ଛତ୍ରପୁର ଅଞ୍ଚଳରେ ଗଢ଼ି ଉଠିଥିବା ଶିଳ୍ପାୟନ ଗୁଡିକରୁ ଭୟାବହ ବିସ୍ପୋରକ ଗ୍ୟାସ ନିର୍ଗତ ହେଉଥିବା ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର ୨୦ ଖଣ୍ଡ ଗ୍ରାମବାସୀ ଯଥା କାଳୀପଲ୍ଲୀ, ଲକ୍ଷ୍ମୀପୁର, ବଡ଼ପୁଟି, ରାମେୟାପଲ୍ଲୀ, ଆଗ୍ରାହାରମ, ପାଇକପଡା, ଉପୁଲାପୁଟି, ହରିପୁର, ଆର୍ଯ୍ୟପଲ୍ଲୀ- କତୁରୀ, ଚମାଖଣ୍ଡି, ଆଲିପୁର, ନାରାୟଣପୁର, ମନସୁରକୋଟା, ଆଇଆରଇ ପ୍ଲାଣ୍ଟ ଅଞ୍ଚଳର ମାଟିଖାଲ, କଣମଣା, ଶ୍ରୀରାମଚନ୍ଦ୍ରପୁର, ଭାଗିନିପେଟ୍ଟା, ଗୋପାଳପୁର ବନ୍ଦର ଓ ବାସନାପୁଟି ଗ୍ରାମର ଗ୍ରାମ୍ୟ କମିଟିଙ୍କ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ସ୍ୱର ଉଠିଛି । ମରିବେ ପଛେ ଲଢ଼ିବେ ସିନା, ଡରିବେ ନାହିଁ । ପୋଲିସ ପ୍ରଶାସନର ତାଗିଦକୁ ଆଦୌ ଭୟ କରିବାର ନାହିଁ, ବୋଲି ବୁଧବାର ମିଳିତ ବିବୃତ୍ତିର ସହ ଗଣମାଧ୍ୟମ ଆଗରେ ବୟାନ ଦେଇଛନ୍ତି । ବୃହତ୍ତର ଶିଳ୍ପାୟନ ପ୍ରତିଷ୍ଠା ନେଇ ଉକ୍ତ ଅଞ୍ଚଳରେ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ବର୍ଷ କାଳ ଚାଷଜମି ଛଡାଇ ନେଇ ଜମି ପଡ଼ିଆ ପକାଇ ରଖିଲେ, ତା’ର କ୍ଷତିପୂରଣ ଦେବାକୁ ଦାବୀ ହୋଇଛି । ଛତ୍ରପୁରର ଉପକଣ୍ଠ ଅଞ୍ଚଳମାନଙ୍କରେ ଅବସ୍ଥାପିତ ଆଇଆରଇ ପ୍ଲାଣ୍ଟ ଏବଂ ଟାଟା, ଟାଟା ଅଧୀନରେ ଅନ୍ୟ ଯେକୌଣସି ପ୍ଲାଣ୍ଟ ଚାଲୁଛି, ସେହି ପ୍ଲାଣ୍ଟ ଗୁଡିକରେ ବିସ୍ପୋରକ ଦ୍ରବ୍ୟ ତିଆରି ହେଉଛି ବୋଲି କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ତଥା ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ବିସ୍ପୋରକ ଦ୍ରବ୍ୟ ଆମୋନିଆ ନାଇଟ୍ରେଟ୍ ଉଦ୍ଭାବନ ଫଳରେ ଉକ୍ତ ୨୦ ଖଣ୍ଡ ଗ୍ରାମ ସମୂହ ସହ ଛତ୍ରପୁର ଅଞ୍ଚଳ ପ୍ରତି ବିପଦ ରହିଛି, ବୋଲି ପରିପ୍ରକାଶ କରାଯାଇଛି । ଏହାଦ୍ୱାରା ଭୟାବହ ରୋଗବ୍ୟାଧି ବିଷମ ସଙ୍କଟ ଘେନି ଅନେକ ଲୋକଙ୍କର ପ୍ରାଣହାନୀ ଘଟିବ ବୋଲି ମତ ପ୍ରକାଶ କରି ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି । ଏହାର ଦୃଢ଼ ମୁକାବିଲା ନ ହେଲେ କିମ୍ବା ଉକ୍ତ ପ୍ଲାଣ୍ଟର ପ୍ରକ୍ରିୟାକରଣ ପ୍ରଥା ପରିବର୍ତ୍ତନ ନ ହେଲେ ଆଗାମୀ ଦିନରେ ବୃହତ୍ତର ଜନ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ନେତୃବର୍ଗ, ପ୍ରତିନିଧିଦଳ ତରଫରୁ ଚେତାବନୀ ଦିଆଯାଇଛି । ଉକ୍ତ ଗ୍ରାମ ସମୂହ ଜନସାଧରଣଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟିଦେଇ ଆଶୁ ବିଚାର କରାଯିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୃଷ୍ଟିଆରୋପ କରି କହିଛନ୍ତି । ଛତ୍ରପୁର ଅଞ୍ଚଳରେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାନ ଗୁଡ଼ିକରୁ ନିର୍ଗତ ବିଷାକ୍ତ ଗ୍ୟାସ ପରିବେଶକୁ ପ୍ରଦୂଷଣ କରୁଛି ବୋଲି ଅଭିଯୋଗ ହୋଇଛି । ଏହାକୁ ଭିତ୍ତି କରି ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଆହୁରି ବି କହିଛନ୍ତି ଯେ, ତତ୍କାଳୀନ ଜିଲ୍ଲାପାଳ ଗଞ୍ଜାମ ଏହାସବୁ ଜାଣିଶୁଣି ଇଣ୍ଡିଆନ ଏକ୍ସପ୍ଲୋସିଭ ଆଇନ ୧୮୮୪ ଓ ପରିବେଶ ସଂରକ୍ଷଣ ଆଇନ ୧୯୮୬ର ଉଲଂଘନ ଏବଂ ସର୍ବସାଧାରଣ ଲୋକଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିଛନ୍ତି । ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ତଥା ରାଜ୍ୟ ସରକାରଙ୍କ ହିତସାଧନ ପାଇଁ ଗଞ୍ଜାମ ଜିଲ୍ଲାର ପ୍ରାୟ ୪୦ ଲକ୍ଷ ଲୋକଙ୍କ ଜୀବନକୁ ମରଣ ମୂଖକୁ ଠେଲି ଦେଇଛନ୍ତି । ଏହାର ଆଶୁ ପ୍ରତିକାର ଓ ସମାଧାନ କରିବା ନିମିତ୍ତ ହାଇକୋର୍ଟରେ ଏହି ମାମାଲା ଦାଏର କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.