jayashree

ପୂର୍ଣ୍ଣରୁ ପୂର୍ଣ୍ଣକୁ(‘ଅଜ୍ଞାତର ପଦଚିହ୍ନ’ର ଶେଷ ଅଧ୍ୟାୟ)

  • ରାମକୃଷ୍ଣ

ଯେ କୌଣସି ସୃଜନ କର୍ମ ହେଉ ପୂର୍ଣ୍ଣ ଅବସ୍ଥାକୁ ପହଂଚିବା ବା ପୂର୍ଣ୍ଣତା ଲାଭ କରିବା ତାର ଅଂତିମ ଲକ୍ଷ୍ୟ । ପୂର୍ଣ୍ଣତାରେହିଁ ସୃଷ୍ଟିର ସଫଳତା । ପୂର୍ଣ୍ଣତା ହିଁ ଉଭୟ ଜଗତ ଓ ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ପୂର୍ଣ୍ଣତା ଆଦୌ ରୂପଗତ ନୁହେଁ, କାରଣ କ୍ଷୟ, ବୃଦ୍ଧି ଓ ପରିବର୍ତ୍ତନ ବସ୍ତୁ ଜଗତର ନିୟମ । ପୂର୍ଣ୍ଣତା ମୂଳତଃ ମାନସିକ ବା ଚେତନାଗତ । ରୂପ (form) ମାତ୍ରେଇ ଚେତନାର ଏକ ଅସ୍ଥାୟୀ ଆଧାର ବା ଅଭିବ୍ୟକ୍ତି । ବସ୍ତୁ-ରୂପର ସୀମାକୁ ଅତିକ୍ରମ ପୂର୍ବକ ନିଜର ଅସ୍ତିତ୍ବକୁ ଜାହିର କରିବାହିଁ ଚେତନାର ପୂର୍ଣ୍ଣତା । ପୂର୍ଣ୍ଣତାର ପ୍ରକୃତ ଅର୍ଥଟି ତେଣୁ ଯେ କୌଣସି ସୀମାକୁ ଅତିକ୍ରମ କରି ସୀମହୀନ ବା ଅସୀମ ହେବା । ଏହି ଅର୍ଥରେ ଜୀବନର ପୂର୍ଣ୍ଣତା ବା ସୀମାହୀନତା ସଂଭବ କି ? ଯଦି ପୂର୍ଣ୍ଣତାହିଁ ସୃଷ୍ଟିର ଲକ୍ଷ୍ୟ ତେବେ ଅବଶ୍ୟ ସଂଭବ । ପୂର୍ଣ୍ଣତାକୁ ତେଣୁ ବଂଧନହୀନ, ଅସୀମ ଅସ୍ତିତ୍ବରେ ଅନୁଭବ କରିବା ପାଇଁ ଶାରୀରିକ ସ୍ଥିତାବସ୍ଥାର ବାସ୍ତବତାରୁ ମୁକ୍ତିହିଁ ଏକମାତ୍ର ଉପାୟ ।

ପ୍ରଥମେ ‘ମୁକ୍ତି’ ଶବ୍ଦକୁ ନେଇ ଆମର ଭ୍ରାଂତ ଧାରଣା ସବୁ ଦୂର ହେବା କଥା । ମୁକ୍ତି ଜୀବନ ବହିର୍ଭୁତ ବା ମୃତ୍ୟୁପର କୌଣସି କାଳ୍ପନିକ ଅବସ୍ଥା ନୁହେଁ । ଅସ୍ତିତ୍ବରୁ ଗୋଟାପଣେ ଲୋପ ପାଇଯିବାର ଅବସ୍ଥା ନୁହେଁ । ଅସ୍ତିତ୍ବ ଯେହେତୁ ସଂପୂର୍ଣ୍ଣ ଓ ସୀମାହୀନ, ତେଣୁ ଅସ୍ତିତ୍ବ ବାହାରକୁ ଖସି ଯିବାର କୌଣସି ଉପାୟ ଓ ସଂଭାବନା ନାହିଁ । ଅସ୍ତିତ୍ବର ପୂର୍ଣ୍ଣତାକୁ ପାଇବା ଓ ବଂଚିବା ପାଇଁ ସ୍ଥିତାବସ୍ଥାର ବଂଧନରୁ ମୁକୁଳି ଯିବାହିଁ ପ୍ରକୃତ ଅର୍ଥରେ ମୁକ୍ତି । ଅସ୍ତିତ୍ବର ଏହି ପୂର୍ଣ୍ଣତାରେ ନା ଦୁଃଖ ଥାଏ, ନା ଥାଏ ଜନ୍ମ ମୃତ୍ୟୁ, ନା ସୃଜନର ଶ୍ରମ, ନା ଲୟ ନା ପ୍ରଳୟ । ଥାଏ କେବଳ ଅଖଣ୍ଡ ସ୍ବାଧୀନତା ଓ ଅସ୍ତିତ୍ବଗତ ଆନନ୍ଦ (bliss of existence) ।

ପୂର୍ଣ୍ଣତା ଯେହେତୁ ସୃଷ୍ଟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ତେଣୁ ମୁକ୍ତି ଅସ୍ତିତ୍ବଗତ (existential) । ଜଗତ ଓ ଶରୀରର ବଂଧନ ଏବଂ ତତ୍‌ଜନିତ ସୁଖ ଓ ସୁରକ୍ଷା ପ୍ରତି ମଣିଷର ଆସକ୍ତି ଓ ଆକର୍ଷଣ ଯଦିଓ ଅପ୍ରତିହତ, ତଥାପି ମୁକ୍ତି ଓ ସ୍ବାଧୀନତାର କାମନା ଓ ଭାବନା ତାର ରକ୍ତଗତ । ସ୍ବାଧୀନତା ଅଜ୍ଞାତ ଓ ଅସୁରକ୍ଷାର ଭୟରେ କବଳିତ ଯଦିଓ, ଯଦିଓ ମୁକ୍ତି କାହାଠୁ ଓ କି ପ୍ରକାର ସ୍ବାଧୀନତା ତାର କାମ୍ୟ ସେ ବୁଝିବାରେ ଅକ୍ଷମ, ତଥାପି ନିଜ ସ୍ଥିତାବସ୍ଥାରୁ ମୁକୁଳି ଯିବାର ଏକ ଅନ୍ତର୍ଚାପରେ ସେ ସର୍ବଦା ଥାଏ । ସ୍ଥିତାବସ୍ଥାର ବିରକ୍ତିକର ଗତାନୁଗତିକତାରୁ ମୁକ୍ତି ପାଇଁ ତ’ ଏତେ କଳା ସାହିତ୍ୟ, ଚିନ୍ତନ ମନନ, ଦର୍ଶନ ଓ ବିଜ୍ଞାନ । ଏହି ଅନ୍ତର୍ଚାପ ଜନିତ ମୁକ୍ତିର କାମନାହିଁ ଜୀବନର ଗତିଶୀଳତା, ବିବର୍ତ୍ତନ ଓ ସଂପ୍ରସାରଣର ଇନ୍ଧନ । ମଣିଷ ଏତେ ସହଜରେ ପରିବର୍ତ୍ତନକୁ ଗ୍ରହଣ କରେନା, ସ୍ଥିତାବସ୍ଥାର ବାଡ ଡେଇଁ ଆଗକୁ ପାଦ ବଢାଇବାକୁ ଚାହେଁନା, କାରଣ ଆଗରେ ଥାଏ ଅଜ୍ଞାତର ଭୟ, ହଜିଯିବା ନିଶ୍ଚିହ୍ନ ହୋଇଯିବାର ଆଶଂକା, ଅଥଚ ଆଗରେହିଁ ତାକୁ ଅପେକ୍ଷା କରିଥାଏ ଅସ୍ତିତ୍ବଗତ ମୁକ୍ତି ଓ ସ୍ବାଧୀନତାର ଅସଲ ସ୍ବାଦ । ସ୍ଥିତାବସ୍ଥାର ବଂଧନକୁ, ଗତାନୁଗତିକତାକୁ ସେ ଜାବୁଡି ପଡି ରହିଥାଏ ଏବଂ ସ୍ଥିତାବସ୍ଥାକୁ କଳ୍ପନାରେ ନାନା ରଂଗ ରୂପ ଦେଇ ତାର କ୍ଷଣସ୍ଥାୟୀ ସୁଖରେ ଆଖି ବୁଜି ନିଜକୁ ସୁରକ୍ଷିତ ମନେକରେ ଏବଂ ଅଜ୍ଞାତକୁ ଲଂପ ଦେବାର ରିକ୍ସ ନିଏ ନାହିଁ । ତା ସତ୍ବେ ପ୍ରକୃତି ବଳିବଧ୍ୟ ପଶୁ ପରି ତାକୁ ଘୋଷାରି ନେଇଯାଏ ମୃତ୍ୟୁ ଆଡକୁ, କାରଣ ଗତି ଓ ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ, ସୃଷ୍ଟିର ଧର୍ମ ।

