ବଲାଙ୍ଗିର ମାଟିର ସ୍ୱପ୍ନ ଆଜି ସାକାର ହୋଇଛି । ଲୋୟର୍ ସୁକ୍ତେଲ୍ ପ୍ରକଳ୍ପ ଆଜି ପୂର୍ଣ୍ଣାଙ୍ଗ ରୂପ ନେଇଛି । ଲହଡ଼ା ମାରୁଛି ଲୋୟର ସୁକତେଲ ଡ୍ୟା୍ମରେ ଭରପୁର ପାଣି । ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର୍ ସୁକ୍ତେଲ୍ ଡ୍ୟାମ୍ ଏବେ ସମୃଦ୍ଧ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଏବେ ମଧ୍ୟ ଯେଉଁ ବିସ୍ଥାପିତ ପରିବାର ମାନେ ସଂପୃକ୍ତ ପ୍ରକଳ୍ପର ବୁଡ଼ି ଅଂଚଳରେ ରହି ଯାଇଛନ୍ତି, ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଡ୍ୟାମ୍ରେ ପାଣି ଫୁଲି ଉଠୁଥିବା ବେଳେ ବୁଡ଼ି ଅଂଚଳରେ ବିଦ୍ୟୁତ ଓ ପାନୀୟ ଜଳଯୋଗାଣ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏଭଳି ଅବସ୍ଥାରେ ବୁଡ଼ି ଅଂଚଳରେ ରହିଯାଇଥିବା ବିସ୍ଥାପିତ ପରିବାର ମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଅଣ୍ଟା ଭିଡ଼ି ଲାଗି ପଡ଼ିଛି ପ୍ରଶାସନ ।
୧୯୯୯ରେ ପ୍ରଶାସନିକ ମଂଜୁରୀ ପାଇଥିଲା ଲୋୟର ସୁକତେଲ ଡ୍ୟା୍ମ ପ୍ରକଳ୍ପ । ୧୯୯୯-୨୦୦୦ ଆର୍ଥିକ ବର୍ଷରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଏହି ପ୍ରକଳ୍ପ ପାଇଁ ଏଆଇବିପି ସ୍କିମ୍ରେ ୨୧୭ କୋଟି ଟଙ୍କା ମଂଜୁର ହୋଇଥିଲା । ଏହା ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋୟର ସୁକତେଲ ଡ୍ୟା୍ମ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ୫ ବର୍ଷ ଭିତରେ ପ୍ରକଳ୍ପ କାମ ସମାପ୍ତ କରିବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଥିବା ବେଳେ ପ୍ରଭାବିତ ଅଂଚଳର ଜନସାଧାରଣଙ୍କ ଆନ୍ଦୋଳନ ତଥା ପ୍ରଶାସନିକ ଅବହେଳା ଯୋଗୁଁ ଲୋୟର ସୁକତେଲ ଡ୍ୟାମ୍ ପ୍ରକଳ୍ପ ଅନିଶ୍ଚିତତା ଆଡ଼କୁ ମୁହାଁଇଲା । ଏତିକି ବେଳେ ଲୋୟର ସୁକ୍ତେଲ୍ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କମିଟି ଗଠନ ହୋଇଥିଲା ଏବଂ ଲୋୟର ସୁକତେଲ ଡ୍ୟା୍ମ ପ୍ରକଳ୍ପ ସପକ୍ଷରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଲୋୟର ସୁକ୍ତେଲ୍ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କମିଟିର ନାମ ପରିବର୍ତ୍ତନ ହୋଇ ପରବର୍ତ୍ତୀ ସମୟରେ ବଲାଙ୍ଗିର ଏକ୍ସନ କମିଟି ନାମରେ ନାମିତ ହୋଇଥିଲା ।
