକୁ ପ୍ରସଙ୍ଗ ନ ଥାଏ, ଫୋନ୍‌ ଛାଡ଼ିବାକୁ ମନ ହେଉ ନ ଥାଏ । ଆଉ ଗୋଟିଏ ଅବସ୍ଥା ବାହାଘର ପରେ : ପତ୍ନୀ – ପାଖରେ ଥିଲେ କୁଆଡେ଼ ପତିଙ୍କୁ ଯାତନା ଦିଅନ୍ତି ଓ ନ ଥିଲେ, ବାବୁ ନିଜଆଡ଼ୁ ନିର୍ଯ୍ୟାତିତ ହେଉଥା’ନ୍ତି । ଏପରି ସଂପର୍କ ଯେତିକି କଅଁଳ, ତହୁଁ ଅଧିକ ହୁରୁଡ଼ା ବୋଲି ଏ ସଂସାର ଟାଲ୍‌-ପକା ସାଇକେଲ ପରି ଆଗକୁ ଚାଲୁଥାଏ ତ’!

ଜର୍ମାନରୁ ଡକ୍ଟର ରାଜେନ୍ଦ୍ର ନାରାୟଣଙ୍କ ସାଙ୍ଗରେ ଫୋନ୍‌ରେ ଗପ ହେଉଥିଲି । ସେ କହିଲେ – ପତ୍ନୀ ଯାଇଛନ୍ତି ଓଡ଼ିଶା, ମୁଁ ପୂରା ଫ୍ରି । ମାତ୍ର ତାଙ୍କ କଣ୍ଠର ନିନାଦରୁ ଜଣା ପଡ଼ୁଥିଲା – ଭାଷା ଯାହା, ଭାବ ସେଇଆ ନୁହେଁ । ଘୁମୁରୁ ଥିବା ଏକାକିନୀ କପୋତ ପରି – ଶବ୍ଦ ନିଆରା ତ ଅର୍ଥ ନିଆରା । ସେଥିପାଇଁ ପ୍ରତି ଲୋକ ହାତରେ ନିଜର ପାଳନୀୟ ଆଚରଣ ସଂହିତା ଖଣ୍ଡିଏ ଥାଏ ।

ଅଭାବ ହେଲେ ଯାଇଁ ଭାବର ଭାଉ ଜଣାପଡେ଼ । ଶବ୍ଦର ହରିତ ବିଭବ ତଳେ ସବୁବେଳେ ମନର ଭାଷା ବୁଦାମୂଳେ ନେଉଳ ପରି ଲୁଚିଯାଏ । କାରଣ, ମନ କଥା କହିବାକୁ ଶବ୍ଦ ସଂଖ୍ୟା ପର୍ଯ୍ୟାପ୍ତ ନୁହେଁ । ମନ ଯଦି ସମୁଦ୍ରପ୍ରାୟ ହୁଏ ତାହା ବ୍ୟକ୍ତ କରିବାକୁ ଆମ ହାବୁଡ଼ରେ ପଡ଼ୁଥିବା ଶବ୍ଦର ପରିମାଣ ଚାମଚଟେ ହେବ କି ନା । ଗୋଟିଏ ଶବ୍ଦ ‘ପ୍ରେମ’ (ଲଭ୍‌)କୁ ଉଦାହରଣ ରୂପେ ନେବା । ଇଏ ଏକାଟିଆ ପୃଥିବୀର ଅଧା ଭାର ସମ୍ଭାଳିଛି । ଆମେ ଦେଶକୁ ପ୍ରେମ କରୁ, ଧର୍ମକୁ ପ୍ରେମ କରୁ, ଠାକୁରଙ୍କୁ ପ୍ରେମ କରୁ, ବାବାଙ୍କୁ ପ୍ରେମ କରୁ, ଓଲୁଅ କଖାରୁ ବାଇଗଣ କନ୍ଦମୂଳ ବା ଯାହା ସମ୍ଭବ ସବୁକୁ ପ୍ରେମ କରୁ । ସେଇ ନାଁରେ ଯୁଦ୍ଧ ହୁଏ, ପୁଣି ସେଇ ନାଁରେ ସନ୍ଧି । ସେ ନାଁରେ ସରଳତା ଦେଖେଇହୁଏ ଏବଂ ସେ ନାଁରେ ଚାଲେ ଅଭିସନ୍ଧି । ଗୋଟିଏ ଉଦାହରଣ ଖୋଜିଲେ, ସେଥିପାଇଁ ଗୋଟିଏ ନଭେଲ୍‌ ପଢ଼ିବାକୁ ପଡେ଼ ।