ସ୍ଥିତାବସ୍ଥା ସୀମାବଦ୍ଧ । ମୁକ୍ତି ମାତ୍ରେଇ ତେଣୁ ସ୍ଥିତାବସ୍ଥାରୁ, ତାର ସୀମାରେଖାରୁ । ସୀମା ଅପୂର୍ଣ୍ଣତାର, ଆଂଶିକତାର, ଖଣ୍ଡିତର ସଂକେତ । ପୂର୍ଣ୍ଣତାରୁ ଅପୂର୍ଣ୍ଣତାକୁ, ଅସୀମତାରୁ ସସୀମତାକୁ, ଶୂନ୍ୟତାର ସୂକ୍ଷ୍ମତାରୁ, ବସ୍ତୁର ସ୍ଥୁଳତାକୁ ଚେତନାର (the creative entity) ଅବତରଣରୁ ହିଁ ଜଗତ ଓ ଜୀବନର ସୃଷ୍ଟି ଏବଂ କ୍ରମାନ୍ବୟରେ ରୂପର ବିବର୍ତ୍ତନ ଓ ଶକ୍ତିର ସଂପ୍ରସାରଣ ସହିତ ପ୍ରତି ଅବସ୍ଥାର ବଂଧନକୁ ଅତିକ୍ରମ କରି ପାଦେ ପାଦେ ଗତିଶୀଳ ହେବା ସୃଷ୍ଟିର ଲକ୍ଷ୍ୟ ଓ ଧର୍ମ । ମୁକ୍ତିର କାମନାକୁ ତେଣୁ ସୃଜନଶୀଳତାର ପାଦ ଓ ପଥ ବୋଲି ଗ୍ରହଣ କରିବାକୁ ହେବ ।

ମୁକ୍ତି କାହାର, କାହାଠାରୁ ଓ କାହିଁକି, ଏତକ ବୁଝିଗଲେ ଜୀବନର ଅସ୍ତିତ୍ବଗତ ସମସ୍ୟାର ସମାଧାନ ହୋଇଯିବା ନିଶ୍ଚିତ । ଜୀବନର ମୂଳ ସମସ୍ୟା ତାର ସ୍ଥିତାବସ୍ଥାରେ ରହିଥିବା ଦୁଃଖ, ଅଭାବ ଓ ଅକ୍ଷମତା । ଦୁଃଖ ଜନ୍ମଗତ କିଂତୁ ସୁଖ ଶ୍ରମ ଲବ୍ଧ । ଦୁଃଖର ଲାଘବ ପାଇଁ ସୁଖ ଏକ ଅସଫଳ ସମାଧାନ, ଏକ କ୍ଷଣସ୍ଥାୟୀ ଚିକିତ୍ସା, ଗୋଟେ ପେନ୍ କିଲର୍ (pain killer) । ତେଣୁ ଅସ୍ତିତ୍ବଗତ ସମସ୍ୟାର ସମାଧାନ ପାଇଁ ସ୍ଥିତାବସ୍ଥାର ବାସ୍ତବତାକୁ ବୁଝି ତାର ସୀମାବଦ୍ଧତାରୁ ମୁକୁଳିବାକୁ ହେବ । ଆମ ଅସ୍ତିତ୍ବର ଅସଲ ଓ ଏକମାତ୍ର ସତ୍ୟ ଦେହ ନୁହେଁ, ତାର ଅନ୍ତସ୍ଥ ଚେତନା, ଯାହା ଅସ୍ତିତ୍ବର ମୂଳ ଚେତନା ସହ ସଂଯୁକ୍ତ ଓ ତାର ସମଧର୍ମୀ ; ପୂର୍ଣ, ମୁକ୍ତ, ଅସୀମ ଓ କାଳାତୀତ । କିଂତୁ ଦେହବଦ୍ଧ ହେବାମାତ୍ରେ ତାହା ବସ୍ତୁଗୁଣର ସମଧର୍ମୀ ପାଲଟି ଯାଏ, ଯାହା ସୀମାବଦ୍ଧ, ଅପୂର୍ଣ୍ଣ ଓ ପରିବର୍ତ୍ତନଶୀଳ ବା ଏପରି ଭ୍ରମର ଶିକାର ହୁଏ ।

ସୃଷ୍ଟିର ଲକ୍ଷ୍ୟ ଯଦି ପୂର୍ଣ୍ଣତା ତେବେ ପ୍ରଶ୍ନ ଉଠିବ ଯେ ଦେହସ୍ଥ ବା ରୂପବଦ୍ଧ ଚେତନାର ମୁକ୍ତି ଓ ପୂର୍ଣ୍ଣତାର ଅନୁଭବ ସଂଭବ କି ? ସଂଭବତଃ ସଂଭବ, କାରଣ ଏହାହିଁ ସୃଷ୍ଟିର କାରଣ ଓ ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟରେ ପହଂଚିବା ପାଇଁ ବିବର୍ତ୍ତନ ହେଉଛି ତାର ଶ୍ରମ । ବର୍ତ୍ତମାନ ଉପରୋକ୍ତ ପ୍ରଶ୍ନର ଉତ୍ତର ହେବ; ମୁକ୍ତି ସୃଜନଶୀଳ ଚେତନାର (creative consciousness), ମୁକ୍ତି ତାର ସ୍ଥିତାବସ୍ଥାରୁ ଏବଂ ମୁକ୍ତିର କାରଣ ପୂର୍ଣ୍ଣତାର ଅନୁଭବ । ତେଣୁ ମୁକ୍ତି ଅସ୍ତିତ୍ବରୁ ଲୋପ ପାଇଯିବାର ଭୟ ଓ ଆଶଂକା ଅମୂଳକ, କାରଣ ଅସ୍ତିତ୍ବର ପୂର୍ଣ୍ଣତାହିଁ ସବାଶେଷ ସତ୍ୟ କ୍ଷ ଅସ୍ତିତ୍ବର ଗୋଟିଏ ଅବସ୍ଥାରୁ ଆଉ ଏକ ଅବସ୍ଥାକୁ ଉଠିବା ଓ ଖସିବାହିଁ ଆମର ନିୟତି, କିଂତୁ ଅସ୍ତିତ୍ବରୁ ଖସି ପଳାଇବାର ପଥ କି ଉପାୟ ନାହିଁ, କାରଣ ଅସ୍ତିତ୍ବର ବାହାର ବୋଲି କିଛି ନାହିଁ ବା ଅସ୍ତିତ୍ବ ବାହାରେ ଆଉ ଅନ୍ୟ କିଛି ନାହିଁ । ଆମେ ଥିଲୁ, ଅଛୁ ଓ ଯେ କୌଣସି ଅବସ୍ଥାରେ ଥିବୁ, ଏହାହିଁ ଏକମାତ୍ର ଓ ସବାଶେଷ ସତ୍ୟ । ଯେହେତୁ ଆମର ରୂପବଦ୍ଧ ସ୍ଥିତାବସ୍ଥା ଏକ ଖଣ୍ଡିତ, ଆଂଶିକ ବା ଅପୂର୍ଣ୍ଣ ଅବସ୍ଥା ଓ ଯାବତୀୟ ଦୁଃଖ ଓ ଅକ୍ଷମତାର କାରଣ ତେଣୁ ମୁକ୍ତିର ଆବଶ୍ୟକତା ଅସ୍ତିତ୍ବଗତ ଦୃଷ୍ଟିକୋଣରୁ ଅପରିହାର୍ୟ୍ୟ ଏବଂ ମୁକ୍ତି ପାଇଁ ଜ୍ଞାନ ଓ ଶ୍ରମର ଆବଶ୍ୟକତା ମଧ୍ୟ ଅପରିହାର୍ୟ୍ୟ ।