ଆରମ୍ଭ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଯୁବନେତା ଗୋପାଳଜୀ ପାଣିଗ୍ରାହୀ ଏହାର ଆବାହକ ଦାୟିତ୍ୱ ତୁଳାଇ ଆସିଛନ୍ତି । ତେବେ ୨୦୦୯ ମସିହାରେ ଲୋୟର୍ ସୁକ୍ତେଲ୍ ପ୍ରକଳ୍ପ ସପକ୍ଷରେ ବଲାଙ୍ଗିର ଲୋକ ମହୋତ୍ସବ ସମୟରେ ପ୍ରଥମେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନ ମାଧ୍ୟମରେ ପ୍ରକଳ୍ପ ସପକ୍ଷରେ ପ୍ରାୟ ୨୫ ହଜାର ଲୋକଙ୍କ ଦସ୍ତଖତ ସଂଗ୍ରହ କରାଯାଇ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପାଖକୁ ପଠାଯାଇଥିଲା । କିନ୍ତୁ ତଥାପି ଲୋୟର୍ ସୁକ୍ତେଲ କାମ ଆରମ୍ଭ ହୋଇ ପାରିନଥିଲା । ୨୦୧୨ ମସିହା ଏପ୍ରିଲ୍ରେ ଉଗ୍ରରୂପ ଧାରଣ କରିଥିଲା ବଲାଙ୍ଗିର ଏକ୍ସନ କମିଟିର ଆନ୍ଦୋଳନ । ଏହି ଆନ୍ଦୋଳନକୁ ବଲାଙ୍ଗିର ଜିଲ୍ଲାର ବହୁ ସଂଗଠନ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା । ଏହି ଆନ୍ଦୋଳନରେ ୧୧ ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ଅଚଳ କରି ଦିଆଯାଇଥିଲା, ଯାହାକି ରାଜ୍ୟରେ ରେକର୍ଡ ସୃଷ୍ଟି କରିଥିଲା । ଏହାପରେ ପରେ ରାସ୍ତାରୋକ କରାଯାଇଥିବା ବେଳେ ୪୬ ଜଣ ଆନ୍ଦୋଳନକାରୀଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା । ଏତିକି ବେଳେ ଜେଲ୍ ଭିତରକୁ ଆସି ଆର୍ଡିସି, ଆଇଜି, କଲେକ୍ଟର, ଏସ୍ପି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ଲୋୟର୍ ସୁକ୍ତେଲ୍ ଡ୍ୟାମ୍ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦିଆଯିବା ସହ ସମସ୍ତ ଆନ୍ଦୋଳନକାରୀଙ୍କୁ ସର୍ତ୍ତବିହୀନ ଭାବେ ସେତେବେଳେ ଜେଲ୍ରୁ ଖଲାସ୍ କରାଯାଇଥିଲା । କିନ୍ତୁ ତଥାପି ବି ଲୋୟର୍ ସୁକ୍ତେଲ୍ ପ୍ରକଳ୍ପ ଅନିଶ୍ଚିତତାରୁ ଉଦ୍ଧାର ପାଇ ପାରିଲା ନାହିଁ । ୨୦୧୨ ମସିହା ଅଗଷ୍ଟ ମାସରେ ଆମରଣ ଅନଶନ ଆରମ୍ଭ କଲା ଅନେକ ସହଯୋଗୀ ସଂଗଠନମାନଙ୍କ ସହ ବଲାଙ୍ଗିର ଏକ୍ସନ କମିଟି । ୨୭ ଅଗଷ୍ଟରୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିଲା ଆମରଣ ଅନଶନ । ଏଥିରେ ୫୩ ଜଣ ଆନ୍ଦୋଳନକାରୀ ଗୁରୁତର ହୋଇ ହସ୍ପିଟାଲାଇଜ୍ ହୋଇଥିବା ବେଳେ ଦୀର୍ଘ ୭ ଦିନ କାଳ ଉପବାସରେ ରହିବା ପରେ ବଲାଙ୍ଗିର ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ମାଇଲ୍ଡ଼୍ ହାର୍ଟ ଷ୍ଟ୍ରୋକ୍ ହେବା ଫଳରେ ତାଙ୍କୁ ବୁର୍ଲା ହସ୍ପିଟାଲ୍ରେ ଆଡ୍ମିଟ୍ ହେବାକୁ ପଡ଼ିଥିଲା । ଏହା ସତ୍ୱେ ଜାରି ରହିଥିଲା ଆନ୍ଦୋଳନ । ରାଜ୍ୟ ୱାଟର୍ ରିସୋର୍ସ ଆଡ଼ିସନାଲ୍ ସେକ୍ରେଟାରୀ ହରିଶ୍ଚନ୍ଦ୍ର ବେହେରା ଆନ୍ଦୋଳନ ସ୍ଥଳକୁ ପହଂଚି ଲୋୟର୍ ସୁକ୍ତେଲ ପ୍ରକଳ୍ପ ନିର୍ମାଣର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହା ପରେ ପ୍ରକଳ୍ପ କାମ ଆରମ୍ଭ ହେଲା ସତ, କିନ୍ତୁ ବୁଡ଼ି ଅଂଚଳବାସୀଙ୍କ ବିରୋଧ ଯୋଗୁଁ ପୁଣି ବନ୍ଦ ହୋଇଥିଲା କାମ । ୨୦୧୨ ମସିହା ଡିସେମ୍ବର ୧୨ ତାରିଖ ଦିନ ପୁଣି ଆମରଣ ଅନଶନ ଆରମ୍ଭ ହେଲା । ଏତିକି ବେଳେ ଆନ୍ଦୋଳନକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଡିସେମ୍ବର ୨୨ରେ ଆଲୋଚନା ପାଇଁ ଡାକିବା ପରେ ଆନ୍ଦୋଳନକାରୀ ମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବୀ ଜଣାଇଥିଲେ । ଲୋୟର୍ ସୁକ୍ତେଲ୍ ପ୍ରକଳ୍ପରେ ୨୦୧୩ ଆଇନ ଲାଗୁ କରାଯିବା, ବିସ୍ଥାପିତଙ୍କ କ୍ଷେତ୍ରରେ ପ୍ରତ୍ୟେକ ସାବାଳକଙ୍କୁ ସ୍ୱତନ୍ତ୍ର ମୁଣ୍ଡପିଛା ରାଶି ପ୍ରଦାନ କରାଯିବା, ଉଚିତ କ୍ଷତିପୂରଣ ସହ ସମ୍ମାନର ସହ ବିସ୍ଥାପନ କରିବା ଭଳି କେତେକ ଦାବୀ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ମୁଖ୍ୟମନ୍ତ୍ରୀ ପ୍ରାୟ ଦାବୀକୁ ମାନି ନେଇଥିଲେ । ୨୦୧୩ ମସିହାରେ ପୁଣି ପ୍ରକଳ୍ପ କାମ ଆରମ୍ଭ ହେଲା । ଏହାପରେ ମନ୍ଥର କାମ ଓ ବିସ୍ଥାପିତଙ୍କ ଅବ୍ୟବସ୍ଥାକୁ ନେଇ ତଥା ୨୦୧୩ ଆଇନ ଲାଗୁ କରିବା ଦାବୀରେ ୨୦୧୬ ସେପ୍ଟେମ୍ବର ୨୭ ତାରିଖରେ ବଲାଙ୍ଗିର ଏକ୍ସନ୍ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜଳ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରାଯାଇଥିଲା ।
ତେବେ ସେହିଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କ ପାଖକୁ ରାତି ୧୨ଟାରେ ଅକ୍ଟୋବର ମାସ ୧ ତାରିଖ ଦିନ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଥିବା ଚିଠି ପହଂଚିଥିଲା । ଆଲୋଚନା ପରେ ୱାଟର ରିସୋର୍ସ ପ୍ରିନ୍ସ୍ପାଲ୍ ସେକ୍ରେଟାରୀ ପ୍ରଦୀପ ଜେନା ୨୦୧୩ ଆଇନ ଅନୁସାରେ ପୂର୍ବରୁ କ୍ଷତିପୂରଣ ପାଇଥିବା ଲୋକଙ୍କୁ ଏକ୍ସଗ୍ରାସିଆ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ମନ୍ଥର ଗତିରେ ପ୍ରକଳ୍ପ ନିର୍ମାଣ କାମ ଚାଲିଥିଲେ ବି ୨୦୧୭ରେ ପୁଣି କାମ ବନ୍ଦ ହୋଇଯାଇଥିଲା । ଏହାପରେ ବଲାଙ୍ଗିର ଏକ୍ସନ କମିଟି ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବା ବେଳକୁ ମାଡ଼ି ଆସିଥିଲା ମହାମାରୀ କରୋନା । ଆନ୍ଦୋଳନ ହୋଇ ନପାରିଥିଲେ ବି ଚିଠିପତ୍ର ମାଧ୍ୟମରେ ସରକାରଙ୍କ ଉପରେ ପ୍ରଚଣ୍ଡ ଚାପ ପ୍ରୟୋଗ କରାଯାଇଥିଲା । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତଥା ସାଂସଦ ସଂଗୀତା କୁମାରୀ ସିଂହଦେଓ ମଧ୍ୟ ନିଜ ନିଜ ସ୍ତରରେ ଲୋୟର୍ ସୁକ୍ତେଲ୍ ପ୍ରକଳ୍ପ ପାଇଁ ସରକାରଙ୍କୁ ଚାପ ପକାଇଥିଲେ । ଏହା ପରେ ପରେ ସରକାରୀ ସ୍ତରରେ ବେଶ୍ ତତ୍ପରତା ଦେଖା ଦେଇଥିଲା । ଏହାର ଫଳ ସ୍ୱରୂପ ଆଜି ସଫଳ ରୂପ ନେଇ ପାରିଛି ଲୋୟର୍ ସୁକ୍ତେଲ୍ ପ୍ରକଳ୍ପ ବୋଲି ବଲାଙ୍ଗିର ଏକ୍ସନ୍ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ କହିଛନ୍ତି ।