‘ପଟାପଟି’ – ଇଏ ଆଉ ଗୋଟିଏ ଶବ୍ଦ ଯାହାର କୌଣସି କ୍ରିୟମାଣ ପ୍ରଦର୍ଶନୀ ପବ୍ଲିକ୍‌ ଦେଖି ନ ଥା’ନ୍ତି, ମାତ୍ର ସେଗୁଡ଼ିକର ଗଦ୍ୟରୂପ ଦେଖିବାକୁ ମିଳେ ଥାନା ବାରଣ୍ଡାରେ ବା କଚେରି ହତାରେ । ଏ କେଶ୍‌ରେ ଅଭିଯୋଗଗୁଡ଼ିକ ସଚରାଚର ସମାନ । “ସେ ପଟେଇଲା, ମୁଁ ପଟିଗଲି । ଆହୁରି ପଟେଇ ଥିଲେ ସେମିତି ପଟି ରହିଥା’ନ୍ତି ମଧ୍ୟ । କଥା ଏବେ ବୁକେଇବାରୁ ହଜୁରଙ୍କ ଗୁହାରିକି ଆସିଛି । ପଟିଲା ବେଳେ ମୁଁ ତା ବଚନକୁ ବିଶ୍ୱାସ କରିଥିଲି । ଏବେ ସେ ଦୁରାଚାର ପାପିଷ୍ଠ ବାହା ହବାକୁ ମନା କରୁଚି ।” ପ୍ରତିଶ୍ରୁତି ଓ ପଟାପଟି – ଏ ଦୁଇଟିଯାକ ଗୁପ୍ତ କାଳର ଗୋପନ ତଥ୍ୟ । ସେଠି ସାକ୍ଷୀ ପ୍ରମାଣ ଆଶା କରାଯାଏନା । ମାତ୍ର ଆମ ଆଇନ ପଟି ତାକୁ ମୋଟେ ପଚାରେନି – ତୁ କାହିଁକି ପଟୁଥିଲୁ? ତା’ ବୟାନକୁ ବିଶ୍ୱାସ କରାଯାଏ ଏବଂ ପଟେଇ ଥିବା ଲୋକ ଦଣ୍ଡ ପାଏ । ଏଠି ଆଇନର ବ୍ୟାଖ୍ୟା କ୍ଳିଷ୍ଟ । ଦୁଇ ଜଣ ମିଶି ଦୋଷ କରିବେ ଓ ଜଣେ ଦଣ୍ଡ ପାଇବ । ତାହା ପୁଣି ଅନ୍ୟ ଦୋଷୀର ଅଭିଯୋଗରେ । ଏ କ୍ଷେତ୍ରରେ କୌଣସି ଧାରା ବିବରଣୀ ଦେଖନ୍ତୁ । ପେଟିସନ୍‌ରେ ୮୦% ଉଲ୍ଲେଖ ଥିବ ପ୍ରେମ ଶବ୍ଦର । ବାକି ୨୦% ପ୍ରତିଶ୍ରୁତି । ସବୁଯାକ ଫୌଜଦାରୀ ଦଫା ସେଇ ୨୦%ରୁ ବାହାରେ ।

ତେଣୁ ‘ପ୍ରେମ’ ଶବ୍ଦର ସାର୍ବଜନୀନ ଅର୍ଥ କେମିତି ସମାନ ହେବ? ଏ ବାସ୍ତବ ବିପଦରୁ କେହି ଡେଇଁବାକୁ ଇଚ୍ଛା କଲେ ବି ତା’ ପାଖରେ ଭାଷାରେ କହିବାକୁ ଶବ୍ଦ ନ ଥାଏ । ସବୁକୁ ପ୍ରେମ କହି ସେ କାମ ଚଳେଇ ନିଏ ।

ମୋ.ନଂ. : ୯୪୩୭୧୯୪୬୦୦

Leave A Reply

Your email address will not be published.