ସଚ୍ଚିଦାନନ୍ଦ ହନୁମାନ
ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ । ସେ ମହାନ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ । ପ୍ରଭୁ ଇଶ୍ୱର ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ । ସେ ଯାକୁବ ବଂଶ ଉପରେ ଯୁଗ ଯୁଗ ରାଜତ୍ୱ କରିବେ ଓ ତାହାଙ୍କ ରାଜ୍ୟର ଲୋପ ହେବ ନାହିଁ । (ଲୁକ ୧:୩୧-୩୪)
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଅଲୌକିକ ତଥା ଐତିହାସିକ ସତ୍ୟ ଅଟେ । ତାଙ୍କର ଧରାପୃଷ୍ଠର ଆଗମନର ଯୋଜନା ସ୍ୱର୍ଗରେ ଇଶ୍ୱର ନେଇଥିଲେ ଓ ଏହି ସୁସମ୍ବାଦ ଦୂତଙ୍କ ମାଧ୍ୟମରେ ଧରାପୃଷ୍ଠରେ ବାସ କରୁଥିବା ଇତର ମାନବମାନଙ୍କ ନିକଟରେ ପ୍ରକାଶ ଓ ଘୋଷଣା କରାଯାଇଥିଲା । ତାହାଙ୍କ ଜନ୍ମ ସମ୍ବନ୍ଧୀୟ ସୁସମ୍ବାଦ ମର୍ତ୍ତ୍ୟମଣ୍ଡଳର ସଙ୍ଗୀତ ଦଳ ନୁହେଁ, ମାତ୍ର ସ୍ୱର୍ଗିୟ ଦୂତବାହିନୀ ସ୍ତବଗାନ ଦ୍ୱାରା ଘୋଷଣା କରିଥିଲେ । ଯୀଶୁଖ୍ରୀଷ୍ଟଙ୍କ ଧରାପୃଷ୍ଠରେ ଜନ୍ମ ଗ୍ରହଣ କୌଣସି ନିର୍ଦ୍ଧିଷ୍ଟ ଜାତି ବା ଗୋଷ୍ଠୀ ନିମନ୍ତେ ନୁହେଁ, ମାତ୍ର ସମୁଦାୟ ଜଗତରେ ବାସ କରୁଥିବା ମାନବ ସମାଜ ନିମନ୍ତେ । ଯେଉଁ ଦିନ ସ୍ୱାର୍ଥ ଓ ସଂକୀର୍ଣ୍ଣତାରୁ ମାନବ ସାମଜ ଉଦ୍ଧ୍ୱର୍କୁ ଉନ୍ନିତ ହେବ ସେହି ଦିନ ତାଙ୍କର ଜନ୍ମର ଉଦ୍ଦେଶ୍ୟ ସଫଳ ହେବ । ସେ ସାଧାରଣ ମଣିଷ ପରି ଜଗତରେ ଜନ୍ମଗ୍ରହଣ କରି ଜୀବନ ଯାପନ କରିଥିଲେ ମାତ୍ର ସେ ଅସାଧାରଣ ଓ ଅଲୌକିକ ଅଟନ୍ତି ଏହା ମଧ୍ୟ ସତ୍ୟ ଅଟେ ।
ତାହାଙ୍କ ନାମକରଣ କରିବା ନିମନ୍ତେ ଧରାପୃଷ୍ଠରେ କୌଣସି ବ୍ୟକ୍ତିଙ୍କ ଅଧିକାର ନ ଥିବାରୁ ତାହାଙ୍କ ନାମକରଣ ମଧ୍ୟ ସ୍ୱର୍ଗରୁ ହୋଇଥିଲା । ଯୀଶୁ ଶବ୍ଦର ଅର୍ଥ “ଉଦ୍ଧାରକର୍ତ୍ତା’ ଅର୍ଥାତ ଜନ୍ମ ପୂର୍ବରୁ ସେ ଅନ୍ୟମାନଙ୍କୁ ସୁରକ୍ଷା ଓ ଉଦ୍ଧାର ନିମନ୍ତେ ବଳିକୃତ ହେବେ ଏହା ପ୍ରକାଶ କରାଗଲା । ଇଶ୍ୱର ପାପକୁ ଘୃଣା କରନ୍ତି ମାତ୍ର ପାପିଙ୍କୁ ନୁହେଁ, ଯେଉଁ ପାପି ମନ ଫେରଣ କରି ତାହାଙ୍କ ଠାରେ ଆଶ୍ରିତ ତାଙ୍କୁ ସେ ସାଦରେ ଗ୍ରହଣ କରନ୍ତି । ସେ ଇତର ମଣିଷ ପରି ଜୀବନ ଯାପନ କରୁଥିଲେ ମଧ୍ୟ ଶତକଡା ଶହେ ମଣିଷ ଓ ଶତକଡା ଶହେ ଇଶ୍ୱର ଅଟନ୍ତି । ସେ କ ରୁ କ୍ଷ ଓ ଆଲ୍ଫା ରୁ ଓମେଗା ଅର୍ଥାତ ଆରମ୍ଭରୁ ଶେଷ ଅଟନ୍ତି ।
ତାଙ୍କ ଜନ୍ମ ଆକସ୍ମିକ ନୁହେଁ । ତାଙ୍କ ଜନ୍ମର ଅନେକ ବର୍ଷ ପୂର୍ବରୁ ଯୀଶାଇୟ, ଜିଖରିୟ ଓ ମିଖାଏଲ ଭବିଷ୍ୟତ ବକ୍ତା ମାନଙ୍କଦ୍ୱାରା ଏହା ଘୋଷଣା କରାଯାଇଥିଲା ଓ ସେ ଦାଉଦଙ୍କ ବେଥଲିହିମ ନଗରରେ ଜନ୍ମ ହେବା ଯୋଜନା ମଧ୍ୟ ପୂର୍ବ ଘୋଷିତ ଅଟେ । ଇଶ୍ୱର ଆକାଶମଣ୍ଡଳ, ପୃଥିବୀ, ପଶୁ ପକ୍ଷୀ ଓ ବାୟୁମଣ୍ଡଳ ଇତ୍ୟାଦି ଆଜ୍ଞା ମାତ୍ରକେ ସୃଷ୍ଟି କଲାପରେ ସୃ୍ଷ୍ଟିର ଅପୂର୍ଣ୍ଣତା ହୃଦୟଙ୍ଗମ କରି ମାଟିର ପିତୁଳା ନେଇ ନିଜ ହସ୍ତରେ ଆପଣା ପ୍ରତିମୂର୍ତ୍ତିରେ ପିତୁଳା କଲେ ଓ ଜୀବନ୍ୟାସ ଦେଇ ଆଦମଙ୍କୁ ସୃଷ୍ଟି କଲେ, ସେଥି ନିମନ୍ତେ ଅନ୍ୟ ସୃଷ୍ଟି ଅପେକ୍ଷା ଆଦମଙ୍କ ସୃଷ୍ଟି ବହୁମୁଲ୍ୟ ଅଟେ ।
ଆଦମଙ୍କ ପରେ ହବାଙ୍କ ସୃଷ୍ଟି । ସେଥି ନିମନ୍ତେ ଆଦମ ଓ ହବାଙ୍କୁ ଆଦି ପିତାମାତାର ମାନ୍ୟତା ପ୍ରଦାନ କରାଯାଇଅଛି । ସ୍ୱର୍ଗର ଏଦନ ଉଦ୍ୟାନରେ ଏମାନେ ପ୍ରତିଦିନ ଇଶ୍ୱରଙ୍କ ସହିତ ଗମନାଗମନ ଓ କଥୋପକଥନ କରି ଏକ ସୁନ୍ଦର ଜୀବନଯାପନ କରୁଥିଲେ ଓ ଏହା ଏଦନ ଉଦ୍ୟାନର ଶୋଭା ବର୍ଦ୍ଧନ କରୁଥିଲେ । କାଳକ୍ରମେ ଶୟତାନ ହବାଙ୍କ ମାଧ୍ୟମରେ ଏମାନଙ୍କୁ ଇଶ୍ୱରଭ୍ରଷ୍ଟ କରି ଏଦନ ଉଦ୍ୟାନରୁ ବିତାଡିତ କରିବାରେ ସଫଳ ହେଲା । ଆଦି ପିତାମାତାଙ୍କ ସନ୍ତାନସନ୍ତତି କାଳକ୍ରମେ ଅତ୍ୟଧିକ ପାପରେ ଗତି କରି ସମ୍ପୁର୍ଣ୍ଣ ଧରାପୃଷ୍ଠକୁ ପାପମୟ କଲେ । ଜୀବନ୍ୟାସ ଦ୍ୱାରା ସୃଷ୍ଟ ଏହି ଆଦମଙ୍କ ସନ୍ତାନମାନଙ୍କୁ ସୁରକ୍ଷା ଓ ଉଦ୍ଧାର କରିବା ନିମନ୍ତେ ଇଶ୍ୱର ସ୍ୱୟଂ ଦ୍ୱିତୀୟ ଆଦମ ରୂପରେ ଧରାପୃଷ୍ଠରେ ଅବତରଣ କରି ତାଙ୍କ ଯୋଜନାକୁ ସଫଳ କଲେ । ଏହି ଦ୍ୱିତୀୟ ଆଦମ ଅନ୍ୟ କେହି ନୁହଁନ୍ତି, ମାତ୍ର ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ସେ ନିଜେ ଇତିହାସର ସୃଷ୍ଟି କର୍ତ୍ତା ଓ ନିଜେ ଇତିହାସ ଅଟନ୍ତି ଓ ତାଙ୍କ ଜନ୍ମ ଦ୍ୱାରା ସମୟ ଦୁଇ ଭାଗ ହେଲା । ତାଙ୍କ ଜନ୍ମ ପୂର୍ବର ଦିନଗୁଡିକୁ ଖ୍ରୀଷ୍ଟପୂର୍ବ ଓ ତାଙ୍କ ଜନ୍ମ ପର ଦିନଗୁଡ଼ିକୁ ଖ୍ରୀଷ୍ଟାବ୍ଦ ରୂପେ ଗଣନା କରାଯାଇଅଛି । ତାଙ୍କ ଜନ୍ମର ସୁସମ୍ବାଦ ମଧ୍ୟ ଦୂତମାନଙ୍କ ମାଧ୍ୟମରେ ଧରାପୃଷ୍ଠରେ ପ୍ରକାଶ କରାଗଲା । ତତ୍କାଳିନ ପଣ୍ଡିତମାନେ ଶାସ୍ତ୍ର ଗଣନା କରି ତାଙ୍କର ଜନ୍ମ ସମ୍ପର୍କିୟ ସୂଚନା ପାଇଥିଲେ ମଧ୍ୟ ସମ୍ପୁର୍ଣ୍ଣ ରୂପେ ସଠିକ ସ୍ଥାନ ନିରୂପଣ କରିପାରି ନଥିଲେ । ସେମାନଙ୍କ ଧାରଣା ଥିଲା ଯେ ଯୀହୂଦିମାନଙ୍କର ରାଜା ରାଜାପ୍ରାସାଦରେ ଅର୍ଥାତ ହେରୋଦଙ୍କ ପ୍ରାସାଦରେ ହିଁ ଜନ୍ମ ହେବେ । ମାତ୍ର ଇଶ୍ୱରଙ୍କ ଯୋଜନା ଥିଲା ଅଲଗା । ଜାଗତିକ ଶାସ୍ତ୍ର ପୁଣି ଜ୍ଞାନ ଅପେକ୍ଷା ଇଶ୍ୱରଙ୍କ ଯୋଜନା ମହାନ ଏହା ବୁଝିବା ମଣିଷ ପକ୍ଷରେ ସହଜ ନୁହେଁ, ଏହା ହିଁ ପଣ୍ଡିତ ମାନଙ୍କ କାର୍ଯ୍ୟକ୍ରମରୁ ସ୍ପଷ୍ଟ ପ୍ରମାଣିତ ହୁଏ । ଏହି ପଣ୍ଡିତମାନଙ୍କୁ ଜାଗତିକତା ଶାସ୍ତ୍ରଜ୍ଞାନରୁ ସତ୍ୟାଭିମୁଖୀ କରିବା ନିମନ୍ତେ ଆକାଶ ମଣ୍ଡଳରେ ପୂର୍ବ ଘୋଷିତ ଯୋଜନା ମୁତାବକ ଏକ ଜ୍ୱଳନ୍ତ ନକ୍ଷତ୍ରର ଆବିର୍ଭାବ ହେଲା ଓ ସେ ଏମାନଙ୍କୁ ସଠିକ ସ୍ଥାନକୁ ପହଞ୍ଚାଇଲା । ଜାଗତିକତା ଭାବରେ ଆମେ ନିଜ ଉପରେ ବେଶି ବିଶ୍ୱାସ କରିଥାଉଁ । ମାତ୍ର ଯେ ସତ୍ୟ, ନିତ୍ୟ, ପବିତ୍ର, ଜୀବନ୍ତ ଓ ଅନନ୍ତର ଢାଳ ତାଙ୍କୁ ଆମେ ଭୁଲି ଯାଇଥାଉଁ । ପୃଥିବୀ ପୃଷ୍ଠରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସମୁଦାୟ ଜଗତ ନିମନ୍ତେ ଏକ ଆଶିର୍ବାଦ ଅଟେ କାରଣ ତାଙ୍କ ଜନ୍ମ ଦ୍ୱାରା ମଣିଷ ପାପରୁ ଉଦ୍ଧାର ପାଇବାର ରାସ୍ତା ଖୋଳିଗଲା । କାରଣ ଇଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ସେଥିରେ ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରିବ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ । (ଯୋହନ ୩:୧୬) ଏହି ପଦକୁ ଆମେ ସୁନା ପଦ ରୂପେ ସମସ୍ତେ ଜାଣୁ । ସଣ୍ଡେସ୍କୁଲରୁ ଆରମ୍ଭ କରି ମଣ୍ଡଳୀ ପର୍ଯ୍ୟନ୍ତ ସମସ୍ତଙ୍କର ଏହା କଣ୍ଠସ୍ଥ ଅଟେ । କିନ୍ତୁ ଏହି ପଦର ମର୍ଯ୍ୟାଦା ଓ ନିଗୁଢତା କେତେ ଯେ ବ୍ୟାପକ ଅନେକ ସମୟରେ ଜ୍ଞାନୀଗୁଣି ଜାଣି ମ୍ମ ଅଜଣା ଅଟନ୍ତି । ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତ ନିମନ୍ତେ ସ୍ୱୟଂ ଏକ ପ୍ରେମର ଦାନ ଅଟନ୍ତି । ଏହି ଦାନର କୌଣସି ମୂଲ୍ୟ ଜଗତ ପରିଶୋଧ କରି ପାରିବ ନାହିଁ । ସେ କୌଣସି ଗୋଟିଏ ସମ୍ପ୍ରଦାୟ ବା ଗୋଷ୍ଠୀ ନିମନ୍ତେ ଆସି ନାହାନ୍ତି ବରଂ ସମୁଦାୟ ଜଗତର ଉଦ୍ଧାର ନିମନ୍ତେ ତାହାଙ୍କ ଆବିର୍ଭାବ ଅଟେ । ଯେ କୌଣସି ବିଶିଷ୍ଠ ବ୍ୟକ୍ତିଙ୍କ ଜନ୍ମ ଦିବସ ସ୍ମରଣ କରିବା ନିମନ୍ତେ ନିର୍ଦ୍ଦିଷ୍ଟ ତାରିଖ ଥାଏ ଓ ସେହି ଦିନ କେବଳ ତାଙ୍କର ଜନ୍ମ ଦିନ ପାଳନ କରାଯାଏ । ମାତ୍ର ପ୍ରଭୁଯୀଶୁ ଖ୍ରୀଷ୍ଟ ଏକ ଇତିହାସ ପୁରୁଷ ଥିବାରୁ ତାଙ୍କର ଜନ୍ମ ଦିନକୁ କେବଳ ଡିସେମ୍ବର ୨୫ ରେ ସିମିତ ନରଖି ମାସାଧିକ କାଳ ଏହି ଜନ୍ମ ଉତ୍ସବ ପାଳନ କରାଯାଇଥାଏ । ଡିସେମ୍ବର ମାସକୁ ପବିତ୍ର ମାସ ବୋଲି ଗଣନା କରାଯାଏ ଏବଂ ଡିସେମ୍ବର ୧ କୁ ଅନେକ ସ୍ଥାନରେ ସ୍ୱାଗତ ମଧ୍ୟ କରାଯାଇଥାଏ । ଡିସେମ୍ବର ୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ତାରିଖରେ ବିଭିନ୍ନ ସ୍ଥାନ ମାନଙ୍କରେ ଖ୍ରୀଷ୍ଟମାସ ଇଭ୍ ପାଳନ କରାଯାଇଥାଏ ଓ ସେହି ଦିନଠାରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଇଥାଏ । ସେଥି ନିମନ୍ତେ ଡିସେମ୍ବର ମାସ ସାରା ତାଙ୍କର ଜନ୍ମ ଦିବସ ନୁହେଁ ମାତ୍ର ଜନ୍ମ ଉତ୍ସବ ପାଳନ କରାଯାଇଥାଏ ଓ ଏହି ଉତ୍ସବକୁ ଖ୍ରଷ୍ଟୋତ୍ସବ ବୋଲି ମଧ୍ୟ ପରିଗଣିତ ହୁଏ । ଏହି ବଡଦିନକୁ କେବଳ ଖ୍ରୀଷ୍ଟିୟାନ ମାନେ ପାଳନ କରନ୍ତି ତାହା ନୁହେଁ ମାତ୍ର ଅଣଖ୍ରୀଷ୍ଟିୟାନ ତଥା ଭିନ୍ନ ଧର୍ମାବଲମ୍ବୀ ମାନେ ମଧ୍ୟ ତାଙ୍କର ଜନ୍ମର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟକୁ ହୃଦୟଙ୍ଗମ କରି ମହା ଆଡମ୍ବରରେ ପାଳନ କରିଥାନ୍ତି ଓ ଏଥିରୁ ଭାରତ ମଧ୍ୟ ବାଦ୍ ପଡିନାହିଁ । ଇଶ୍ୱର ଯେ ପ୍ରକାର ଭାବରେ ପ୍ରେମର ଦାନ ସ୍ୱରୂପେ ଯୀଶୁଖ୍ରୀଷ୍ଟଙ୍କୁ ପଠାଇଲେ ଅନେକ ମାନବ ଧର୍ମୀମାନେ ଏହାକୁ ଅନୁକରଣ କରି ଖ୍ରୀଷ୍ଟମାସ ଉପହାର ପ୍ରଦାନ କରିଥାନ୍ତି । ମଣ୍ଡଳୀ ଗୁଡିକରେ ଶାଣ୍ଟାକ୍ଲଜ ମାନଙ୍କର ଆବିର୍ଭାବ ହୁଏ ଓ ସେମାନେ ବୁଲି ବୁଲି ବଡଦିନ ଉପହାର ପ୍ରଦାନ କରିଥାନ୍ତି । ବିଭିନ୍ନ ସ୍ଥାନମାନଙ୍କରେ ଏହି ଦିବସ ମାନଙ୍କରେ ସମରିଟାନ ଉପହାର ମଧ୍ୟ ପ୍ରଦାନ କରାଯାଇଥାଏ । ଆଶ୍ଚର୍ଯ୍ୟ ପୁଣି ଚିନ୍ତାର ବିଷୟ ତାଙ୍କ ଜନ୍ମ ଉଦ୍ଦେଶ୍ୟକୁ ସ୍ମରଣ କରି ଏ ସମରିଟାନ ଉପହାର ସ୍କୁଲ ଯାଉଥିବା ସାନ ସାନ ପିଲାମାନଙ୍କର ଓ ଅନ୍ୟମାନଙ୍କର ପ୍ରତି ଏହା ଉପହାର ଅଟେ । ଏହି ଦିନ ମାନଙ୍କରେ ପରସ୍ପର ମଧ୍ୟରେ ବଡଦିନର ଶୁଭେଚ୍ଛା ଆଦାନ ପ୍ରଦାନ କରାଯାଇ ଖ୍ରୀଷ୍ଟମାସ କେକ୍ ମଧ୍ୟ ବଣ୍ଟନ କରାଯାଇଥାଏ ।
ଏହି ଦିନ ଧରାପୃଷ୍ଠରେ ଆଶୀର୍ବାଦ ଆସିଥିବା ହେତୁ ଏହି ଦିବସର ତାତ୍ପର୍ଯ୍ୟ ଅତି ଗୁରୁତ୍ୱପୁର୍ଣ୍ଣ ଅଟେ । ସମସ୍ତ ଭେଦଭାବ ଭୂଲି ଏହି ଦିନକୁ ସମସ୍ତେ ସମ୍ମିଳିତ ଭାବରେ ପାଳନ କଲେ ବଡଦିନର ମର୍ଯ୍ୟାଦା ଜଣାପଡିବ ଓ ସବୁ ଦିନ ପରି ଏହି ଦିନ ୨୪ ଘଣ୍ଟା ଥିଲେ ମଧ୍ୟ ଅନ୍ୟ ଦିନରୁ ଏହି ଦିନକୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ କାହିଁକି ବଡ଼ଦିନ ବୋଲି କୁହାଯାଏ, ତାହାର ଗୁରୁତ୍ୱ ସମସ୍ତେ ହୃଦୟଙ୍ଗମ କରିବେ ।