ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଚଳିତ ଓ ଭୟଭୀତ କରୁଥିବା ଫୁଟେଜ ପ୍ରଦର୍ଶନ ନକରିବାକୁ ଟିଭି ଚ୍ୟାନେଲଗୁଡିକୁ ଚେତାବନୀ

  • ରକ୍ତ, ମୃତଶରୀର, ଶାରୀରିକ ଆକ୍ରମଣଭଳି ବିଭତ୍ସ ଚିତ୍ର ଗୁଡିକ କାର୍ଯ୍ୟକ୍ରମ ସଂହିତାର ଉଲ୍ଲଂଘନ
  • ସାମାଜିକ ଗଣମାଧ୍ୟମରୁ ଚ୍ୟାନେଲଗୁଡିକ ନେଉଥିବା ହିଂସାତ୍ମକ ଭିଡିଓ ଗୁଡିକୁ ପ୍ରଦର୍ଶିତ କରିବା ପୂର୍ବରୁ ସଠିକ ଭାବେ ସମ୍ପାଦିତ କରାଯାଉନାହିଁ
  • ଘଟଣାର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଦର୍ଶିତ କରିବା ଦୃଷ୍ଟିରୁ ଟିଭି ରିପୋର୍ଟଗୁଡିକ ପିଲାମାନଙ୍କ ଉପରେ ମାନସିକ ଚାପ ପକାଉଛି

ନୂଆଦିଲ୍ଳୀ, (ପିଆଇବି) : ଦୁର୍ଘଟଣା, ମୃତ୍ୟୁ ଓ ମହିଳା, ଶିଶୁ ବୟସ୍କଙ୍କ ପ୍ରତି ହିଂସା ଭଳି ଆଚରଣ ଅରୁଚିକର ଓ ଶିଷ୍ଟତା ସହ ସାଲିସ ଭଳି ହୋଇଥିବାରୁ ଏଭଳି ଖବର ପ୍ରସାର ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତକାଲି ଟିଭି ଚ୍ୟାନେଲଗୁଡିକୁ ମାର୍ଗଦର୍ଶିକା ଜାରି କରିଛନ୍ତି । ମନ୍ତ୍ରଣାଳୟ ଦ୍ୱାରା ଟେଲିଭିଜନ ଚ୍ୟାନେଲଗୁଡିକ ପକ୍ଷରୁ ସାବଧାନତା ଅବଲମ୍ବନ ନ କରିବାର ଅନେକ ଘଟଣା ପରିପ୍ରେକ୍ଷୀରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ଟେଲିଭିଜନ ଚ୍ୟାନେଲଗୁଡିକ ଲୋକମାନଙ୍କ ମୃତ ଶରୀର, ଆହତ ବ୍ୟକ୍ତିମାନଙ୍କର ରକ୍ତ ଜୁଡୁବୁଡୁ ଶରୀରର ଫଟୋ ଏବଂ ଭିଡିଓ, ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ ନିର୍ଦ୍ଦୟଭାବେ ମାଡ ମରାଯାଉଥିବାର ଖୁବ୍ ନିକଟରୁ ନିଆଯାଉଥିବା ଚିତ୍ର, ଶିକ୍ଷକଙ୍କ ଦ୍ୱାରା ମାଡ ଖାଇଥିବା ଶିଶୁର କ୍ରନ୍ଦନ ଓ ଚିତ୍କାର ଇତ୍ୟାଦି ବାରମ୍ବାର ଅନେକ ସମୟ ପର୍ଯ୍ୟନ୍ତ ଦେଖାଉଛନ୍ତି । ଏଗୁଡିକୁ ଝାପ୍ସା କରି ବା ଦୂରରୁ ନ ଦେଖାଇବା ଯୋଗୁଁ ଏହି ସଟ୍ ଗୁଡିକ ଆହୁରି ଭୟଙ୍କର ହେଉଛି । ଯେଭଳି ଏହାର ଖବର ପ୍ରସାରିତ ହେଉଛି ତାହା ଦର୍ଶକମାନଙ୍କ ନିମନ୍ତେ ଅତ୍ୟନ୍ତ ଅରୁଚିକର ଓ ଦୁଃଖଦାୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ବିଭିନ୍ନ ଶ୍ରେଣୀର ଦର୍ଶକଙ୍କ ଉପରେ ଏଭଳି ସମ୍ବାଦ କିପରି ପ୍ରଭାବ ପକାଉଛି ତା’ ଉପରେ ମାର୍ଗଦର୍ଶିକାରେ ଆଲୋଚନା କରାଯାଇଛି । ଏଭଳି ଖବର ପିଲାମାନଙ୍କ ଉପରେ ଖରାପ ମନସ୍ତାତ୍ତ୍ୱିକ ପ୍ରଭାବ ପକାଇବ ବୋଲି ମଧ୍ୟ କୁହାଯାଇଛି । ଏଥିରେ ବ୍ୟକ୍ତିର ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପଡୁଥିବାରୁ ଏହା ମାନହାନୀ କାରକ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ଟେଲିଭିଜନ ସାଧାରଣତଃ ପୂରା ପରିବାର ମିଳିମିଶି ଦେଖୁଥାନ୍ତି । ଏଥିରେ ବୟସ୍କ, ମଧ୍ୟବୟସ୍କ, ଛୋଟ ପିଲା ଓ ବିଭିନ୍ନ ସାମାଜିକ ଓ ଆର୍ଥିକ ପୃଷ୍ଠଭୂମି ଥିବା ବ୍ୟକ୍ତିମାନେ ଦେଖୁଥିବାରୁ ପ୍ରସାରଣକାରୀମାନଙ୍କ ଦାୟିତ୍ୱ ବୋଧ ଓ ଶୃଙ୍ଖଳାଜ୍ଞାନ ରହିବା ଆବଶ୍ୟକ ଯାହା କାର୍ଯ୍ୟକ୍ରମ ଓ ବିଜ୍ଞାପନ ସଂହିତାରେ ମଧ୍ୟ ଦର୍ଶାଯାଇଛି ।

