ଓଡିଶା ସରକାରୀ ହାଇସ୍କୁଲ ମାଧ୍ୟମିକ ଏନ୍ପିଏସ୍ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜିକୁ କିଛି ମାସ ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଥିଲେ । ଓଡିଶା ମାଟିରୁ ଚୁକ୍ତି ଭିତ୍ତିକ ପ୍ରଥାର ଉଚ୍ଛେଦ କରିଥିଲେ । ଯେଉଁମାନେ ଚୁକ୍ତି ଭିତ୍ତିକ ବା ଠିକା ଭାବରେ ଓଡିଶା ସରକାରଙ୍କ ଅଧିନରେ ଚାକିରି କରୁଥିଲେ ସେମାନେ ନିୟମିତ ହେବେ ବୋଲି ସରକାର ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ କଲେ । ଏହି ବିଜ୍ଞପ୍ତି ଘୋଷଣା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ବିଜ୍ଞପ୍ତିକୁ ନେଇ ବହୁ ଅସଙ୍ଗତି ସୃଷ୍ଟି ହେଲା । ବିଜ୍ଞପ୍ତି ଅନୁସାରେ ୨୦୧୩ ଚୁକ୍ତି ଭିତ୍ତିକ ନିୟମ ଅନୁସାରେ ଯେଉଁମାନେ ନିଯୁକ୍ତି ପାଇଛନ୍ତି କେବଳ ସେହିମାନେ ଉପକୃତ ହେବେ ବୋଲି ଉଲ୍ଲେଖ ଥିଲା । କିନ୍ତୁ ସରକାର ପେ ପ୍ରୋଟେକ୍ସନ ଦେଇ ୨୦୧୧ ରୁ ୨୦୧୪ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କର କାହାର ବର୍ଷେ ତ କାହାର ତିନି ବର୍ଷ ଚାକିରିକୁ ଗଣନାକୁ ନେଲେ ଓ ୨୦୧୦ ରୁ ୨୦୧୬ ମସିହା ମଧ୍ୟରେ ନିଯୁକ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ସମାନ କରିଥିଲେ । ୨୦୦୪ ରୁ ୨୦୦୯ ମସିହାରେ ନିଯୁକ୍ତ ଶିକ୍ଷକମାନଙ୍କର ଚାକିରି କାଳକୁ ଗଣନା କରାଗଲା ନାହିଁ କିମ୍ବା ତାଙ୍କୁ କୌଣସି ନୋସନଲା ଇନକ୍ରିମେଣ୍ଟ ଦିଆଗଲା ନାହିଁ । ରାଜ୍ୟ ସଂଘ ତରଫରୁ ସରକାରଙ୍କ ସହିତ ବାରମ୍ବାର ଆଲୋଚନା ହେବା ସତ୍ତେ୍ୱ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଦିଆଗଲା ନାହିଁ । ତେଣୁ ଦୁଇ ଦଫା ଦାବୀ ନେଇ ଓଡିଶା ସରକାରୀ ହାଇସ୍କୁଲ ମାଧ୍ୟମିକ ଏନ୍ପିଏସ୍ ସଂଘ ଆସନ୍ତା ସେପ୍ଟେମ୍ବର ୨୬ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନେଲା । ଦୁଇ ଦଫା ଦାବୀ ଯଥା ୨୦୦୪ରୁ ୨୦୧୩ ମସିହାରେ ନିଯୁକ୍ତ ଶିକ୍ଷକମାନଙ୍କର ୬ ବର୍ଷର ଚାକିରି ଅବଧିକୁ ମୂଳ ଚାକିରି ସହ ଯୋଗ କରିବା ଓ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ ଏବଂ ପୁରୁଣା ପେନସନ ପ୍ରଦାନ ପୁନଃ ପ୍ରଚଳନ ଦାବି ନେଇ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଲା । ୧୬.୦୯.୨୦୨୩ ଦିନ ପ୍ରତି ଜିଲ୍ଲାରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଗଲା । ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ସଭାପତି ରାଜ କୁମାର ଭୋଇ ଓ ସଂପାଦକ ବିର କିଶୋର ସୁନାଙ୍କ ନେତୃତ୍ୱରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଏକ ବିରାଟ ପଟୁଆରେ ଆସି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କଲେ । ଏହି ଦାବୀପତ୍ର ପ୍ରଦାନ ସମୟରେ ଶରତ ନାଗ, ରାମକୃଷ୍ଣ ଷଡଙ୍ଗି, ଦେବାଶିଷ ବିଶି, ଦିପାଞ୍ଜଳି ଯୋଷୀ, ଶାନ୍ତି ସେଠ, ସୁଧାଂଶୁ ଶେଖର ବାରିକ, ବିନୋଦ କୁମାର ମିଶ୍ର, ଅଶୋକ କୁମାର ତରିଆ ପ୍ରମୁଖ ସାମିଲ ଥିଲେ ।