ଆମେରିକାର ପ୍ରଥମ ମହିଳାଙ୍କ ସହିତ ‘‘ଭାରତ ଓ ଆମେରିକା : ଭବିଷ୍ୟତ ପାଇଁ ଦକ୍ଷତା ବିକାଶ’’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ୱାଶିଂଟନ ଡିସି ସ୍ଥିତ ନେସନାଲ ସାଇନ୍ସ ସେଣ୍ଟର ଠାରେ ଆୟୋଜିତ ‘‘ଭାରତ ଓ ଆମେରିକା : ଭବିଷ୍ୟତ ପାଇଁ ଦକ୍ଷତା ବିକାଶ’’ ବିଷୟବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ପ୍ରଥମ ମହିଳା ଡକ୍ଟର ଜିଲ୍ ବାଇଡେନ୍ ଅଂଶଗ୍ରହଣ କରିଛନ୍ତି ।

ସମାଜର ବିଭିନ୍ନ ବର୍ଗରେ ଉନ୍ନତ ମାନର ଶିକ୍ଷାକୁ ସମ୍ପ୍ରସାରିତ ଓ ପରିବର୍ଦ୍ଧିତ କରିବା ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନରେ କର୍ମଶକ୍ତି ପୁନଃବିକାଶ ଉପରେ କାର୍ଯ୍ୟକ୍ରମରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ।

ଶିକ୍ଷା, ଦକ୍ଷତା ବିକାଶ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଲାଭି ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଭାରତ ଓ ଆମେରିକାର ଶିକ୍ଷା ଓ ଗବେଷଣା ଇକୋସିଷ୍ଟମ ମଧ୍ୟରେ ବର୍ତ୍ତମାନ ଜାରି ରହିଥିବା ଦ୍ୱିପାକ୍ଷିକ ଶିକ୍ଷାଗତ ବିନିମୟ ଓ ସହଭାଗିତାକୁ ସେ ପ୍ରଶଂସା କରିଥିଲେ । ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଭାରତ-ଆମେରିକା ସହଭାଗିତାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀ ୫-ସୂତ୍ରୀ ପ୍ରସ୍ତାବ ଦେଇଥିଲେ । ସେଗୁଡ଼ିକ ହେଲା :

  1. ସରକାର, ଉଦ୍ୟୋଗ ଏବଂ ଶିକ୍ଷାକ୍ଷେତ୍ରକୁ ଏକତ୍ରିତ କରି ସମନ୍ୱିତ ଦୃଷ୍ଟିକୋଣ ଆପଣାଇବା
  2. ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିନିମୟକୁ ପ୍ରୋତ୍ସାହିତ କରିବା
  3. ଦୁଇ ଦେଶ ମଧ୍ୟରେ ବିଭିନ୍ନ ବିଷୟବସ୍ତୁ ଉପରେ ହ୍ୟାକାଥନ୍ ଆୟୋଜନ
  4. ଧନ୍ଦାମୂଳକ ଶିକ୍ଷା ଯୋଗ୍ୟତାକୁ ଆପୋସ ମାନ୍ୟତା
  5. ଶିକ୍ଷା ଓ ଗବେଷଣା କ୍ଷେତ୍ର ସହ ଜଡ଼ିତ ଲୋକମାନଙ୍କ ଗସ୍ତକୁ ପ୍ରୋତ୍ସାହନ
    ଏହି କାର୍ଯ୍ୟକ୍ରମରେ ନର୍ଦର୍ଣ୍ଣ ଭର୍ଜିନିଆ କମ୍ୟୁନିଟୀ କଲେଜର ଅଧ୍ୟକ୍ଷ, ଆମେରିକୀୟ ବିଶ୍ୱବିଦ୍ୟାଳୟ ସଂଘର ସଭାପତି, ମାଇକ୍ରନ୍ ଟେକ୍ନୋଲୋଜିର ସଭାପତି ଓ ସିଇଓ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
Leave A Reply

Your email address will not be published.