- ଉତ୍ପାଦନ ସ୍ଥାନଠାରୁ ବାହାରକୁ ନେଇ ଧାନର ନଡା, କୁଟା ଆଦି ଅବଶେଷକୁ ବିଭିନ୍ନ କାମରେ ଲଗାଯାଇପାରିବ
- ଏହି ନିଷ୍ପତ୍ତି ଫଳରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ଯେଉଁ ନଡା, କୁଟା, ଓ ଧାନର ଅବଶେଷ ବାହାରୁଛି, ତାହାକୁ ଅନ୍ୟ ସ୍ଥାନକୁ ନେଇ ବିଭିନ୍ନ କାମରେ ଲଗାଇହେବ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ଶସ୍ୟ ଅବଶେଷର ପରିଚାଳନା ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି । ଏହା ଫଳରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀ ଆଦି ରାଜ୍ୟରେ ଧାନଚାଷରୁ ଯେଉଁ ନଡା, ଛଣ, କୁଟା ଓ ଅନ୍ୟାନ୍ୟ ଫସଲ ଅବଶେଷ ବାହାରୁଛି ତାହାକୁ ଅନ୍ୟ ସ୍ଥାନକୁ ନେଇ ବିଭିନ୍ନ କାମରେ ବ୍ୟବହାର କରାଯାଇପାରିବ ।
ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ଧାନ ନଡା, କୁଟା ଓ ଛଣ ଆଦିର ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏକ ଟେକ୍ନୋ-କମର୍ସିଆଲ ପାଇଲ୍ଟ ପ୍ରୋଜେକ୍ଟ କାର୍ଯ୍ୟ କରିବ । ବୈଷୟିକ ଜ୍ଞାନ କୌଶଳ ସହାୟତାରେ ବ୍ୟାବସାୟିକ ଭାବେ ଏହି ପ୍ରକଳ୍ପ ମାଧ୍ୟମରେ ନଡା, ପାଳ, କୁଟା ଓ ଛଣ ଆଦିକୁ ତାହାର ଉତ୍ପାଦିତ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାର ବ୍ୟବସ୍ଥା କରାଯିବ । ଏଥିପାଇଁ ଏକ ସୁଦକ୍ଷ ଯୋଗାଣ ଶୃଙ୍ଖଳ ତିଆରି କରାଯିବ। ଏଥିପାଇଁ ଉପଭୋକ୍ତା ଓ ଉପଯୋଗକାରୀଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବ । ଏଥିରେ ଗୋଟିଏ ପକ୍ଷରେ ଚାଷୀ ଏବଂ ଅନ୍ୟ ପକ୍ଷରେ ଗ୍ରାମ୍ୟ ଉଦ୍ୟୋଗୀ, କୃଷକ ସମବାୟ ସମିତି, ଚାଷୀ ଉତ୍ପାଦକ ସଂଘ ଏଫପିଓ, ଶିଳ୍ପ ସଂସ୍ଥା ଏବଂ ପଞ୍ଚାୟତ ଆଦି ରହିବେ । ଚାଷୀଙ୍କଠାରୁ ଏସବୁ ନଡା, ଛଣ, ପାଳ, କୁଟା ଆଦି କିଣାବିକା ପରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ତାହା ବ୍ୟବହୃତ ହେବ ।
ଏସବୁ ଫସଲ ଅବଶେଷର ପରିଚାଳନା ତଥା ନିରାପଦ ଉପଯୋଗ ନିମନ୍ତେ କେନ୍ଦ୍ର ସରକାର ମୂଳଧନୀ ପୁଞ୍ଜି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ । ସେହି ଅର୍ଥରେ ଉଦ୍ୟୋଗୀ, କୃଷକ, ସମବାୟ ଆଦି ମେସିନ ଓ ଅନ୍ୟାନ୍ୟ ଯନ୍ତ୍ରପାତି କିଣିବେ ଓ ଉଦ୍ୟୋଗ ପ୍ରତିଷ୍ଠା କରିବେ । ଏହି ଶିଳ୍ପ ଚଳାଇବା ପାଇଁ ଯେଉଁ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକ ହେବ ତାହାକୁ ସମ୍ପୃକ୍ତ ଶିଳ୍ପ ସଂସ୍ଥା କିମ୍ବା ଉପଭୋକ୍ତା ମିଳିତଭାବେ ଯୋଗାଇବେ । ତାହା ସମ୍ଭବ ନ ହେଲେ ହିତାଧିକାରୀ ଏଥିପାଇଁ କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍), ନାବାର୍ଡ କିମ୍ବା ଅନ୍ୟ କୌଣସି ବିତ୍ତୀୟ ସଂସ୍ଥା/ବ୍ୟାଙ୍କରୁ ଋଣ କରିପାରିବେ । ସଂଗୃହୀତ ନଡା ଓ ପାଳ ଆଦିକୁ ଜମା କରି ରଖିବା ପାଇଁ ହିତାଧିକାରୀ ଏହାର ବ୍ୟବହାରକାରୀ ଉଦ୍ୟୋଗ ସହିତ ପରାମର୍ଶ କରି ଭଣ୍ଡାରର ବ୍ୟବସ୍ଥା କରିବେ ।