ମନ୍ତ୍ରଣାଳୟ ଏକଥା ମଧ୍ୟ ହୃଦୟଙ୍ଗମ କରିଛି ଯେ ଅଧିକାଂଶ କ୍ଷେତ୍ରରେ ଭିଡିଓଗୁଡିକୁ ସାମାଜିକ ଗଣମାଧ୍ୟମରୁ ନିଆଯାଇଥିବା ବେଳେ କାର୍ଯ୍ୟକ୍ରମ ସଂହିତାର ନିର୍ଦ୍ଦେଶାବଳୀ ଅନୁସାରେ ଖାପ ଖୁଆଇବା ପାଇଁ ଏଗୁଡିକ ବିନା ସମ୍ପାଦକୀୟ ହସ୍ତକ୍ଷେପ ଓ ସଂଶୋଧନରେ ପ୍ରସାରିତ ହେଉଛି ।

ନିକଟରେ ପ୍ରସାରିତ କେତେକ ଖବରର ଉଦାହାରଣ ନିମ୍ନରେ ପ୍ରଦତ୍ତ ହେଲା
୧. ୩୦.୧୨.୨୦୨୨ରେ ପ୍ରସାରିତ ଭିଡିଓରେ ଦୁର୍ଘଟଣାରେ ଆହତ ଜଣେ କ୍ରିକେଟ ଖେଳାଳୀଙ୍କ ଯନ୍ତ୍ରଣାଦାୟକ ଖବରର ଚିତ୍ର ଝାପ୍ସା କରା ନଯାଇ ପ୍ରସାରିତ ହୋଇଛି ।
୨.୨୮.୮.୨୦୨୨ ଦିନ ଜଣେ ବ୍ୟକ୍ତି ଆଉ ଜଣେ ମୃତବ୍ୟକ୍ତିର ଶରୀର ଘୋଷାଡି ଘୋଷାଡି ନେବା ସହ ମୃତବ୍ୟକ୍ତିର ମୁହଁ,ରକ୍ତରଞ୍ଜିତ ହୋଇଥିବା ଏକ ମନକୁ ଦୋହଲାଇ ଦେବାଭଳି ଭିଡିଓ ଚିତ୍ର ।
୩.୦୬-୦୭-୨୦୨୨ରେ ଶିକ୍ଷକ ବିହାରର ପାଟନାରେ ଜଣେ ପାଞ୍ଚବର୍ଷର ପିଲାକୁ ଶ୍ରେଣୀରେ ସେ ବେହୋସ ହେବା ପର୍ଯ୍ୟନ୍ତ ନିର୍ଦ୍ଦୟଭାବେ ପିଟି ଚାଲିଥିବା ଦୃଶ୍ୟ । ପିଲାର ଯନ୍ତ୍ରଣାଦାୟକ କାନ୍ଦକୁ ଓ ତା ପ୍ରତି ଦୟାକରିବା ନିବେଦନ ଚିତ୍କାର ମ୍ୟୁଟ ନ କରି ଏହି କ୍ଲିପ ନଅ ମିନିଟ୍ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଥିଲା ।
୪. ୦୪-୦୬-୨୦୨୨ରେ ଜଣେ ପଞ୍ଜାବୀ ଗାୟକଙ୍କ ରକ୍ତାକ୍ତ ଶରୀର ଚିତ୍ର ଦେଖାଯାଇଥିଲା ।
୫.୨୫-୫-୨୦୨୨ଦିନ ଆସାମର ଚିରାଙ୍ଗ ଜିଲ୍ଲାରେ ଜଣେ ବ୍ୟକ୍ତି ତାର ଦୁଇ ନାବାଳକ ପୁତ୍ରଙ୍କୁ ବାଡିରେ ଅତ୍ୟନ୍ତ ନିର୍ଦ୍ଦୟଭାବେ ପିଟୁଥିବା ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ଭିଡିଓରେ ବ୍ୟକ୍ତିଜଣକ ନିର୍ଦ୍ଦୟଭାବେ ପିଟୁଥିବା ଦୃଶ୍ୟକୁ ଝାପ୍ସା ନ କରି କିମ୍ବା ପିଲା ଦୁଇଜଣଙ୍କ ଯନ୍ତ୍ରଣା ଜର୍ଜରିତ କ୍ରନ୍ଦନକୁ ମ୍ୟୁଟ ନ କରି ପ୍ରଦର୍ଶନ କରାଯାଇଥିଲା ।
୬.୧୬-୦୫-୨୦୨୨ ଦିନ ଜଣେ ମହିଳା ଆଡଭୋକେଟଙ୍କୁ ତାଙ୍କ ପଡୋଶୀ କର୍ଣ୍ଣାଟକର ବାଗଲକୋଟରେ ନିଷ୍ଠୁରଭାବେ ଆକ୍ରମଣ ଘଟଣାର ଚିତ୍ର ବିନା ସମ୍ପାଦନାରେ ବାରମ୍ବାର ପ୍ରଦର୍ଶନ କରାଯାଇଥିଲା ।