ସ୍ଥିତାବସ୍ଥାରୁ ମୁକ୍ତି ପାଇଁ ପ୍ରଥମେ ତାର ବାସ୍ତବତା ଉପରେ ଆମର ସବିଶେଷ ଜ୍ଞାନ ଦରକାର । ତାପରେ ଦରକାର ପଥ ଓ ଶ୍ରମ । ଦେହ, ପ୍ରାଣ ଓ ମନର ତ୍ରିକୋଣ ଭୂମିଟି ଆମ ସ୍ଥିତାବସ୍ଥାର ବାସ୍ତବତା । ଏହା ଉପରେ ପୂର୍ବ ଅଧ୍ୟାୟ ମାନଂକରେ ଆଲୋଚନା ହୋଇଛି । ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ଏବେ ଏ ବାସ୍ତବତାର ଆଉ ଟିକେ ଗଭୀରକୁ ଓହ୍ଲାଇବା ଏବଂ ଏ ତ୍ରିକୋଣ ଭୂମି ବାହାରେ ଆମ ଅସ୍ତିତ୍ବର ଯଦି ଆଉ କିଛି ଅବଶେଷ ବା ବିସ୍ତୃତି ରହିଥାଏ ଆବିଷ୍କାର କରିବା ଏବଂ ଅସ୍ତିତ୍ବର ସମଗ୍ରତାକୁ ବଂଚିବା ପାଇଁ ବାଟ ଖୋଜିବା । ଶରୀର ପଂଚଭୁତ ବା ପାଂଚଟି ତତ୍ତ୍ବର ସମାହାର ବୋଲି ଅନେକ ଆଗରୁ ଏପରି ଏକ ସିଦ୍ଧାଂତରେ ଆମେ ପହଂଚି ସାରିଛୁ ଏବଂ ଏ ସିଦ୍ଧାଂତକୁ ସତ୍ୟ ବୋଲି ନିର୍ବିବାଦରେ ଗ୍ରହଣ କରି ନେଇଛୁ । ଏ ସିଦ୍ଧାଂତକୁ ଆମେ ଆଉଥରେ ବିଶ୍ଳେଷଣ କରି ଦେଖିବା । ମଣିଷର ତ୍ରିପଦ ସ୍ଥିତାବସ୍ଥାରୁ ଶରୀର ଜଳ, ବାୟୁ ଓ ମାଟି ପରି ତିନୋଟି ଉପାଦାନରେ ନିର୍ମିତ । ପ୍ରାଣକୁ ଅଗ୍ନିର ଓ ମନକୁ ଆକାଶର ପ୍ରତୀକ ବା ପରିଚୟ ଭାବରେ ନେବା । ଶରୀରରେ ଜଳ, ବାୟୁ ଓ ମାଟିର ଉପାଦାନ ଭିତରୁ କାହାର ଅନୁପାତ କେତେ ବିଜ୍ଞାନର ଟିପା ଖାତାରେ ରହିଛି । ଶରୀରର ସତୁରୀ ଭାଗ ଜଳ ଏବଂ ଜଳରେ ଉଦଜାନ ଗ୍ୟାସର ଅନୁପାତ ଦୁଇ ହୋଇଥିବା ସ୍ଥଳେ ଅମ୍ଲଜାନର ଏକ । ପୁଣି ହାଡ, ମାଂସ, ରକ୍ତ, ଚମ ଆଦି କେଉଁ କେଉଁ ଧାତୁ ବା ମୌଳିକ ପଦାର୍ଥରେ (eliment) ତିଆରି ଓ ସେମାନଂକ ଅନୁପାତ କେତେ ତାହା ମଧ୍ୟ ବିଜ୍ଞାନର ପରୀକ୍ଷାଗାରରେ ନିର୍ଦ୍ଧାରୀତ ହୋଇ ସାରିଛି । ଶରୀରରେ ଅଗ୍ନି ବା ଉତ୍ତାପର ବି ଏକ ନିର୍ଦ୍ଧରୀତ ମାପଦଣ୍ଡ ରହିଛି । ଅସୁବିଧା କେବଳ ରହିଛି ଶରୀରର ସବାଶେଷ ଉପାଦାନ ଆକାଶରେ । ଏହି ଆକାଶ ତତ୍ତ୍ବଟି ପ୍ରକୃତରେ କଣ, ଶରୀର ଭିତରେ ଥାଏ କେଉଁଠି ଓ ତାର ଅନୁପାତ କେତେ ତାର ଅନୁସଂଧାନ ଓ ବିଶ୍ଳେଷଣ ଏଯାଏଁ ହୋଇ ନାହିଁ । ଯଦି ମନକୁହିଁ ଆମେ ଆକାଶ ବୋଲି କହିବା ତଥାପି ମନର ସବିଶେଷ ତଥ୍ୟ, ତତ୍ତ୍ବ ଓ ବାସ୍ତବତା ବିଜ୍ଞାନ ହାତରେ ଧରା ଦେଇ ନାହିଁ । ବୋଧହୁଏ ଏହି ଆକାଶ ତତ୍ତ୍ବରେ ଲୁଚି ରହିଛି ମଣିଷର ଅସଲ ଓ ସଂପୂର୍ଣ୍ଣ ସତ୍ୟ ।

ମୋଟାମୋଟି ଅସ୍ତିତ୍ବରେ ଆମେ ଦୁଇଟି ସତ୍ୟ ବା ଅସ୍ତିତ୍ବର ଦୁଇଟି ଅବସ୍ଥା ଦେଖିବାକୁ ପାଇବା, ଏକ- ସୂକ୍ଷ୍ମ ଚେତନା ଓ ଦୁଇ- ସ୍ଥୁଳ ବସ୍ତୁ । ଅସ୍ତିତ୍ବର ସୂକ୍ଷ୍ମ ଅବସ୍ଥାଟି ଚେତନା (consciousness) ଯାହା ପ୍ରାୟ ଶୂନ୍ୟତା (nothingness) ଏବଂ ସ୍ଥୁଳ ଅବସ୍ଥାଟି ବସ୍ତୁ (matter or thing । ସ୍ଥଳ, ଜଳ, ବାୟୁ, ଅଗ୍ନି ଆଦି ସବୁ ବସ୍ତୁର ବିଭିନ୍ନ ଅବସ୍ଥା ମାତ୍ର । ବସ୍ତୁ ପୁଣି ଶକ୍ତିର (energy) ରୂପାଂତର ଯାହାର ଉତ୍ପତ୍ତି ଶୂନ୍ୟରୁ, ଅର୍ଥାତ୍ ଅସ୍ତିତ୍ବର ମୂଳ ଅବସ୍ଥାଟି ଶୂନ୍ୟହିଁ । ବସ୍ତୁର ସବୁଠୁ ସୂକ୍ଷ୍ମ ଅବିଭାଜ୍ୟ କଣିକା ହେଉଛି ଅଣୁ (atom), ଯାହାର କେନ୍ଦ୍ରରେ ଥିବା ପ୍ରୋଟନ୍ ମାନଂକ ସଂଖ୍ୟାରୁ ବସ୍ତୁର ପ୍ରକାର, ରୂପ, ଗୁଣ, ଧର୍ମ ଆଦି ନିର୍ଦ୍ଧାରୀତ ହୋଇଥାଏ । ଏ ସମଗ୍ର ବସ୍ତୁ ଜଗତ ଯେ ଏକ ସଂଖ୍ୟାର ଖେଳ ଏହା କମ୍ ଆଶ୍ଚର୍ୟ୍ୟର କଥା ନୁହେଁ । ତେଣୁ ଦେଖିବାକୁ ଗଲେ ଆମ ଶରୀର ଯେ କୌଣସି ଧାତୁ (eliment)ରେ ତିଆରି ହୋଇ ଥାଉନା କାହିଁକି ତାର ମୂଳ ଅବସ୍ଥା ବା ଆଧାର ହେଉଛି ଅଣୁ ଯାହା ପୁଣି ପରମାଣୁ (subatomic particles) ମାନଂକ ସମାହାର । ଅର୍ଥାତ୍ ଆମ ଦେହ ଅଣୁ ମାନଂକ ଏକ ସମାହାର ବା ଏକ ପରମାଣୁ ପୁଂଜ କହିଲେ ଆଦୌ ଭୁଲ୍ ହେବ ନାହିଁ । ଏବେ ଆମେ ଅଣୁର ବାସ୍ତବତା କଣ ଦେଖିବା ।

ବିଜ୍ଞାନ ଏହି ସିଦ୍ଧାଂତରେ ପହଂଚେ ଯେ ଅଣୁ ଭିତରେ ବସ୍ତୁତ୍ବର ଅନୁପାତ ନିହାତି ନଗନ୍ୟ ଯାହା ନଥିବା ସହିତ ସମାନ ଅର୍ଥାତ୍ ଅଣୁ ଭିତରେ ବସ୍ତୁତ୍ବ ଏକ ଶତାଂଶରୁ କମ (less than 1% । ଅଣୁର ପ୍ରାୟ ଅନେଶତ ଶତାଂଶରୁ ଅଧିକ (more than 99%) ଶୂନ୍ୟସ୍ଥାନ (emptiness) । ମଣିଷର ଶରୀର ପ୍ରାୟ ଏକଶହ ଟ୍ରିଲିଅନ୍ କୋଷରେ ଗଠିତ ଏବଂ ପ୍ରତ୍ୟେକ କୋଷ ଏକଶହ ଟ୍ରିଲିଅନ୍ ଅଣୁରେ ଗଠିତ । ଏହି ତଥ୍ୟ ପ୍ରମାଣିତ କରୁଛି ଯେ ମଣିଷର ଶରୀର ଅଜସ୍ର ଅଣୁ ମାନଂକ ଦ୍ବାରା ଗଠିତ ଏକ ରୂପ ବା ଆକୃତି ଯାହାର ଅନେଶତ ଭାଗରୁ ଅଧିକ ଶୂନ୍ୟସ୍ଥାନ । ଅଣୁ ଅଣୁ ମଝିରେ ପୁଣି ଶୂନ୍ୟସ୍ଥାନ । ନିଦା ନିଟୋଳ ମନେ ହେଉଥିବା ଏଦେହ ଯେ ଏମିତି ପୋଲା ଓ ଶୂନ୍ୟତାର ଏକ ଫମ୍ଫା ଉଆସ ନା ତାର ଅନୁଭବ ଆମର ଅଛି ନା ଏ ସତ୍ୟ ଆମକୁ ଜଣା । ଦେହ ନିଦା ଓ ନିଟୋଳ ମନେ ହେବାର କାରଣ ଏହି ଯେ, ଯେଉଁ ଇନ୍ଦ୍ରିୟ ମାନଂକ ମାଧ୍ୟମରେ ଦେହର ଅନୁଭବ ମିଳୁଛି ସେ ସମସ୍ତ ବସ୍ତୁ ନିର୍ମିତ ଯାହା ଶୂନ୍ୟ ବା ଇନ୍ଦ୍ରିୟାତୀତ ଅନୁଭବ ପାଇଁ ଅକ୍ଷମ । ପୂର୍ଣ୍ଣ ଅସ୍ତିତ୍ବର କେବଳ ଏକ ଶତାଂଶକୁ ନେଇ ଆମେ ବଂଚୁଛୁ, ଯାହା ଆମର ଶାରୀରୀକ ବାସ୍ତବତା ଏବଂ ଯାହାକୁ ଆମେ କହୁଛୁ ଜୀବନ । ତେବେ ଆଉ କଣ ସଂଦେହର ଅବକାଶ ଅଛି ଯେ ଆମ ଶରୀରର ଏହି ଅନେଶତ ଭାଗ ଶୂନ୍ୟତାହିଁ ପଂଚଭୁତର ସେଇ ଆକାଶ ତତ୍ତ୍ବ ଯାହା ସବୁ ଉପାଦାନର ମୂଳ ଓ ଉତ୍ସ । ଆଉ କଣ ବୁଝିବାର ବାକି ଅଛି ଯେ, ଅସ୍ତିତ୍ବର ଅନେଶତ ଭାଗ ଏକ ଭାଗ ମଧ୍ୟରେ ସଂକୁଚିତ ହୋଇ ବଂଦୀ ହେବା ହିଁ ଜୀବନର ସବୁଠୁ ବଡ ରହସ୍ୟ, ବିଡମ୍ବନା ଏବଂ ଜୀବନର ଯାବତୀୟ ଅଭାବବୋଧ, ଅକ୍ଷମତା ଓ ଦୁଃଖର ମୂଳ କାରଣ । ଏ ସବୁ ମୂଳରେ ରହିଛି ଅଜ୍ଞାନତା ।

