jayashree

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

• ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ସକାଶେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ଠାରୁ ମଙ୍ଗଳବାର ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ସମ୍ଭବନା ରହିଥିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସଜାଗ ଓ ବନ୍ଦୋବସ୍ତ ରଖାଯାଇଛି । ବାତ୍ୟାର ପ୍ରଭାବ ଗଞ୍ଜାମ ଜିଲ୍ଲାକୁ ଆସି ନପାରେ ବୋଲି ସୂଚନା ମିଳିଛି । କିନ୍ତୁ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମ୍ଭାବନା ହେତୁ ସମସ୍ତ ପୂର୍ବ ପ୍ରସ୍ତୁତି ରଖିବା ସକାଶେ ଶନିବାର ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଜଣାଇଥିଲେ ଯେ, ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକ ପ୍ରସ୍ତୁତ କରି ରଖିବାକୁ କହିଛନ୍ତି । ଗଞ୍ଜାମ ଜିଲ୍ଲାକୁ ବାତ୍ୟାର ପ୍ରଭାବ ନାହିଁ କିନ୍ତୁ ସମୁଦ୍ର ମଧ୍ୟରେ ବାତ୍ୟାର ପ୍ରଭାବ ନିଶ୍ଚିତ ରୂପେ ରହିବ । ଏଥି ନିମନ୍ତେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀ ପରିବାର ଗଣ ଯେମିତି ଆଗାମୀ ଚାରିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବେ, ସେଥି ସକାଶେ ସମସ୍ତ ପ୍ରଚାର ପ୍ରସାର ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଞ୍ଚଳରେ କଣ୍ଟ୍ରୋଲରୁମ୍ ଖୋଲାଯିବ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଅବଗତ କରାଇ ଥିଲେ ଯେ, ମତ୍ସ୍ୟଜୀବୀ କମିଟିମାନଙ୍କ ସହିତ ଆଲୋଚନା କରାଯାଇ ସତର୍କ କରିଦିଆଯାଇଛି । ସେମାନେ ଯଦି ନିର୍ଦ୍ଦେଶର ଆବମାନନା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁ ହେବା ସହିତ ସେମାନଙ୍କ ନୌକା ସିଜ୍ କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ । ଆନ୍ଧ୍ର ପଟୁ ଯଦି ମତ୍ସ୍ୟଜୀବୀ ଆସୁ ଥାଆନ୍ତି ସେମାନଙ୍କୁ ମଧ୍ୟ ରୋକିବାର ବ୍ୟବସ୍ଥା କରାଯାଇଛି । ଯେଉଁ ପଏଣ୍ଟ ଗୁଡିକରୁ ନୌକା/ବୋଟ୍ ବାହାରୁଛି ସେହି ସ୍ଥାନରେ ସତର୍କ କରାଇ ଦିଆଯାଉଛି ଏବଂ ନଜର ରଖାଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳର ତଦାରଖ ଓ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଶୁଖିଲା ଖାଦ୍ୟ ତଥା ରାସନ ସାମଗ୍ରୀ ମହଜୁଦ ରଖିବାକୁ ଅବା ପ୍ରସ୍ତୁତ କରି ରଖିବାକୁ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇଥିଲେ ଯେ, ଆଗାମୀ ତିନି ଚାରି ଦିନ ମଧ୍ୟରେ ଯେଉଁ ଗର୍ଭବତୀ ମହିଳାଗଣ ପ୍ରସୂତୀ ହେବାର ସମ୍ଭାବନା ରହିଛି ସେମାନଙ୍କୁ ଚିହ୍ନଟ କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ କହିଥିଲେ । ଯଦି ଅଧିକ ବର୍ଷା ହୁଏ, ତେବେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇପାରେ । ଏଣୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ଜଣାନ୍ତୁ ଆବଶ୍ୟକ ସ୍ଥଳେ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯିବ । ସମସ୍ତ ଡ୍ୟାମ୍ ଗୁଡିକର ଜଳସ୍ତର ପ୍ରତି ନଜର ରଖନ୍ତୁ । ଆବଶ୍ୟକ ସ୍ଥଳେ ଜଳ ନିଷ୍କାସନ ହେବ ଏଣୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପ୍ରତି ମଧ୍ୟ ସଜାଗ ରହିବାକୁ କୁହାଯିବାକୁ କୁହାଯାଇଛି । ପରିସ୍ଥିତି ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାତ୍ୟା ପରିସ୍ଥିତି ସୃଷ୍ଟି ହେଲେ ସ୍ଥାନାନ୍ତର ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ ନିମନ୍ତେ ଯଥେଷ୍ଟ ପରିମାଣର ଖାଦ୍ୟ ମହଜୁଦ୍ ଅଛି ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷ୍ପା ମୁଣ୍ଡା ଅବଗତ କରିଛନ୍ତି ।

ବୈଠକରେ ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ପସନ୍ନ କୁମାର ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି., ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.