୭. ତାମିଲନାଡୁର ବିରୁଦ୍ଧ ନଗର ଜିଲ୍ଲାର ରାଜାପାଲାୟମ୍ରେ ୦୪-୦୫-୨୦୨୨ଦିନ ଜଣେ ବ୍ୟକ୍ତି ନିଜ ଭଉଣୀକୁ ହତ୍ୟା କରିବା ଦୃଶ୍ୟ ପ୍ରଦର୍ଶିତ ହୋଇଛି ।
୮. ଛତିଶଗଡର ବିଳାସପୁର ଜିଲ୍ଲାରେ ୦୧.୦୫.୨୦୨୨ ଦିନ ଜଣେ ବ୍ୟକ୍ତିଙ୍କୁ ମୁଣ୍ଡ ତଳକୁ କରି ଗଛରେ ଝୁଲାଇ ପାଞ୍ଚଜଣ ବ୍ୟକ୍ତି ନିର୍ଦ୍ଦୟଭାବେ ପିଟିବାର ଦୃଶ୍ୟ ।
୯. ୧୨-୦୪-୨୦୨୨ ଦିନ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚଜଣ ବ୍ୟକ୍ତିଙ୍କ ମୃତଦେହର ଦୁଃଖଦ ଦୃଶ୍ୟ ବାରମ୍ବାର ଝାପ୍ସା ନ କରି ଦେଖାଇବା ।
୧୦. ୧୧-୦୪-୨୦୨୨ ଦିନ କେରଳର କୋଲାମଠାରେ ଜଣେ ବ୍ୟକ୍ତି ତା’ର ୮୪ବର୍ଷୀୟା ମାଆଙ୍କୁ ଅଗଣାରେ ଘୋଷାରି ପିଟୁଥିବା ଦୃଶ୍ୟକୁ ୧୨ ମିନିଟ୍ ପର୍ଯ୍ୟନ୍ତ ଝାପ୍ସା ନ କରି ଦେଖାଯାଇଥିଲା ।
୧୧. ୦୭.୦୪.୨୦୨୨ରେ ଜଣେ ବୃଦ୍ଧ ତା’ର ପୁଅକୁ ନିଆଁରେ ଜଳାଇ ଦେବା ଭଳି ବ୍ୟକ୍ତ କରିବା ପରି ଭିଡିଓ ସାମ୍ନାକୁ ଆସିଥିଲା । ବ୍ୟକ୍ତି ଜଣଙ୍କ ଦିଆସିଲି ଜଳାଇ ତା ପୁଅ ଉପରକୁ ଫୋଫାଡିବା ଓ ତା’ର ସମଗ୍ର ଶରୀର ନିଆଁ ଦ୍ୱାରା ଆବୃତ୍ତ ହେବା ଚିତ୍ର ବାରମ୍ବାର ଦେଖାଯାଇଥିଲା ।
୧୨. ୨୨-୦୩-୨୦୨୨ରେ ଆସାମର ମୋରିଗାଓଁରେ ଏକ ୧୪ ବର୍ଷୀୟ ନାବାଳକକୁ ମାଡଦେବା ଓ ସେ ଛାଡିଦେବା ପାଇଁ ଆକୁଳ ଚିତ୍କାର ଦୃଶ୍ୟ ଝାପସା ନ କରି ବା ମ୍ୟୁଟ ନ କରି ଦେଖାଯାଇଥିଲା ।
ଏ ପ୍ରକାର ପ୍ରସାରଣ ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ତଥା ପିଲା, ମହିଳା ଓ ବୃଦ୍ଧ-ବୃଦ୍ଧା ନିର୍ବିଶେଷରେ ସମସ୍ତେ ଟେଲିଭିଜନ ଦେଖୁଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ଟେଲିଭିଜନ ଚ୍ୟାନେଲଗୁଡିକୁ ଏପରି ହିଂସାତ୍ମକ ଓ ଦୁର୍ଘଟଣାଜନିତ ଭିଡିଓ ପ୍ରସାରଣ ନ କରି କାର୍ଯ୍ୟକ୍ରମ ସଂହିତା ପାଳନ କରିବାକୁ ପରାମର୍ଶ ଦେଇ ମାର୍ଗଦର୍ଶିକା ଜାରି କରିଛି ।

Leave A Reply

Your email address will not be published.