ଅଜ୍ଞାନତା ବଶତଃ ବସ୍ତୁ ଜଗତ ଓ ଦେହକୁ ଜୀବନର ଏକମାତ୍ର ସତ୍ୟ ଭାବରେ ଗ୍ରହଣ କରି ଆମେ ଅହରହ ତାର ଅଭାବ ଓ ଆବଶ୍ୟକତା ପୂରଣରେ ଲାଗିଥାଉ ଯାହା ପୂରଣ ହେବାର ଭ୍ରମରେ ସୁଖର ଅନୁଭବ ଦେଉ ଦେଉ ପୁଣି ଅଭାବବୋଧର ଖାଇ ଭିତରକୁ ଗଳି ପଡି ଦୁଃଖକୁ ଡାକି ଆଣେ । ଯେହେତୁ ବସ୍ତୁ ଜଗତ ଓ ଦେହ ସର୍ତ୍ତବଦ୍ଧ, ଗତିଶୀଳ, ପରିବର୍ତ୍ତନଶୀଳ ତତ୍ ଜନିତ ସୁଖ ଦୁଃଖ ମଧ୍ୟ ତେଣୁ କ୍ଷଣସ୍ଥାୟୀ । ଗତି, ପରିବର୍ତ୍ତନ ଓ ଅନିତ୍ୟ ସ୍ବଭାବ ବସ୍ତୁ ଜଗତର ଧର୍ମ । ବସ୍ତୁ ମାତ୍ରେଇ ଏକ ଅସ୍ଥିର ତରଂଗାୟିତ ଅବସ୍ଥା । ଅଣୁ ଭିତରେ ବି ଏହି କଂପନ ଓ ଅସ୍ଥିରତା ଏକ ନିଧାର୍ୟ୍ୟ ସତ୍ୟ ।

ଏବେ ଆସିବା ମନର ବାସ୍ତବତାକୁ । ମନକୁ ଶରୀରର ପଂଚଭୁତ ଭିତରେ ଆମେ ସାମିଲ୍ କରୁ ନଥିଲେ ମଧ୍ୟ ଏହା ପ୍ରକୃତରେ ଆକାଶର ଏକ ଆଂଶିକ ସଂକ୍ଷିପ୍ତ ଅବସ୍ଥା ବା ତାର ଏକ ଦୂତ ବା ପ୍ରତିନିଧି । ଆକାଶର (ଚେତନା) ଯେଉଁ ଅଂଶଟି ଶରୀର ସହିତ ସଂପର୍କୀତ ଓ ସଂଯୁକ୍ତ ହୋଇ ରହିଥାଏ, ଶରୀରର ଯାବତୀୟ କର୍ମ ଓ ଫଳର ସହଯୋଗୀ ଓ ସହଭାଗୀ ହୋଇ ରହିଥାଏ ତାକୁ ଆମେ ମନ ରୂପରେ ଚିହ୍ନିତ କରିଥାଉ । ଯଦିଓ ତାର କର୍ମ କ୍ଷେତ୍ରରେ ଶରୀର ଅନେକଟା ସ୍ବାଧୀନ, ଯାହା ମନର ଆୟତ୍ତ ବାହାରେ, ତଥାପି ଶରୀରର ସଂଚାଳକ ଓ ଜୀବନର ମାର୍ଗ ଦର୍ଶକ ଭାବରେ ସେ ତାର ପ୍ରଭୂତ୍ବ ଜାହିର କରୁଥାଏ । ମନର ଅକଳନୀୟ ଶକ୍ତି ଉପରେ ଆମେ ପୂର୍ବରୁ ଆଲୋକପାତ କରିଛେ । ମନହିଁ ସକଳ ଶକ୍ତି, ବୁଦ୍ଧି, ସର୍ଜନା ଓ ବିନାଶର ଉତ୍ସ ଓ ଆଧାର । ଏସବୁ ଶକ୍ତି ଓ ସଂଭାବନା ମନ ଭିତରକୁ ଆସେ କେଉଠୁ ? ନିଶ୍ଚିତ ଭାବରେ ଆକାଶରୂପୀ ସେଇ ମହା ଶୂନ୍ୟତାରୁ ଯାହାର ଗୋଟେ କ୍ଷୀଣ ଧାରା ଶରୀର ଭିତରକୁ ଓହ୍ଲାଇ ଥାଏ । ସମୁଦ୍ର ସ୍ଥଳ ଭାଗକୁ ପଶି ଆସି ଚିଲିକା ପରି ହ୍ରଦ ଯେମିତି ସୃଷ୍ଟି କରେ ମନ ସେମିତି ଶରୀରର ସ୍ଥଳ ଭାଗରେ ଆକାଶର ଆଂଶିକ ଉପସ୍ଥିତି । ହ୍ରଦ ଭିତରେ ସମୁଦ୍ରର ଲୁଣିଆ ଉପସ୍ଥିତି ପରି ମନ ଭିତରେ ଆକାଶର ସବୁ ଗୁଣ ଧର୍ମ ନିହିତ ଥାଏ ଯଦିଓ ଶରୀରର କ୍ଷୁଦ୍ରତା ଓ ଅକ୍ଷମତା ହେତୁ ସେସବୁ ପ୍ରକାଶିତ ହେବାରୁ ବଂଚିତ ରହିଯାଏ । ଗୋଟିଏ ପଟେ ଆକାଶର ଅସୀମତା ଓ ଶୂନ୍ୟତାକୁ ଏବଂ ଆଉ ଗୋଟେ ପଟେ ବସ୍ତୁ ଜଗତର ସ୍ଥୁଳତା ଓ ସୀମିତତାକୁ ଯୋଡୁଥିବା ସେତୁ ପରି ମଝିରେ ରହିଥାଏ ମନ । ଆକାଶ (space) ନିଜ ଶୂନ୍ୟତାରୁ ବସ୍ତୁ ଜଗତକୁ ଜନ୍ମ ଦେଇ ବିବର୍ତ୍ତନର ଦୀର୍ଘ ନିର୍ମାଣ ପଥରେ ନିଜର ଏକ ଛୋଟ କେନ୍ଦ୍ର ରୂପରେ ମଣିଷକୁ ସୃଷ୍ଟି କରେ ଏବଂ ସେଇ କେନ୍ଦ୍ର ନିଜକୁ ମନ ଭାବରେ ଅବସ୍ଥାପିତ କରେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଆକାଶ ବା ଅସ୍ତିତ୍ବ ବା ଚେତନା ଶରୀର ଭିତରେ ସୀମାବଦ୍ଧ ହୋଇ ରହି ନଥାଏ, ବରଂ ଦେହ ,ଜଗତ ଓ ଜୀବନ ତରଂଗାୟିତ, ଦୋଦୁଲ୍ୟମାନ, ପରିବର୍ତ୍ତନଶୀଳ ବିଭିନ୍ନ ରୂପ ଓ ଆକୃତିର ଅଣୁ ପୁଂଜ ଭାବରେ ଆକାଶ ଦ୍ବାରା ରଚିତ, ପରିଚାଳିତ ଓ ଧାରିତ ହୋଇ ତା ଭିତରେ ରହଥାଏ ଯଦିଓ ସେ ଅଂଚଳ ଅଂଧାର ଓ ଅଜ୍ଞାନତା ଦ୍ବାରା କବଳିତ ହୋଇ ରହିଥାଏ ।