ଏହି ଉଦ୍ୟୋଗ ପ୍ରତିଷ୍ଠ।। ପାଇଁ ହାୟର ଏଚ୍ପି ଟ୍ରାକ୍ଟର, କଟର, ଗ୍ରାବର, ଟେଲି ହ୍ୟାଣ୍ଡଲର ଭଳି ଯନ୍ତ୍ରପାତି କିଣିବାକୁ ପ୍ରକଳ୍ପ ପ୍ରସ୍ତାବନା ଆଧାରରେ ଆର୍ଥିକ ସହାୟତା ମିଳିବ । ନଡା, ପାଳ ଆଦିର ସଂଗ୍ରହ ସହିତ ପରିବହନ ପାଇଁ ଏସବୁ ଉପକରଣ ଏକାନ୍ତ ଅପରିହାର୍ଯ୍ୟ । ଏହାଦ୍ୱାରା ଏସବୁ ସାମଗ୍ରୀର ଯୋଗାଣ ଶୃଙ୍ଖଳ ପ୍ରତିଷ୍ଠା ହୋଇପାରିବ ।
ପ୍ରକଳ୍ପ ଅନୁମୋଦନକାରୀ କମିଟି ମାଧ୍ୟମରେ ରାଜ୍ୟମାନେ ଏସବୁ ପ୍ରକଳ୍ପକୁ ଅନୁମୋଦନ ଦେବେ ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ ପ୍ରକଳ୍ପ ଖର୍ଚ୍ଚର ୬୫ଶତାଂଶ ଅର୍ଥ ଯୋଗାଇବେ । ପ୍ରାଥମିକ ଉପଭୋକ୍ତା, ଚାଷୀ ଗୋଷ୍ଠୀ କିମ୍ବା ଚାଷୀ ସମବାୟ ଓ ଗ୍ରାମ୍ୟ ଉଦ୍ୟୋଗୀ ପ୍ରକଳ୍ପ ଖର୍ଚ୍ଚର ୨୫ ଶତାଂଶ ବହନ କରିବେ । ଅବଶିଷ୍ଟ ୧୦ଭାଗ ଅର୍ଥ ପଞ୍ଚାୟତ କିମ୍ବା କୃଷକ ଉତ୍ପାଦକ ପ୍ରତିଷ୍ଠାନ ସମୂହ ବହନ କରିବେ ।
ସରକାରଙ୍କ ଏହି ହସ୍ତକ୍ଷେପମୂଳକ ପଦକ୍ଷେପ ଫଳରେ ଯେଉଁସବୁ ଲାଭ ମିଳିବ ତାହା ତଳେ ଦିଆଯାଇଛି ।
• ଏହା ଫଳରେ ଉତ୍ପାଦନ ସ୍ଥଳଠାରୁ ଦୂରରେ ବାହାରେ କୌଣସି ସ୍ଥାନରେ ନଡା ପାଳ, କୁଟା ଆଦି ସଂଗୃହୀତ ହୋଇପାରିବେ ।
• ସରକାରୀ ହସ୍ତକ୍ଷେପ ଫଳରେ ତିନି ବର୍ଷ ମଧ୍ୟରେ୧.୫ ନିୟୁତ ଟନ ଓଜନର ନଡା, କୁଟା ପାଳ ଆଦି ସଂଗୃହୀତ ହୋଇପାରିବ । ତା’ ନ ହେଲେ ସେସବୁକୁ ଚାଷୀ ନିଜ ଜମିରେ ପୋଡିଦେଇଥାନ୍ତେ ।
• ପ୍ରାୟ ୩୩୩ଟି ବାୟୋମାସ ସଂଗ୍ରହ ଡିପୋ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ନିର୍ମିତ ହେବ ଏବଂ ଏହାର କ୍ଷମତା ରହିବ ୪୫୦୦ ମେଟ୍ରିକ ଟନ୍ ।
• ଏହା ଦ୍ୱାରା ନଡା ପୋଡି ଓ ତତ୍ ଜନିତ ବାୟୂ ପ୍ରଦୂଷଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ ।
• ଏହା ଦ୍ୱାରା ନୂଆ ନିଯୁକ୍ତି ସୃଷ୍ଟି ହେବ । ଏହା ଦ୍ୱାରା ପ୍ରାୟ ୯ଲକ୍ଷ ଶ୍ରମ ଦିବସ ସୃଷ୍ଟି ହେବାର ଆକଳନ କରାଯାଇଛି ।
• ଏହା ଦ୍ୱାରା ଦେଶରେ ଏକ ଦୃଢ ବାୟୋମାସ୍ ଯୋଗାଣ ଶୃଙ୍ଖଳା ସୃଷ୍ଟି ହେବ ଏବଂ ସେସବୁ କୃଷି ଆବର୍ଜନାକୁ ବିଜୁଳି ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ । ଏହା ମଧ୍ୟ ସିଏନ୍ଜତ୍ତ୍ୱି/ବାୟୋ ଇଥାନଲ ଉତ୍ପାଦନରେ ସହାୟକ ହେବ ।
• ଯୋଗାଣ ବ୍ୟବସ୍ଥା ପ୍ରତିଷ୍ଠା ଦ୍ୱାରା ଊର୍ଜା କ୍ଷେତ୍ରରେ ଜୈବିକ ପଦାର୍ଥ ଓ ବାୟୋମାସକୁ ବାୟୋଫୁଏଲ (ଜୈବିକ ଇନ୍ଧନ)ରେ ପରିଣତ କରିବାର ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହେବ ।