jayashree

ବଲାଙ୍ଗିର ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ : ନଭେମ୍ବର ୨୮ ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ ଖରିଫ ଧାନ କ୍ରୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଖରିଫ ୨୦୨୩-୨୪ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ବଲାଙ୍ଗିର ଜିଲ୍ଲା କୃଷକଙ୍କ ପ୍ରତିନିଧି ସୌମେନ୍ଦ୍ର ପରିଚ୍ଛା, ଯତି ପଧାନଙ୍କ ସମେତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କୃଷି ସମବାୟ, ଜଳ ସେଚନ, ନିୟନ୍ତ୍ରିତ ବଜାର କମିଟି, ଭାରତୀୟ ଖାଦ୍ୟ ନିଗମର ଅଧିକାରୀ ଓ ମିଲର୍ସ ପ୍ରତିନିଧିମାନେ ଯୋଗଦେଇଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ବଲାଙ୍ଗିର ଜିଲ୍ଲାରେ ଚଳିତ ଖରିଫ ଧାନ କ୍ରୟ ଯେପରି ସୁଚାରୁ ରୂପେ ସମ୍ପାଦିତ ହେବ, ଚାଷୀମାନେ ସେମାନଙ୍କର ଉତ୍ପାଦିତ ଧାନ ମଣ୍ଡିଗୁଡିକରେ ଯେପରି ସୁରୁଖୁରୁରେ ବିକ୍ରୟ କରିପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀ ତଥା ଧାନକ୍ରୟ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି ପ୍ରଭାକର ପାତ୍ର ଆଲୋଚ୍ୟ ବିଷୟ ଉପସ୍ଥାପନ କରିବା ସହ ଚଳିତ ଖରିଫରେ ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କ୍ରୟ ସମ୍ପର୍କରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ବଲାଙ୍ଗିର ଜିଲ୍ଲାରେ ଚଳିତ ନଭେମ୍ବର ମାସ ୨୮ ତାରିଖରୁ ୧୫୮ ଗୋଟି ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ୧୭ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କ୍ରୟ କରାଯିବ । ଚଳିତ ଖରିଫ ବିପଣନ ବର୍ଷ ସକାଶେ ସାଧାରଣ ଏଫ .ଏ .କ୍ୟୁ. ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୧୮୩ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ ଏ ଏଫ୍‌.ଏ.କ୍ୟୁ. ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୨୦୩ ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ)ଗୁଡିକରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ ସମୟରେ ଉତ୍ତମ ସମନ୍ଵୟ ରକ୍ଷା କରିବା ତଥା ସେମାନଙ୍କ ସୁବିଧା ସୁଯୋଗ ସମ୍ପର୍କରେ ତଦାରଖ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଉପକରଣ, ଯନ୍ତ୍ରପାତି ଯଥା ଓଜନ ମେସିନ, ଆଦ୍ରତା ମାପ ମେସିନ, ମିନି ଗ୍ରେଡର, ତାରପୋଲିନ ଇତ୍ୟାଦିକୁ କାର୍ଯ୍ୟକ୍ଷମ କରି ମଣ୍ଡି ଆରମ୍ଭ ହେବା ଯଥେଷ୍ଟ ପୂର୍ବରୁ ଉପଲବ୍ଧ କରାଇବା ଏବଂ ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଆନୁସାଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀ ଓ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଧାନ ସଂଗ୍ରହ ପ୍ରକ୍ରିୟାକୁ ପାରଦର୍ଶିତା କରିବା ନିମନ୍ତେ ସମସ୍ତ ମଣ୍ଡି ଗୁଡିକରେ ସିସିଟିଭି ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚଳିତ ଖରିଫ ବର୍ଷ ପାଇଁ ଜିଲ୍ଲାରେ ୮୯୪୨୩ ଜଣ ଚାଷୀ ପେକ୍ସ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜିକରଣ କରିଛନ୍ତି । ଚାଷୀମାନଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଧାନ କ୍ରୟ ସମ୍ପର୍କିତ ସୂଚନା ସମ୍ପର୍କରେ ବ୍ୟାପକ ସଚେତନ କରିବାକୁ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଧାନ ସଂଗ୍ରହ ସମୟରେ ହେଉଥିବା ବିବିନ୍ନ ଅସୁବିଧା ଏବଂ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.