ମନର ବାସ୍ତବତାକୁ ବିଶ୍ଳେଷଣ କଲେ ଆମେ ଆଉ ଏକ ସତ୍ୟର ମୁହାଁମୁହିଁ ହେବା ଯେ,ଶରୀର ଯେହେତୁ ବସ୍ତୁ ଜଗତର ଅନ୍ତର୍ଗତ ତେଣୁ ଖାଦ୍ୟ ରୂପରେ ବସ୍ତୁ ଆହରଣ ଦ୍ବାରା ତାର ଅଭାବ ପୂରଣ ହୋଇଥାଏ, କିଂତୁ ମନ ଯେହେତୁ ଆକାଶ ବା ଶୂନ୍ୟତାର (nothingness) ଅଧୀନ ତେଣୁ ତାର ଅଭାବ ବସ୍ତୁ ବା ବସ୍ତୁସୁଖ ଦ୍ବାରା ପୂରଣ ହୋଇ ପାରେ ନାହିଁ, କାରଣ ମନ ଓ ଶରୀର (nothingness and thingess) ଅସମାନଧର୍ମୀ । ଅସମାନଧର୍ମୀତା ହେତୁ ଶୂନ୍ୟତାକୁ ବସ୍ତୁତ୍ବ ଦ୍ବାରା ପୂରଣ କରାଯାଇ ପାରିବ ନାହିଁ , ଅଧିକଂତୁ ବସ୍ତୁ ଶୂନ୍ୟତାର ଏକ ଶତାଂଶରୁ ବି କମ୍ । ତେଣୁ ମନ ସ୍ଥୁଳ ବସ୍ତୁ ଜଗତକୁ ଆଧାର କରି ତାର କଳ୍ପନା ଶକ୍ତି ଦ୍ବାରା କଳା ସାହିତ୍ୟ ମାଧ୍ୟମରେ ଅନୁରୂପ ଏକ ସୂକ୍ଷ୍ମ କଳ୍ପଲୋକ ନିର୍ମାଣ କରି ତାର ଶୂନ୍ୟତାକୁ ପୂରଣ କରିବାକୁ ଚେଷ୍ଟା କରିଥାଏ ଯାହା କେତେକାଂଶରେ ଓ ଅସ୍ଥାୟୀ ଭାବରେ ଅଭାବ ପୂରଣ ହେବାର ଭ୍ରମ ସୃଷ୍ଟି କରିଥାଏ । ତେବେ ଏହି କଳ୍ପଲୋକ ବସ୍ତୁ ଜଗତର ଛାୟାପାତ ବା ଗ୍ରହଣ (eclipse) ହୋଇଥିବା ଯୋଗୁ ଚିରସ୍ଥାୟୀ ହୋଇ ରହେ ନାହିଁ । ମନ ତାର ସ୍ବସ୍ଥାନ, ସ୍ବଭାବ ଓ ସ୍ବଧର୍ମକୁ ଫେରି ନପାଇବା ପର୍ୟ୍ୟଂତ, ଅର୍ଥାତ୍ ଅନଂତ ଅସୀମ ଆକାଶର ପୂର୍ଣ୍ଣ ଶୂନ୍ୟତାରେ ସମାହିତ ନହେବା ପର୍ୟ୍ୟଂତ ତାର ଦୁଃଖ ଓ ଅଭାବ ରହିଥିବ । ସ୍ଥିତାବସ୍ଥାର ସୀମାବଦ୍ଧତାରୁ , ତତ୍ ଜନିତ ଦୁଃଖ ଓ ଅଭାବରୁ ମନର ମୁକ୍ତି ତେଣୁ ଅନିବାର୍ୟ୍ୟ । ଅତଏବ ଶୂନ୍ୟତାହିଁ ପୂର୍ଣ୍ଣତା ଏବଂ ପୂର୍ଣ୍ଣତା ପ୍ରାପ୍ତିହିଁ ମୁକ୍ତି ।

ଆତ୍ମା, ପରମାତ୍ମା, ଈଶ୍ବର ଆଦି ଆମର ଯେଉଁ ସବୁ ଧାରଣା ରହିଛି ତାହା ଅସ୍ତିତ୍ବକୁ ଠିକ୍ ଭାବରେ ବୁଝି ନପାରିବା, ଅଳ୍ପ ବୁଝିବା ବା ନାମ ରୂପ ମାଧ୍ୟମରେ ଭିନ୍ନ ଭାବରେ ବୁଝିବା ବା ବୁଝାଇବାର ଅପଚେଷ୍ଟାର ପରିଣାମ ମାତ୍ର । ଆକାଶ (space) ବା ମୂଳ ଅସ୍ତିତ୍ବ ଗୁଣ କର୍ମ ରୂପ ରହିତ ହେତୁ ଆମର ନିର୍ଗୁଣ ନିରାକାର ନିଷ୍କାମ ପରମାତ୍ମା ବା ଈଶ୍ବର ସେଇ ସତ୍ୟର କେବଳ ସଂକେତ ମାତ୍ର । ଅନ୍ୟଥା ସେସବୁ ଧାରଣାର ସତ୍ୟତା କିଛି ନାହିଁ । ଶରୀର ସହିତ ଆକାଶର ସଂପୃକ୍ତିକୁ ନେଇ ଆତ୍ମାର ଧାରଣା ସୃଷ୍ଟି ହୋଇଥାଏ । ଆତ୍ମା, ପରମାତ୍ମା, ଈଶ୍ବର ଅସ୍ତିତ୍ବର ସତ୍ୟତା ନୁହେଁ, ଖୁବ୍ ବେଶିରେ ସତ୍ୟର ଅବଧାରଣା ପାଇଁ ଏକ ପଥ, ଏକ ଉପାୟ ମାତ୍ର । ସତ୍ୟର ଏହି ଦୁର୍ବଳ ଧାରଣା ସବୁ ଅନେକ ସମୟରେ ସତ୍ୟକୁ ବୁଝିବା ଓ ଦେଖିବାର ପଥରୋଧ କେବଳ କରେ ନାହିଁ, ମୁକ୍ତିର ପଥକୁ ବି ଭ୍ରମିତ କରେ ।

ଦ୍ବୈତ ଓ ବିପରୀତମୁଖୀ ରହସ୍ୟମୟ ସୃଷ୍ଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ନେଇ ଆମର ଯେଉଁ ସଂଦେହ ବଳବତ୍ତର ରହିଛି ତାର ସମାଧାନ ମୂଳକ ଉତ୍ତରଟିଏ ମଧ୍ୟ ସେଇ ରହସ୍ୟ ଭିତରେ ଲୁଚି ରହିଛି । ସୃଷ୍ଟି ପୂର୍ବ ଅସ୍ତିତ୍ବର ମୂଳ ସତ୍ୟ ଯଦି ଏକ ପୂର୍ଣ୍ଣ ଅବସ୍ଥା ତେବେ ସୃଷ୍ଟିର ଆବଶ୍ୟକତା କଣ ? ସୃଷ୍ଟି ତାର ଅସ୍ତିତ୍ବର ମୂଳ ସଂପୂର୍ଣ୍ଣ ଅବସ୍ଥାରୁ ଏକ ନିମ୍ନ, ଅସଂପୂର୍ଣ୍ଣ ଏବଂ ସର୍ବୋପରି ନିର୍ଗୁଣ, ନିଷ୍କାମ ଓ ନିରାକାରର ଏକ ବିପରୀତ ଅବସ୍ଥା ହୋଇଥିବା ଯୋଗୁ ଏ ପ୍ରଶ୍ନ । ରୂପ, ଗୁଣ, କର୍ମ ଭିତରେ ନିରାକାର, ନିର୍ଗୁଣ ଓ ନିଷ୍କାମର ପୂର୍ଣ୍ଣ ଅଭିବ୍ୟକ୍ତି, ବସ୍ତୁର ଅଭାବ ଓ ଅକ୍ଷମତା ଭିତରେ ଶୂନ୍ୟତାର ପୂର୍ଣ୍ଣ ଅନୁଭୁତି ସଂଭବତଃ ଏ ପ୍ରଶ୍ନର ଏକମାତ୍ର ସଂତୋଷ ଜନକ ଉତ୍ତର । ଶୂନ୍ୟତାରେ ଯେମତି ବାସ୍ତବତାରେ ସେମିତି ପୂର୍ଣ୍ଣତାହିଁ ବୋଧେ ସୃଷ୍ଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ । ମଣିଷର ସ୍ଥିତାବସ୍ଥାକୁ ଲକ୍ଷ୍ୟ କଲେ ଯଦିଓ ଏହା ଅସଂଭବ ମନେହୁଏ ତଥାପି ମହାନ୍ ଯୋଗୀ ଶ୍ରୀ ଅରବିନ୍ଦ ଶ୍ରମ ଓ ସାଧନା ବଳରେ ଏ ସଂଭାବନା ସତ୍ୟ ହେବାର ସ୍ବପ୍ନ ଦେଖିଛଂତି । ସ୍ଥିତାବସ୍ଥାରୁ, ଶରୀରର ସୀମାବଦ୍ଧତାରୁ ମନର ମୁକ୍ତିହିଁ ତେଣୁ ସୃଷ୍ଟିରେ ଅସ୍ତିତ୍ବର ପୂର୍ଣ୍ଣ ଅନୁଭବ ପାଇଁ ଏକମାତ୍ର ଉପାୟ ।

ମନର ମୁକ୍ତି ସକାଶେ ଶରୀର ଓ ମନର ସଂପର୍କକୁ ବୁଝିବାର ଆବଶ୍ୟକତା ରହିଛି । ଉଭୟେ ପରସ୍ପରର ଆଲିଂଗନରେ ସଦା ଆବଦ୍ଧ । ପରସ୍ପରର କ୍ରିୟା ପ୍ରତିକ୍ରିୟା ଜନିତ ସଂସ୍କାରର ପୌନଃପୁନିକ ଜାଗରଣ ଜୀବନ ଚକ୍ରର ଈନ୍ଧନ । ଇନ୍ଦ୍ରିୟ ମାନେ (sense organs) ବାହ୍ୟ ଜଗତରୁ ଯାହା ସବୁ ଆହରଣ କରଂତି ତାହା ସୁଖ ଓ ଦୁଃଖର ସଂବେଦନା (sensations) ହୋଇ ଶରୀରରେ ପ୍ରବାହିତ ହୁଏ ଯାହାକୁ ପ୍ରତିକ୍ରିୟା ଦ୍ବାରା ମନ ଭୋଗ କରି ସେ ସବୁର ଅନୁଭବକୁ ସ୍ମୃତି ରୂପରେ ସାଇତି ରଖେ ଯାହା କାଳକ୍ରମେ ସଂସ୍କାରର ରୂପ ନିଏ । ଏହି ସଂସ୍କାର ଦୈହିକ ସୁଖ ଦୁଃଖର ଏକ ସୂକ୍ଷ୍ମ ସଂକେତ ଭାବରେ ମନ ଭିତରେ ସଂଗୃହୀତ ରହିବା ଯୋଗୁ ମୃତ୍ୟୁ ପରେ ଶରୀର ନଷ୍ଟ ହେଲେ ମଧ୍ୟ ତାହା ଜୀବନର ବୀଜ ରୂପରେ ଶରୀର ଶେଷ ଉପାଦାନ ଆକାଶ ଭିତରେ ସଂରକ୍ଷିତ ହୋଇ ରହିଯାଏ । ମାତ୍ର ଏହି ବୀଜ ଶରୀର ବା ବସ୍ତୁ ସଂବନ୍ଧୀୟ ହୋଇଥିବା ଯୋଗୁ ଆକାଶର ଶୁଦ୍ଧ ଶୂନ୍ୟତାରେ ବେଶିକାଳ ରହିପାରେ ନାହିଁ । ଯେମିତି ମେଘ ବର୍ଷା ହୋଇ ତାର ମୂଳ ଅବସ୍ଥାକୁ ଖସେ ସେମିତି ଏହି ବ୍ୟକ୍ତି-ସଂସ୍କାର ତାର ଗୁଣ ଧର୍ମ ଅନୁରୂପ ଏକ ପରିବେଶ ଓ ଶରୀରର ଭୃଣକୁ ଓହ୍ଲାଏ । ଗୋଟେ ନୂଆଁ ଶରୀରରେ ପୁରୁଣା ଜୀବନର ପୁନରାବୃତ୍ତି ହୁଏ ଆଉ କିଛି ନୂଆଁ ଅନୁଭୁତି, ସ୍ମୃତି ଓ ସଂସ୍କାରର ସମ୍ମିଶ୍ରଣ ସହିତ । ଏହିପରି ମନ ଓ ଦେହର କ୍ରିୟା ପ୍ରତିକ୍ରିୟା ଓ ବଂଧନରେ ଛଂଦି ହୋଇ ଜୀବନ ଜନ୍ମ ଓ ମୃତ୍ୟୁର ପାହାଚ ପରେ ପାହାଚ ଡେଇଁ ଡେଇଁ ଅବିରାମ ଗଡି ଚାଲିଥାଏ । ତେଣୁ ଶରୀରର ବଂଧନରୁ ମନ ମୁକ୍ତ ନହେବା ପର୍ୟ୍ୟଂତ ଜୀବନର ସ୍ଥିତାବସ୍ଥାରୁ ମୁକ୍ତି ଅସଂଭବ, ଅସ୍ତିତ୍ବର ପୂର୍ଣ୍ଣତା ଅସଂଭବ । ମୁକ୍ତି କେବଳ ସେତେବେଳେ ସଂଭବ ଯେତେବେଳେ ମନ ଶାରୀରୀକ ସୁଖ ଦୁଃଖର ଭୋକ୍ତା ନହୋଇ କେବଳ ଦ୍ରଷ୍ଟା ହୋଇ ରହିବ । ଶାରୀରୀକ ସୁଖ ଦୁଃଖର ସଂବେଦନା ପ୍ରତି ରାଗ ଦ୍ବେଷ ରହିତ ହୋଇ ନିରାସକ୍ତ ଦ୍ରଷ୍ଟା ଭାବରେ ରହି ପାରିଲେ ସୁଖ ଦୁଃଖର ସ୍ମୃତି କ୍ଷଣସ୍ଥାୟି ହେବା ପୂର୍ବକ ସଂସ୍କାର ନିର୍ମାଣ ପାଇଁ ସମର୍ଥ ହୁଏ ନାହିଁ । ଶରୀରର ବଂଧନରୁ ମୁକ୍ତି ପାଇଁ ଦ୍ରଷ୍ଟା ହେବା ବ୍ୟତିତ ଅନ୍ୟ କୌଣସି ବାଟ ନାହିଁ ।

ଚେତନାର ଏକ ନିର୍ଦ୍ଧିଷ୍ଟ ଅଂଧାରୁଆ ତଳରେ, ଉପରିସ୍ଥ ଚେତନାର ଅଜ୍ଞାତସାରରେ, ଶରୀର ସହିତ ମନ ଯଦିଓ ସଂଯୁକ୍ତ ହୋଇ ରହଥାଏ ତଥାପି ସଚେତନ ମନ ଶରୀରରୁ ବିଚ୍ଛିନ୍ନ ହେବାର ଅନେକ ଅବକାଶ ରହିଥାଏ । ନିଦ୍ରା ଏପରି ଏକ ଅବସ୍ଥା । ଚିକତ୍ସା ବିଜ୍ଞାନରେ ନିଶ୍ଚେତକ (anesthesia) ଜନିତ ସଂଜ୍ଞାହୀନତା ଆଉ ଏକ ଅବସ୍ଥା । ଏପରିକି ସଚେତନ ଅବସ୍ଥାରେ ମଧ୍ୟ ଶରୀରର ଅଭାବ ଓ ବିପଦ ଦେଖା ନଦେବା ପର୍ୟ୍ୟଂତ ମନ ତାର ଭାବନା ଓ କଳ୍ପନା ରାଜ୍ୟରେ ଘୁରି ବୁଲୁଥାଏ । କିଂତୁ ଏସବୁ ଅବସ୍ଥାରେ ମଧ୍ୟ ଅଚେତନ ଓ ଅବଚେତନ ସ୍ତରରେ ମନ ଓ ଶରୀର ସଂଯୁକ୍ତ ହୋଇ ରହିଥାଂତି ଏବଂ ପାରସ୍ପାରିକ କ୍ରିୟା ପ୍ରତିକ୍ରିୟା ଦ୍ବାରା ସଂସ୍କାର ନିର୍ମାଣରେ ବ୍ୟସ୍ତ ରହିଥାଂତି । ଏପରି ଭାବରେ ଗଣ୍ଠି ପରେ ଗଣ୍ଠି ପଡି ଚାଲିଥାଏ, ବଂଧନ ଆହୁରି ସୁଦୃଢ ହୋଇ ଚାଲିଥାଏ । ସତେ ଯେମିତି ଶରୀର ଭୂମିର କାହିଁ କେତେ ଗଭୀରକୁ ମନର ଚେର ମାଡି ଯାଇ ପାର୍ଥିବ ଜୀବନର ରସ ସଂଗ୍ରହରେ ମାତିଥାଏ ଏବଂ ଶରୀର ବାହାରେ ଶାଖା ପ୍ରଶାଖା ମେଲି ବିଶାଳ ଦ୍ରୁମ ପରି ଛିଡା ହୋଇଥିବା ସଚେତନ ମନ ଏ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥାଏ । ଅନ୍ତର୍ଜଗତରେ ମନ ଓ ଶରୀରର ସେଇ ଅଦୃଶ୍ୟ ସଂପର୍କ, ସହଯୋଗିତା ଓ ସହଭାଗିତା ବଂଦ ନହେବା ପର୍ୟ୍ୟଂତ ମନର ମୁକ୍ତି ଅସଂଭବ । ଚେତନାର ସମସ୍ତ ଅଚେତନ ସ୍ତରକୁ ତେଣୁ ସଚେତନାର ଆଲୋକରେ ଆଲୋକିତ କରି ଏହି ଗଣ୍ଠି ଖୋଲିବାକୁ ହେବ ଓ ସଂପର୍କ ଛିନ୍ନ କରିବାକୁ ହେବ । ସମଗ୍ର ଶରୀରରେ ଅହରହ ତରଂଗାୟିତ ସଂବେଦନା ପ୍ରତି ସଦା ସଚେତନ ନରହିଲେ ଏହା ସଂଭବ ହେବ ନାହିଁ ।

ଶରୀର ଓ ମନ ଭିତରେ ଜନ୍ମ ଜନ୍ମାନ୍ତରର ଯେଉଁ ଗଣ୍ଠି ପଡିଛି ଓ ପ୍ରତି ଜନ୍ମରେ ପଡି ଚାଲିଛି, ସେ ସୂତ୍ରଟି ଆବିଷ୍କାର ନକଲା ପର୍ୟ୍ୟଂତ ତାକୁ ଖୋଲି ହେବ ନାହିଁ । ମୂଳତଃ ଶରୀର ସହିତ ମନର ସିଧା ସଳଖ ସଂପର୍କ କିଛି ନାହିଁ । ଶରୀରରେ ସୃଷ୍ଟି ହେଉଥିବା ସୂକ୍ଷ୍ମ ତରଂଗ (feeling or sensation) ସହିତ କେବଳ ତାର ସଂପର୍କ । ଶରୀର ଭିତରେ ଇନ୍ଦ୍ରିୟ ମାନଂକ ଦ୍ବାରା ସୃଷ୍ଟି ହେଉଥିବା ଭାବ ତରଂଗ ହିଁ ମନର ଶୂନ୍ୟତା ଓ ଦେହର ସ୍ଥୁଳତା ଭିତରେ ଏକମାତ୍ର ସଂପର୍କର ସେତୁ । ଇନ୍ଦ୍ରିୟ ମାନେ ବହିର୍ଜଗତର ସଂସର୍ଗରେ ଆସି ଶରୀରରେ ଭାବ ତରଂଗ ସୃଷ୍ଟି କଲା ମାତ୍ରେ ମନ ତାର ପୂର୍ବ ସ୍ମୃତିର ଆଧାରରେ ସେମାନଂକ ବିଶ୍ଳେଷଣ ଓ ମୂଲ୍ୟାୟନ କରି ସୁଖ ଓ ଦୁଃଖ ରୂପରେ ପ୍ରତିକ୍ରିୟା କରେ, ଅର୍ଥାତ୍ ସୁଖପ୍ରତି ରାଗ ବା ଆକର୍ଷଣ ଓ ଦୁଃଖପ୍ରତି ଦ୍ବେଷ ବା ବିକର୍ଷଣ ଭାବ ପୋଷଣ ପୂର୍ବକ ସେମାନଂକୁ ଗ୍ରହଣ କରେ, ଭୋଗ କରେ, ସ୍ମୃତି ରୂପରେ ସେମାନଂକୁ ସାଇତି ରଖେ ଯାହା କାଳକ୍ରମେ କଠିଣ ସଂସ୍କାରର ରୂପ ନେଇ ମନ ଓ ଶରୀରରକୁ ସଂପର୍କର ଏକ ଅଛିଣ୍ଡା ସୂତ୍ରରେ ବାଂଧି ରଖେ ।

ଶରୀର ଓ ଇନ୍ଦ୍ରିୟ ମାନଂକ ଉପରେ ମନର ପୁରାପୁରି ଅଧୀକାର ନଥାଏ । ଏ କ୍ଷେତ୍ରରେ ମନର ଚାପ ସୀମିତ, ସର୍ତ୍ତବଦ୍ଧ ଓ କ୍ଷଣସ୍ଥାୟୀ । ଇନ୍ଦ୍ରିୟ ମାନଂକ ବାହ୍ୟ ଜଗତ ସହିତ ସଂପର୍କ ଓ ତଥ୍ୟ ସରବରାହ ଜନିତ ଶାରୀରୀକ ସଂବେଦନାକୁ ଆଦୌ ରୋକି ହେବ ନାହିଁ । ଉଚିତ ମଧ୍ୟ ନୁହେଁ କାରଣ ଜୀବନ ରଥ ଆଗକୁ ଗଡିବା ଅସଂଭବ ହୋଇ ପଡିବ । ତଥାପି ଇନ୍ଦ୍ରିୟ ଦମନ ପାଇଁ ଶାସ୍ତ୍ର ଓ ଗୁରୁମାନେ ମନ ଉପରେ ଚାପ ପ୍ରୟୋଗ କରିବା ଦେଖାଯାଏ । ମନ ଓ ଶରୀରର ସଂଧି ସ୍ଥଳରେ ଯେଉଁଠି ଶରୀରର ସଂବେଦନାକୁ ମନ ରାଗ ଓ ଦ୍ବେଷର ପ୍ରତିକ୍ରିୟା ଦ୍ବାରା ଭୋଗ କରେ କେବଳ ସେଇଠି ମନ ତାର ସ୍ବାୟତ୍ତାଧୀନ । କେବଳ ସେଇଠି ମନ ସଚେତନତା ଓ ସମତା ପୂର୍ବକ ଶାରୀରୀକ ସୁଖ ଦୁଃଖର ପ୍ରଭାବରୁ ନିଜକୁ ମୁକ୍ତ ରଖି ପାରିବ । ଯେହେତୁ ସଂସ୍କାର ନିର୍ମାଣ ପ୍ରତି ମୁହୂର୍ତ୍ତର ଏକ ଚିରାଚରିତ କର୍ମ, ତେଣୁ ମନକୁ ଏହି ସଂବେଦନା ପ୍ରତି ସଦା ଜାଗ୍ରତ ରହି ସମତା ଓ ଅନାସକ୍ତି ଦ୍ବାରା ପ୍ରତିରୋଧ କରିବାକୁ ହେବ । ଏଥିପାଇଁ ଦରକାର ମନର ଏକାଗ୍ରତା (concentration), ସତର୍କତା (awareness) ଏବଂ ସମତା (equanimity) ।

ବସ୍ତୁ ଜଗତ ମାତ୍ରେଇ ଏକ ତଂରଗାୟିତ ଅସ୍ଥିର ଅବସ୍ଥା । ପୁଣି ପାଚନ, ରକ୍ତ ସଂଚାଳନ, ଶ୍ବାସକ୍ରିୟା ଏବଂ ଯାବତୀୟ ରାସାୟନିକ କ୍ରିୟା ପ୍ରତିକ୍ରିୟା ଯୋଗୁ ଆମ ଶରୀର ଆହୁରି ଅସ୍ଥିର, ପ୍ରକଂପିତ, ସଂବେଦନଶୀଳ ଓ ପରିବର୍ତ୍ତନଶୀଳ ଅବସ୍ଥାରେ ରହିଥାଏ । ତଥାପି ମନ ଶରୀରର ଏ ଅବସ୍ଥା ସଂପର୍କରେ ବିଂଦୁ ବିସର୍ଗ ସଚେତନ ନଥାଏ କି ସେସବୁ ତରଂଗ ମାନଂକ ଅନୁଭବ ନଥାଏ, କାରଣ ଶରୀର ବାହାରେ ବାହ୍ୟ ଜଗତରେ କିଂବା ନିଜସ୍ବ ସ୍ମୃତି ଓ କଳ୍ପନାର ଜଗତରେ ସର୍ବଦା ଘୁରି ବୁଲୁଥାଏ । ଆବଶ୍ୟକତା ବା ବଳ ପ୍ରୟୋଗ ଦ୍ବାରା ମନ ଶରୀର ସଚେତନ ନହେବା ପର୍ୟ୍ୟଂତ ସଂବେଦନାର ଅନୁଭବ କରିପାରେ ନାହିଁ । ବାହ୍ୟ ଜଗତରୁ ନିଜକୁ ଓହରାଇ ଆଣି ଏକାଗ୍ରତାର ସହିତ ଶରୀରର କୌଣସି ଅଂଗ ବା ବିଂଦୁରେ କେନ୍ଦ୍ରିଭୁତ ହୋଇ ବିଚାରଶୂନ୍ୟ ପୂର୍ବକ ସୂକ୍ଷ୍ମ ଓ ତୀକ୍ଷ୍ଣ ନହେବା ପର୍ୟ୍ୟଂତ ଶରୀରର ସୂକ୍ଷ୍ମାତି ସୂକ୍ଷ୍ମ ସଂବେଦନାକୁ ଧରି ପାରିବ ନାହିଁ । ମନର ଏକାଗ୍ରତା ପାଇଁ ସ୍ବାଭାବିକ ନିଶ୍ବାସ ଉପରେ ମନକୁ ଅବସ୍ଥାପିତ କରି ରଖିବାର ଏକ ପ୍ରଚୀନ ଧ୍ୟାନ ବିଧି ରହିଛି, କାରଣ ନିଶ୍ବାସ (ପ୍ରାଣ) ଉଭୟ ଦେହ ଓ ମନର ସଂଯୋଗ ସେତୁ ଭାବରେ କାମ କରିଥାଏ । ଉଭୟ ଦେହ ଓ ମନର ଅସ୍ବାଭାବିକ ଅବସ୍ଥାରେ ନିଶ୍ବାସ ତାର ସ୍ବାଭାବିକ ଗତିଶୀଳତା ହରାଇବା ଏହାର ପ୍ରମାଣ ।

ନିଶ୍ବାସର ଗତି ଉପରେ ମନ ଧ୍ୟାନସ୍ଥ ରହି ପାରିଲେ ବିଚାର ଶୂନ୍ୟ ହେବା ସହିତ ସୂକ୍ଷ୍ମ ଓ ତୀକ୍ଷ୍ଣ ହୋଇ ଶରୀରର ସବୁ ସ୍ଥୁଳ ସୂକ୍ଷ୍ମ ସଂବେଦନାକୁ ଧରିବାରେ ସମର୍ଥ ହୋଇଥାଏ । ଶରୀରର ଯେ କୌଣସି ସଂବେଦନା ଯେ ତୀବ୍ର ପରିବର୍ତ୍ତନଶୀଳ ଏହା ସେ ଅନୁଭବ କରେ ଏବଂ ଶାରୀରୀକ ବାସ୍ତବତା ଓ ସଂବେଦନାର ଅନିତ୍ୟବୋଧର ଆଧାରରେ ଉଭୟ ସୁଖ ଦୁଃଖ ପ୍ରତି ସମତା ରଖିବାରେ ସମର୍ଥ ହୁଏ । ସୁଖ ଦୁଃଖର ଭୋକ୍ତାପଣ ତ୍ୟାଗ କରି ମନ ଏକ ନିରାସକ୍ତ ଦ୍ରଷ୍ଟାରେ ରୂପାଂତରିତ ହୋଇଯାଏ । ମନ ନିରାସକ୍ତ ଭାବରେ ଭୋକ୍ତାରୁ ଦ୍ରଷ୍ଟା ହୋଇ ଶରୀରର ସ୍ଥୁଳରୁ ସୂକ୍ଷ୍ମ ଓ ସୂକ୍ଷ୍ମରୁ ସୂକ୍ଷ୍ମାତୀତ ଅବସ୍ଥାକୁ ଗତଶୀଳ ହେବାରେ ଯେଉ ଅଦ୍ଭୁତ ଘଟଣାଟି ଘଟେ ତାହା ମନର ମୁକ୍ତି ପାଇଁ, ତାର ସ୍ବସ୍ଥାନ, ସ୍ବଭାବ ଓ ସ୍ବଧର୍ମକୁ ବାଟ ଖୋଲି ଦିଏ ।

ମନର ମୁକ୍ତି ପଥକୁ ଅନୁସରଣ କରିବା ପୂର୍ବରୁ ଶାରୀରୀକ ଗଠନର ଆଉ ଏକ ସତ୍ୟ ପ୍ରତି ଅବଗତ ହେବା । ବସ୍ତୁ ବା ଶରୀରର ମୂଳ ଆଧାର ଅଣୁର ଗଠନ ଓ ସ୍ଥିତିରେ ତୃଟି ବିଚ୍ୟୁତିର କୌଣସି ସଂଭାବନା ନଥାଏ, ତେଣୁ ଏହି ମୂଳ ବା ଅଣୁ ସ୍ତରରେ ସ୍ଥୁଳ ସଂବେଦନା ବା ଦୁଃଖର ଅବକାଶ ନଥାଏ । କିଂତୁ ଅଣୁ ପୁଂଜକୁ ନେଇ ଗଠିତ କୋଷ ଓ କୋଷ ମାନଂକୁ ନେଇ ଗଠିତ ଶରୀରର ଅଂଗ ପ୍ରତ୍ୟଂଗରେ ରୋଗ, ଦୁର୍ଘଟଣା ଓ ଗଠନ ଜନିତ ଦୋଷ ତୃଟି ରହୁଥିବା ଯୋଗୁ ଏହା ଦୁଃଖାନୁଭବର କାରଣ ହୋଇଥାଏ । ମନ ଯେତେବେଳେ ଶରୀର ଭିତରକୁ ଓହ୍ଲାଏ ପ୍ରଥମେ ଏହି ସ୍ଥୁଳ ସଂବେଦନା ବା ଦୁଃଖାନୁଭବ ଦେଇ ଗତି କରେ । ଏହି ସ୍ତରରେ ତୀବ୍ର ସ୍ଥୁଳ ଦେହାନୁଭୁତି ରହିଥାଏ ଯାହା ପ୍ରାୟତଃ ଦୁଃଖର । ତେବେ ଦ୍ରଷ୍ଟା ଭାବରେ ଯେତେବେଳେ ଦେହକୁ ବସ୍ତୁ ବା ଦୃଶ୍ୟ ରୂପରେ ସମତା ପୂର୍ବକ ତଟସ୍ଥ ହୋଇ ଦେଖେ, କ୍ରମଶଃ ଶାରୀରୀକ ସୁଖ ଦୁଃଖର ପ୍ରଭାବ କ୍ଷୀଣରୁ କ୍ଷୀଣତର ହୋଇ ପରିଶେଷରେ ଲୋପ ପାଇଯାଏ । ଏହି ଅବସ୍ଥାରେ ସ୍ଥୁଳ ଦେହାନୁଭବ ମଧ୍ୟ ଲୋପ ପାଇବାକୁ ବସେ । ନିରାସକ୍ତ ଦ୍ରଷ୍ଟା ପଣରେ ଶରୀର ବସ୍ତୁ-ଦୃଶ୍ୟ ହୋଇ ମନଠୁ ଦୂରରେ ରହୁଥିବା ଯୋଗୁ ସେମାନଂକ ମଝିରେ ଯେଉଁ ଦୂରତା ଓ ଶୂନ୍ୟସ୍ଥାନ (gulf) ସୃଷ୍ଟି ହୁଏ ତାହା ମୁକ୍ତିର ପ୍ରଥମ ସୋପାନ । ଏଇଠି ମନ ତାର ଅସୀମ ଅନନ୍ତ ଶୁଦ୍ଧ ଶୂନ୍ୟତାରେ ପଦାର୍ପଣ କରେ, ମାତ୍ର ଶରୀରର ସଂବେଦନା ସହ ସଂପୃକ୍ତି ହେତୁ ଏହି ଅନୁଭବରୁ ତଥାପି ବଂଚିତ ରହିଥାଏ ।

ଶାରୀରୀକ ସ୍ଥୁଳ ସୁଖ ଦୁଃଖର ଦ୍ବୈତ ଅନୁଭବକୁ ଅତିକ୍ରମ କରି ମନ ଯେତେବେଳେ ଅଣୁ ସ୍ତରୀୟ ଅନୁଭବକୁ ଓହ୍ଲାଏ ସେଠି ଦେଖେ କେବଳ ଗୋଟେ ସୁଖର ଲହର, ସୁଖର ଏକ ସୂକ୍ଷ୍ମ ଧାରା ପ୍ରବାହ ଯାହା ସଂଭବତଃ ପରମାଣୁ (subatomic particles)ମାନଂକ ଚଳନ ବା ତୀବ୍ର ଗତିଶୀଳତାର ଏକ ପ୍ରଭାବ । ଏହି ଅବସ୍ଥାରେ ସ୍ଥୁଳ ଶରୀରର ଅନୁଭବ ଆଉ ନଥାଏ । ଦେହ ତାର ସାନ୍ଧ୍ରତା, ସ୍ଥୁଳତା, ଘନତ୍ବ ହରାଇ ଭିଣା ତୂଳା ପରି ଅନୁଭୁତ ହୁଏ, ସତେବା ଅନନ୍ତ ଆକାଶର ମହା ଶୂନ୍ୟତାରେ ଯେମିତି ପୁଳାଏ ଭାସମାନ ମେଘ । ଦେହ ଯେ ଏକ ତରଂଗାୟିତ ଭାସମାନ ପରମାଣୁ ପୁଂଜର ସମାହାର ଏ ଅନୁଭବ ସେଠି ମିଳେ । ତଥାପି ଯେତେ ସୂକ୍ଷ୍ମ ହେଉ ପଛେ ସୁଖର ଏ ଧାରା ପ୍ରବାହ ମଧ୍ୟ ବସ୍ତୁ ଜନିତ ବା ଶାରୀରୀକ, ତେଣୁ ପରିବର୍ତ୍ତନଶୀଳ ଓ ଅନିତ୍ୟ, ଏ ସତ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି ମନର । ସୁଖର ଏହି ଅନୁଭବ ପ୍ରତି ଯଦି ପ୍ରତିକ୍ରିୟା ନକରି ମନ ସମତା ରଖେ ତେବେ ଅସ୍ତିତ୍ବର ଆହୁରି ସୂକ୍ଷ୍ମତମ ସ୍ତରକୁ ଓହ୍ଲାଇବାର ବାଟ ଫିଟିଯାଏ, ଯେଉଁଠି ସେ ନିଜକୁ ଆବିଷ୍କାର କରେ ଅସ୍ତିତ୍ବର ପୂର୍ଣ୍ଣ ଅବସ୍ଥା ମହାଶୂନ୍ୟ ରୂପରେ, ଯେଉଁଠି ବସ୍ତୁଗତ ସୁଖ ଦୁଃଖର ଦ୍ବୈତ ଅବସ୍ଥା ନଥାଏ, ଦୃଶ୍ୟ ନଥାଏ, ସୀମା ନଥାଏ, ଥାଏ କେବଳ ଥିବାର ଏକ ନିଆରା ଭାବ (the bliss of existence) । ଅସ୍ତିତ୍ବର ଏହି ମୂଳ ଭାବଟିହିଁ ପରମାନନ୍ଦ । ଏହାହିଁ ଅସ୍ତିତ୍ବର ପୂର୍ଣ୍ଣ ଅବସ୍ଥା, ମୁକ୍ତ ଅବସ୍ଥା । ଅସ୍ତିତ୍ବର ଏହି ଅସୀମ ଅନନ୍ତ ମହାଶୂନ୍ୟତା ଭିତରେ ପୁଣି ତିଳବତ୍ ଭାସମାନ ବସ୍ତୁ ଜଗତର ସର୍ଜନା, ତାର ଚଳନ, ଦୋଳନ, ପରିବର୍ତ୍ତନ, ଜନ୍ମ ମୃତ୍ୟୁ, ସୁଖ ଦୁଃଖ ଓ ଅଜ୍ଞାନତା । ଏହି ମୁକ୍ତ ଅବସ୍ଥାରେ କେବଳ ଅସ୍ତିତ୍ବର ସମଗ୍ରତାକୁ, ପୂର୍ଣ୍ଣତାକୁ, ତାର ଉଭୟ ଶୂନ୍ୟତା ଓ ବସ୍ତୁତ୍ବକୁ, ତାର ବୈଚିତ୍ର ଓ ବୈପରୀତ୍ୟକୁ ଏକାଧାରରେ ଓ ଏକାବେଳକେ ବଂଚିବା ସଂଭବ ହୋଇଥାଏ । ଏହି ପୂର୍ଣ୍ଣତାର ଅନୁଭବର ଉଚ୍ଚାରଣ ହିଁ-
“ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ
ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବା ବଶିଷ୍ୟତେ’ । ।

Leave A Reply

Your email address will not be published.